୫ଠଠଠ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି
ନୂଆଦିଲ୍ଲୀ (ଏଜେନ୍ସି): ଭାରତ ଏବଂ ଭାରତୀୟଙ୍କ ଉପରେ ସଦାସର୍ବଦା ଶତ୍ରୁଦେଶଗୁଡ଼ିକର ନଜର ରହିଆସିଛି । ଭାରତର ବିକାଶକୁ ଏହି ଦେଶଗୁଡ଼ିକ ସହ୍ୟ କରିପାରୁନଥିବା ବେଳେ ଭାରତକୁ ସମସ୍ୟାରେ ପକାଇବା ପାଇଁ ଏମାନେ ବିଭିନ୍ନ ପ୍ରକାର ଖେଳ ଖେଳୁଛନ୍ତି । ବର୍ତ୍ତମାନର ଡିଜିଟାଲ୍ ଯୁଗରେ ଅନ୍ଲାଇନ୍ ଫ୍ରଡ୍, ସର୍ଭର-ୱେବସାଇଟ୍ ହ୍ୟାକିଂ ଆଦି ଏମାନଙ୍କର ପ୍ରମୁଖ ଅସ୍ତ୍ର ସାଜିଛି । ନିକଟରେ ଦିଲ୍ଲୀ ଏମ୍ସ ସର୍ଭରକୁ ହ୍ୟାକ୍ କରାଯାଇଥିଲା । ସପ୍ତାହବ୍ୟାପୀ ଏହି ପ୍ରକ୍ରିୟା ଜାରି ରହିଥିଲା । ଏମ୍ସର ୱେବସାଇଟ୍ରେ ଅପଲୋଡ୍ ଥିବା ସମସ୍ତ ଗୁପ୍ତ ତଥ୍ୟକୁ ହ୍ୟାକରମାନେ ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା । ସେହିପରି କିଛି ଦିନ ପୂର୍ବେ ମହାରାଷ୍ଟ୍ରର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ୱେବସାଇଟ୍କୁ ମଧ୍ୟ କିଛି ସମୟ ପାଇଁ ହ୍ୟାକ୍ କରାଯାଇଥିଲା । ତେବେ ବର୍ତ୍ତମାନ ଏହି ପରିପ୍ରେକ୍ଷୀରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି ।
ପ୍ରାୟ ୫ହଜାର ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ଡାର୍କ ୱେବ୍ରେ ପବ୍ଲିଶ୍ କରାଯାଇଛି । ଏହାର ସିଧାସଳଖ ଅର୍ଥ କୌଣସି ସରକାରୀ ଡାଟାବେସ୍ ସର୍ଭରକୁ ହ୍ୟାକ୍ କରାଯାଇ ସେଥିରୁ ଭାରତୀୟଙ୍କ ଆଧାର କାର୍ଡ, ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ମୋବାଇଲ୍ ନମ୍ବର ଭଳି ସମସ୍ତ ତଥ୍ୟକୁ ଚୋରି କରିନିଆଯାଇଛି ଏବଂ ସେସବୁକୁ ଏବେ ଡାକର୍୍ ୱେବ୍ରେ ଛଡାଯାଉଛି, ଯାହାଦ୍ୱାରା ଏସବୁ ସାର୍ବଜନୀନ ହୋଇପାରିବ । ଜଣେ ସହଜରେ ଏସବୁ ତଥ୍ୟକୁ ଗୁଗୁଲ୍ ଆକ୍ସେସ୍ ବା ସର୍ଚ୍ଚ କଲେ ବି ଜାଣିପାରିବ ।
ଏହି ଘଟଣାରେ ଜଣେ ପାକିସ୍ତାନୀ ହ୍ୟାକରଙ୍କ ହାତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ହ୍ୟାକରଜଣକ ଏସବୁ ତଥ୍ୟକୁ ଏକ ଟେଲିଗ୍ରାମ୍ ଚ୍ୟାନେଲ୍କୁ ବିକ୍ରି କରିବା ସହ ସେସବୁକୁ ସାର୍ବଜନୀନ ପ୍ଲାଟ୍ଫର୍ମରେ ମଧ୍ୟ ଲିକ୍ କରିଦେଇଛି । ଜଣେ ଗୁଇନ୍ଦା ଗବେଷଣାକାରୀ ଏସମ୍ପର୍କରେ ତଦନ୍ତ କରିବା ବେଳେ ଡାକର୍୍ ୱେବ୍ରେ ସକ୍ରିୟ ଥିବା ଏକ ପାକିସ୍ତାନୀ ଫୋରମ୍ ସମ୍ପର୍କରେ ଜାଣିବାକୁ ପାଇଛନ୍ତି । ଏହି ପାକିସ୍ତାନୀ ଫୋରମ୍ ସହ ଉକ୍ତ ହ୍ୟାକର୍ ଟେଲିଗ୍ରାମରେ ନିଜ ଚ୍ୟାନେଲ୍ ମାଧ୍ୟମରେ ବରାବର ଚାଟିଂ କରୁଥିବା ଗୁଇନ୍ଦା ଅଧିକାରୀଜଣକ ଦେଖିବାକୁ ପାଇଛନ୍ତି । ତେବେ ଏହି ଚ୍ୟାନେଲର ପ୍ରୋଫାଇଲ ଫଟୋରେ ପାକିସ୍ତାନୀ ପତାକାର ଫଟୋ ଲାଗିଥିବାରୁ ଏବଂ ହ୍ୟାକରଜଣକ ଊର୍ଦ୍ଧୁ ଭାଷାରେ ଚାଟିଂ କରୁଥିବାରୁ ସେ ଜଣେ ପାକିସ୍ତାନୀ ହ୍ୟାକର ବୋଲି ସେ ଅନୁମାନ କରୁଛନ୍ତି । ସବୁଠୁ ବଡ଼ କଥା ହେଉଛି, ଚାଟିଂ କରୁଥିବା ହ୍ୟାକରଜଣକ ଭାରତୀୟ ରେଲୱେ ଏବଂ କିଛି କର୍ପୋରେଟ୍ ସଂସ୍ଥା ସମେତ ଭାରତ ସରକାରଙ୍କ ଏକାଧିକ ଏଜେନ୍ସିଗୁଡ଼ିକରୁ ଏସବୁ ତଥ୍ୟକୁ ଚୋରି କରିଥିବା ଉଲ୍ଲେଖ କରିଛି ।
ଏପ୍ରକାର ସୂଚନା ମିଳିବା ପରେ ସରକାରୀ ଏଜେନ୍ସି ତଥା ଅନ୍ୟ ଡାଟାବେସ୍ରେ ସଂରକ୍ଷିତ ରହୁଥିବା ଭାରତୀୟଙ୍କ ଡାଟାଗୁଡ଼ିକର ସୁରକ୍ଷା ନେଇ ଏବେ ଚିନ୍ତା ବଢ଼ିଯାଇଛି । ଗତ କିଛି ବର୍ଷ ମଧ୍ୟରେ ଭାରତରେ ଡାଟା ନିୟମ ଉଲ୍ଲଂଘନ ଘଟଣା ଅହେତୁକ ଭାବେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ସରକାର ଏଦିଗରେ ଏକ କଠୋର ଆଇନ୍ ପ୍ରଣୟନ କରିବାର ଆବଶ୍ୟକତା ରହିଥିବା ନେଇ ଦାବି କରାଯାଉଛି ।