ପଦ୍ମପୁର ଡିଲ୍: ଥମୁନି କଂଗ୍ରେସ କଳି
ଭୁବନେଶ୍ୱର, ୧୧ା୧୨ (ବୁ୍ୟରୋ): ତୁଟୁନି କଂଗ୍ରେସ କନ୍ଦଳ । କିଛି ଦିନ ତଳେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃତ୍ୱଙ୍କ ନିର୍ବାଚନ ପରିଚାଳନାକୁ ନେଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍, ତାରାପ୍ରସାଦ ବାହିନୀପତି ଏବଂ ବିଧାୟକ ସୁର ରାଉତରାୟ ଆକ୍ଷେପ ଉଠାଇଥିବାବେଳେ ରବିବାର ପୁଣି ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୁର ରାଉତରାୟ । ପଦ୍ମପୁର ଉପ-ନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଥିଲା ବୋଲି ଶନିବାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଥିଲେ । ରବିବାର ବିଧାୟକ ଶ୍ରୀ ରାୟଉରାୟ ଏହି କଥାକୁ ପୁଷ୍ଟି କରିବା ସହ ଏହା ସତ୍ୟ ବୋଲି କହିଛନ୍ତି । ଆମ ଦଳ ଲୋକ ଡିଲ୍ କରିଛନ୍ତି, ହେଲେ ପିସିସି ସଭାପତିଙ୍କ ଏଥିରେ ସମ୍ପୃକ୍ତି ନ ଥିବା ସେ କହିଛନ୍ତି ।
ବିରୋଧୀ ବିଜେପି ଓ ନିଜ ଦଳର କିଛି ନେତାଙ୍କ ଏଭଳି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ଯେ ଯଦି ଏନେଇ କେହି ପ୍ରମାଣ ଦେବେ, ତା’ହେଲେ ସେ ସବୁ ଦିନ ପାଇଁ ରାଜନୀତି ଛାଡ଼ି ଦେବେ ବୋଲି କହିଛନ୍ତି । ତେବେ ରାଜ୍ୟରେ କଂଗ୍ରେସର ଏବେ ସ୍ଥିତି ଦୟନୀୟ ପାଲଟିଥିବାବେଳେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ତାଙ୍କ ଅନୁପସ୍ଥିତିରେ ପଦ୍ମପୁରକୁ ନେଇ ରାଜନୈତିକ ବୟାନବାଜି ଚାଲିଥିବାରୁ ସେ ଏହାର ଦୃଢ଼ ନିନ୍ଦା କରିଛନ୍ତି । ଯଦି କିଛି ପ୍ରମାଣ ଅଛି, ତା’ହେଲେ ମୋତେ ଦେଖାନ୍ତୁ । ଯଦି ମୁଁ ନବୀନ ପଟ୍ଟନାୟକ କିମ୍ବା ଅନ୍ୟ କୌଣସି ବିଜେଡି ନେତାଙ୍କ ସହ କଥା ହୋଇଥାଏ ଅବା କୌଣସି ପ୍ରକାର ଡିଲ୍ ହୋଇଥାଏ ବୋଲି ସେମାନେ ପ୍ରମାଣ ଦିଅନ୍ତି, ତା’ହେଲେ ମୁଁ ସବୁ ଦିନ ପାଇଁ ରାଜନୀତି ଛାଡ଼ିଦେବି । ଯଦି ପ୍ରମାଣ ନାହିଁ, ତା’ହେଲେ ମିଥ୍ୟା କଥା କହି ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । କେବଳ ପଦ୍ମପୁର ନୁହେଁ, ଆମେ ଏହା ପୂର୍ବରୁ ବି ଆଉ ୫/୭ ନିର୍ବାଚନରେ ଏଭଳି ରେଜଲ୍ଟ ଦେଖିଛୁ । ତେଣୁ ପରବର୍ତ୍ତୀ ସମୟରେ ରଣନୀତି ପରିବର୍ତ୍ତନ କରାଯିବ ବୋଲି ଶରତ କହିଛନ୍ତି । ବିଜେଡି ସହ ଡିଲ୍ ନେଇ ମିଡିଆ ଆଗରେ କୌଣସି ମନ୍ତବ୍ୟ ନ ଦେବାକୁ ପିସିସି ସଭାପତି ତାଙ୍କ ଦଳୀୟ ନେତାଙ୍କୁ ଅନୁରୋଧ କରିଛନ୍ତି । ଏ ନେଇ ପ୍ରମାଣ ଥିଲେ ତାଙ୍କ ପାଖକୁ ଅବା ହାଇକମାଣ୍ଡଙ୍କ ପାଖକୁ ଯିବାକୁ ସେ ଅନୁରୋଧ କରିଛନ୍ତି । ଦଳ ଭିତରର କଥା ଦଳ ଭିତରେ ରହିବା ଉଚିତ ବୋଲି ସେ କହିଛନ୍ତି । ପଦ୍ମପୁରରେ ଦଳ ପାଇଁ ପ୍ରଚାର କରିଥିବା ସମସ୍ତ ନେତାଙ୍କୁ ଧନ୍ୟବାଦ ଦେବା ସହି କଂଗ୍ରେସର ୯ରୁ ୯୦ ଆସନ ସ୍ୱପ୍ନ ନିଶ୍ଚୟ ପୂରା ହେବ ବୋଲି କହିଛନ୍ତି ।
ସେପଟେ ବିଧାୟକ ଶ୍ରୀ ରାଉତରାୟଙ୍କ ମତରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦେହାନ୍ତ ପରେ ଏ ଯେତେ ସଭାପତି ହୋଇଛନ୍ତି, ଏବେ ଆମର ମୁଣ୍ଡି ବୋଲି ଯେତେ ନେତା ପରିଚୟ ଦେଉଛନ୍ତି, ଯେଉଁମାନେ କଂଗ୍ରେସକୁ ଉପଭୋଗ କରିଛନ୍ତି ଓ କଂଗ୍ରେସ ଜରିଆରେ ଅର୍ଥ ଉପାର୍ଜନ କରିଛନ୍ତି, ସେମାନେ କଂଗ୍ରେସକୁ ହରାଉଛନ୍ତି ବୋଲି କହିଛନ୍ତି । ଯେତେ ବିଶିଷ୍ଟ ନେତା ପଦ୍ମପୁର ଯାଇଥିଲେ, ସେମାନେ ସମସ୍ତେ କଂଗ୍ରେସକୁ ହରେଇବାକୁ ଯାଇଥିଲେ । ସେମାନେ ଦଳକୁ ଜିତାଇବାକୁ ଯାଇ ନଥିଲେ । ପଡ଼ୁ ନଥିବା ନେତାଙ୍କୁ ବି ସେଠାରେ ଏକାଠି ଦେଖିବାକୁ ମିଳିଥିଲା । ସେମାନେ ଗୋଟିଏ ହୋଟେଲ୍ରେ ଗୋଟିଏ ରୁମ୍ରେ ରହିଥିଲେ । ଏକାଠି ଆମ୍ଲେଟ୍ ଓ ଦେଶୀ ଚିକେନ୍ ଖାଇଥିଲେ । ପିସିସି ସଭାପତି କିଛି ଜାଣି ପାରୁ ନାହାନ୍ତି । ସେ ଜଣେ ନିରୀହ ଲୋକ । ତାଙ୍କୁ କେତେ ଜଣ ସଖୀ କଣ୍ଢେଇ କରି ଦେଇଛନ୍ତି । ଯେଉଁ ଲୋକ ଗୁଡ଼ିକ କଳଙ୍କିତ, ଯେଉଁମାନଙ୍କୁ ସମାଜ ଘୃଣା କରୁଛି ଓ ଯେଉଁମାନେ ଦଲାଲି କରୁଛନ୍ତି, ସେଇ ଲୋକମାନେ ଓଡ଼ିଶା ଯୋଡ଼ ଯାତ୍ରାରେ ହିରୋ ସାଜିଛନ୍ତି । ସେମାନେ ଓଡ଼ିଶା ଯୋଡ଼ ଯାତ୍ରା ପାଇଁ ରୁଟ୍ ବାଛିଛନ୍ତି । ସେମାନେ ଏବେ କଂଗ୍ରେସକୁ ଜିତେଇ ଦେବା ପାଇଁ ଆଣ୍ଠେଇ ପଡୁଛନ୍ତି । ମୁଁ ସୋନିଆ ଗାନ୍ଧିଙ୍କୁ ରିପୋର୍ଟ ଦେବି । ଯଦି ଶରତ ପଟ୍ଟନାୟକଙ୍କୁ ଉପଯୁକ୍ତ କ୍ଷମତା ଦିଆଯିବ, ତା’ହେଲେ ରାଜ୍ୟରେ କଂଗ୍ରେସ ବଢ଼ିଆ କରିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।