ଶପଥ ନେଲେ ସୁଖବିନ୍ଦର
ଶିମ୍ଲା (ଏଜେନ୍ସି): ହିମାଚଳପ୍ରଦେଶର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ୫୮ ବର୍ଷୀୟ ସୁଖବିନ୍ଦର ସିଂହ ସୁଖୁ ରବିବାର ଶପଥ ନେଇଛନ୍ତି । ଶିମ୍ଲାର ରିଜ୍ ମୈଦାନରେ ଆୟୋଜିତ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ତାଙ୍କୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶପଥ ଗ୍ରହଣ କରାଇଛନ୍ତି । ଏତଦ୍ବ୍ୟତୀତ ମୁକେଶ ଅଗ୍ନିହୋତ୍ରୀ ରାଜ୍ୟର ପ୍ରଥମ ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂହଙ୍କ ସମେତ ନବ ନିର୍ବାଚିତ ବିଧାୟକ ଏବଂ କଂଗ୍ରେସର ବହୁ ବରିଷ୍ଠ ନେତା ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ଶପଥ ଗ୍ରହଣ ଶେଷ ହେବା ପରେ ସୁଖୁଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ହିମାଚଳ ପ୍ରଦେଶବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ଦିଗରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି । ମୁଖ୍ୟତଃ ରାଜ୍ୟରେ ପୁରୁଣା ପେନ୍ସନ୍ ପ୍ରକ୍ରିୟା (ଓପିଏସ୍)କୁ ଲାଗୁ କରିବାକୁ ଏବଂ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଭଳି ଦୁଇଟି ଦାବିକୁ କ୍ୟାବିନେଟ୍ ଗଠନର ପ୍ରଥମ ସପ୍ତାହରେ ହିଁ କାର୍ଯ୍ୟକାରୀ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୁଖୁ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ରାଜ୍ୟବାସୀଙ୍କୁ କଂଗ୍ରେସ ପକ୍ଷରୁ ୧ଠଟି ଗ୍ୟାରେଣ୍ଟି ଦିଆଯାଇଥିଲା । ଏବେ ଏସବୁକୁ କାର୍ଯ୍ୟକାରୀ କରିବା ଦିଗରେ ସରକାରଙ୍କ ପ୍ରାଥମିକତା ରହିବ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁଖୁଙ୍କୁ ନୂଆ ଦାୟିତ୍ୱ ପାଇଁ ଶୁଭକାମନା ଜଣାଇଛନ୍ତି । ହିମାଚଳର ବିକାଶ ପାଇଁ କେନ୍ଦ୍ରର ସମସ୍ତ ସମ୍ଭାବ୍ୟ ସହଯୋଗକୁ ମୋଦି ନିଶ୍ଚିତ କରିଛନ୍ତି । ପ୍ରକାଶ, ଚଳିତଥର ବିଧାନସଭା ନିର୍ବାଚନରେ କଂଗ୍ରେସ ମୋଟ୍ ୬୮ ଆସନ ମଧ୍ୟରୁ ୪ଠଟିରେ ବିଜୟୀ ହୋଇଛି ।