ବିଶ୍ୱବିଦ୍ୟାଳୟ ଫାଟକ ବନ୍ଦ କରି ବିକ୍ଷୋଭ
ତ୍ରୁଟିପୂର୍ଣ୍ଣ ପରୀକ୍ଷା ଫଳକୁ ନେଇ ଛାତ୍ର ଅଶାନ୍ତି
ବାରିପଦା (ଆପ୍ର): ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ନେଇ ଜିଲ୍ଲାରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ବନ୍ଦ କରି ବିଶ୍ୱବିଦ୍ୟାଳୟ ଅଧୀନ ୧୦ରୁ ଊଦ୍ଧ୍ୱର୍ କଲେଜ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଇଂରାଜୀ ବିଷୟରେ ପ୍ରକାଶିତ ପରୀକ୍ଷା ଫଳ ବିଭ୍ରାଟକୁ ନେଇ ଛାତ୍ର ଅଶାନ୍ତି ଦେଖା ଦେଇଥିବା ବେଳେ ଏହାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ।
ଯୁକ୍ତ ତିନି ଦ୍ୱିତୀୟ ବର୍ଷର ତୃତୀୟ ସେମିଷ୍ଟାର ପରୀକ୍ଷା ଫଳରେ ଜିଲ୍ଲାର ଅନେକ ମହାବିଦ୍ୟାଳୟର ପ୍ରାୟତଃ ୯୦ ପ୍ରତିଶତ ଛାତ୍ରଛାତ୍ରୀ ଇଂରାଜୀ ବିଷୟରେ ଅକୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ କହିବା ମୁତାବକ ଉକ୍ତ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇନଥିଲା । କଲେଜ କର୍ତ୍ତୃପକ୍ଷଙ୍କୁ ଏ ନେଇ ଜଣାଇବାରୁ ସେ ଗ୍ରେସ୍ ମାର୍କ ପ୍ରଦାନ କରାଯିବ ବୋଲି କହିଥିଲେ । ମାତ୍ର ପରୀକ୍ଷା ଫଳ ପ୍ରକାଶ ହେବା ପରେ କୌଣସି ଗ୍ରେସ୍ ନମ୍ବର ଦିଆଯାଇନଥିବାରୁ ପିଲାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତ୍ରୁଟିପୂର୍ଣ୍ଣ ମାର୍କିଂରେ ସୁଧାର ସମେତ ଗ୍ରେସ ନମ୍ବର ଦେଇ ପାସ୍ କରାଯିବାକୁ ଛାତ୍ରଛାତ୍ରୀ ଭାରପ୍ରାପ୍ତ କୁଳପତିଙ୍କ ନିକଟରେ ଦାବି କରିଛନ୍ତି । ସେପଟେ ଏହାର ସମାଧାନ ନେଇ ଯାଞ୍ଚ କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ମିଳିଛି । ଏହାର ସମାଧାନ ନହେଲେ ପୁନଃ ଆନେ୍ଦାଳନ କରାଯିବ ବୋଲି ଶ୍ରୀମା ମହିଳା ମହାବିଦ୍ୟାଳୟର ଜ୍ୟୋତିର୍ମୟୀ ପାଣ୍ଡେ, ସରକାରୀ ମହିଳା ମହାବିଦ୍ୟାଳୟ ଡଲିରାଣୀ ଗିରି, ଦେବସ୍ମିତା ବେହେରାଙ୍କ ସମେତ ଅନ୍ୟମାନେ ଚେତେଇ ଦେଇଛନ୍ତି ।