ସାମ୍ବାଦିକଙ୍କୁ ହତ୍ୟା ଉଦ୍ୟମ
ଅସୁରକ୍ଷିତ ଅର୍କକ୍ଷେତ୍ର
ପୁରୀ (ବୁ୍ୟରୋ): ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ କୋଣାର୍କ ଏବେ ଅସୁରକ୍ଷିତ । ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ବିପଦରେ । ଯେଉଁ ସ୍ଥାନରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା କିଭଳି ସୁରକ୍ଷିତ ରହିବେ ତାହା ସହଜେ ଅନୁମେୟ । ଏପରିକି ଦିନଦ୍ୱିପ୍ରହରରେ ସର୍ବସମ୍ମୁଖରେ ଲୋକାରାଣ୍ୟ ଅଞ୍ଚଳରେ ଖୁଲମ୍ଖୁଲା ହତ୍ୟା କରିବା ଲାଗି ଉଦ୍ୟମ କରୁଛନ୍ତି ଦୁର୍ବୃତ୍ତ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରବିବାର । ଖବର ସଂଗ୍ରହ ପାଇଁ କୋଣାର୍କର ଗଣମାଧ୍ୟମ ପ୍ରତିନିଧିମାନେ ପୂର୍ବାହ୍ନରେ ସୂର୍ଯ୍ୟମନ୍ଦିର ସମ୍ମୁଖକୁ ଯାଇଥିଲେ । ଏହି ସମୟରେ ପର୍ଯ୍ୟଟକଙ୍କ ସମ୍ମୁଖରେ ରଞ୍ଜୁ ଲେଙ୍କା ନାମକ ଜଣେ ଦୁର୍ବୃତ୍ତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଦୁଇଜଣ ସାମ୍ବାଦିକଙ୍କୁ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା ।
ତାଙ୍କ ସହିତ ଥିବା ଅନ୍ୟଜଣେ ରାଜା ପ୍ରଧାନ ନାମକ ଯୁବକ ମଧ୍ୟ ଗାଳିଗୁଲଜ କରିବା ସହିତ ଜୀବନରୁ ଉଡ଼ାଇଦେବାକୁ ଧମକ ଦେଉଥିଲା । ଏଭଳି ସ୍ଥିତିରେ ରଞ୍ଜୁ ଏକ ଛୁରୀ ଆଣି ସ୍ଥାନୀୟ ‘ଧରିତ୍ରୀ’ ପ୍ରତିନିଧି ଜ୍ୟୋତିରାଜ ମହାନ୍ତିଙ୍କ ପେଟରେ ଲଗାଇ ହତ୍ୟା ଉଦ୍ୟମ କରୁଥିଲା । ଏହି ସମୟରେ ଅନ୍ୟ ସାମ୍ବାଦିକମାନେ ଜ୍ୟୋତିରାଜଙ୍କୁ ଟାଣି ନେବାରୁ ଏକ ବଡ଼ ଅଘଟଣରୁ ରକ୍ଷାପାଇ ଯାଇଥିଲେ । ତତ୍ସହିତ ସ୍ଥାନୀୟ ‘ସର୍ବସାଧାରଣ’ ପ୍ରତିନିଧି ଅବନୀ ଭୂଷଣ ବାରିକଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହିତ ଠେଲାପେଲା କରି ତାଙ୍କର ପ୍ରାଇଭେଟ୍ ପାର୍ଟକୁ ଗୋଇଠା ମାରିଥିଲେ । ଏହି ସମୟରେ ଘଟଣାସ୍ଥଳରେ ଥିବା ଶହଶହ ପର୍ଯ୍ୟଟକ ଭୟରେ ଦୌଡ଼ିବାକୁ ଲାଗିଥିଲେ । ଏ ସମ୍ପର୍କରେ ତତ୍କ୍ଷଣାତ୍ ଥାନାକୁ ଖବର ଦିଆଯାଇଥିଲେ ସୁଦ୍ଧା ଦୀର୍ଘ ସମୟ ଧରି ଥାନାର କୌଣସି କର୍ମଚାରୀ ଘଟଣାସ୍ଥଳକୁ ଆସି ନ ଥିଲେ । ଫଳରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଯାଇଥିଲେ ସୁଦ୍ଧା ପୁଲିସ ନ ପହଞ୍ଚିବା ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର୍ ଧରିଛି । ଏପରିକି ଥାନାଧିକାରୀ ଘଟଣା ସମ୍ପର୍କରେ ଅବଗତ ହେବା ଏବଂ କୌଣସି ଅଧିକାରୀଙ୍କୁ ନ ପଠାଇବା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ।
ଏ ସମ୍ପର୍କରେ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ସେ ବାହାରେ ଅଛନ୍ତି ବୋଲି କହିଥିଲେ । ଅତ୍ୟନ୍ତ ହାଲୁକା ଭାବେ କହିଥିଲେ ଲିଖିତ ଅଭିଯୋଗ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପକ୍ଷରେ ଘଟଣାସ୍ଥଳରେ ସୁରକ୍ଷା ନ ପାଇବା ଓ ଖବର ସଂଗ୍ରହ ନ କରି ସାମ୍ବାଦିକମାନେ ଭୟଭୀତ ହୋଇ ଘଟଣାସ୍ଥଳରୁ ପଳାଇ ଆସିଥିଲେ । ଏ ସମ୍ପର୍କରେ କୋଣାର୍କ ଥାନାରେ ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗର ୫ ଘଣ୍ଟା ପରେ ରଞ୍ଜୁ ଲେଙ୍କା ନାମକ ଦୁର୍ବୃତ୍ତ ପୁଣି ସାମ୍ବାଦିକଙ୍କ ଘର ସମ୍ମୁଖରେ ପରିବାର ଲୋକଙ୍କୁ ଗାଳିଗୁଲଜ କରୁଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚôଲା ବେଳକୁ ଫେରାର୍ ହୋଇଯାଇଥିଲା । ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ନ କଲେ ଥାନା ସମ୍ମୁଖରେ କୋଣାର୍କ ସାମ୍ବାଦିକ ମିଳିତ ମଞ୍ଚ ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।