ଏଲ୍ଏସିରେ ସଂଘର୍ଷ
ଅରୁଣାଚଳରେ ‘ଗଲୱାନ ପାର୍ଟ-୨’
ତୱାଙ୍ଗ, ୧୨ା୧୨: ଲଦାଖର ଗଲୱାନ ଘାଟି ଭଳି ଅରୁଣାଚଳରେ ଚୀନା ସୈନିକମାନେ ଅନୁପ୍ରବେଶ ଉଦ୍ୟମ କରିବାରୁ ମୁହାଁମୁହିଁ ସଂଘର୍ଷ ଘଟି ୩୦ ଯବାନ ଆହତ ହୋଇଛନ୍ତି । ଏହି ସଂଘର୍ଷରେ ଚୀନା ଫୌଜର ଅଧିକ କ୍ଷତି ହୋଇଛି । ୬ଜଣ ଭାରତୀୟ ଯବାନ ଆହତ ହୋଇଥିବାବେଳେ ଚୀନ୍ ପକ୍ଷର ୨୪ଜଣ ଜଖମ ହୋଇଛନ୍ତି । ଆହତ ଭାରତୀୟ ଯବାନମାନଙ୍କୁ ଗୁଆହାଟୀ ଆଣି ଚିକିତ୍ସା କରାଯାଉଛି ।
ବିଳମ୍ବରେ ମିଳିଥିବା ରିପୋର୍ଟ ଅନୁଯାୟୀ ଏ ସଂଘର୍ଷ ଗତ ୯ ତାରିଖ ରାତିରେ ତୱାଙ୍ଗ ସେକ୍ଟରର
୧୭ହଜାର ଫୁଟ ଉଚ୍ଚସ୍ଥିତ ୟଙ୍ଗଷ୍ଟେଠାରେ ହୋଇଥିଲା । ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ୩୦୦ ସୈନିକ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ ଉଦ୍ୟମ କରିବାରୁ ଭାରତୀୟ ଯବାନମାନେ ଦୃଢ ବିରୋଧ କରିଥିଲେ । ଫଳରେ ଦୁଇ ପକ୍ଷର ଯବାନମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ।
ଏହି ଘଟଣା ପରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ପରେ ଉଭୟ ପକ୍ଷର ଯବାନ ସେଠାରୁ ହଟଆସିଥିଲେ । ଉଲ୍ଲେଖଯୋଗ୍ୟ ଯେ ତୱାଙ୍ଗ ସେକ୍ଟରର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ସଂଲଗ୍ନ କେତେକ ଇଲାକାକୁ ଭାରତ ଓ ଚୀନ୍ ୨୦୦୬ ମସିହାରୁ ନିଜ ଇଲାକା ଦାବି ଆରିଆସୁଛନ୍ତି । ସେହି ସମୟରୁ ସେଠାରେ ଉତ୍ତେଜନା ଲାଗି ରହିଛି । ଗତବର୍ଷ ଚୀନ୍ ଅରୁଣାଚଳ ପ୍ରଦେଶ ସୀମା ନିକଟବର୍ତ୍ତୀ ୧୫ଟି ସ୍ଥାନର ନାମ ବଦଳାଇ ଇତିହାସ ଦୃଷ୍ଟିକୋଣରୁ ସେଗୁଡିକ ତାର ବୋଲି ଦାବି କରିଥିଲା । କେବଳ ସେତିକି ନୁହେଁ, ତିବ୍ବତର ଦକ୍ଷିଣାଞ୍ଚଳକୁ ନିଜ ଇଲାକା ବୋଲି ଚୀନା କର୍ତ୍ତୃପକ୍ଷ ଦାବି କରି ଆସୁଛନ୍ତି । ଚୀନ୍ର ଅଭିଯୋଗ ଯେ ଭାରତ ଦକ୍ଷିଣ ତିବ୍ବତୀୟ ଇଲାକା କବ୍ଜା କରି ଅରୁଣାଚଳ ପ୍ରଦେଶ ଗଠନ କରିଛି ।
୯ତାରିଖ ରାତିର ସଂଘର୍ଷ ନେଇ କଂଗ୍ରେସ ଉଦ୍ବେଗ ପ୍ରକାଶ କରିଛି । ଏହି ଘଟଣାର ଦୃଢ ଜବାବ ଦେବା ଲାଗି ଦଳ ପକ୍ଷରୁ ସରକାରଙ୍କୁ କୁହାଯାଇଛି ।