ଚୋରି କରି ବନ୍ଧାହେଲେ ପ୍ରଯୋଜକ

ଭୁବନେଶ୍ୱର, ୧୧ା୧୨ (ବୁ୍ୟରୋ): ଟଙ୍କା ଅଭାବରୁ ଚୋରି କଲେ ଫିଲ୍ମ ପ୍ରଯୋଜକ । ଏକ ସିମେଣ୍ଟ ମିକ୍ସଚର ମେସିନ୍ ଚୋରି କରି ନେଇଗଲେ ପ୍ରଯୋଜକ । ଆଉ ଏହି ଚୋରି ସମୟର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛିୟ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହରର ଏ ଘଟଣା ଘଟିଥିବାବେଳେ ପ୍ରଜୋଜକ ଜଣକ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ।
ବନବିଭାଗ ଅଫିସ୍ ସାମନାରେ ରଖାଯାଇଥିବା ଏହି ମିକ୍ସଚର ମେସିନ୍କୁ ଚୋରି କରି ନେଇଥିଲେ ଫିଲ୍ମ ପ୍ରଯୋଜକ ସୀତାଂଶୁ ମହାନ୍ତି । ଏହି ମେସିନକୁ ଚୋରି କରି ଏକ କବାଡିବାଲାକୁ ବିକ୍ରି କରି ଦେଇଥିଲେ । ତେବେ ପୁଲିସର ତଦନ୍ତ ପରେ ଅଭିଯୁକ୍ତ ପ୍ରଯୋଜକଙ୍କ ସହ ଚୋରିରେ ସମ୍ପୃକ୍ତ କବାଡିବାଲାକୁ ଗିରଫ କରିଛି ଖଲ୍ଲିକୋଟ ପୁଲିସ୍ ।
ଖଲ୍ଲିକୋଟ କରଣ ସାହିରେ ଚାଲିଥିବା ରାସ୍ତାକାମରେ ବ୍ୟବହୃତ ହେଉଥିବା ଏହି ମିକ୍ଚର ମେସିନ୍ କାମ ସରିବା ପରେ ମେସିନ୍କୁ ବନବିଭାଗ ଅଫିସ୍ ସାମନାରେ ରଖିଥିଲେ ଠିକାଦାର । ଗତ ୬ ତାରିଖ ରାତିରେ ଏହି ମେସିନ୍ ଚୋରି ହୋଇଯାଇଥିଲା । ମେସିନ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ମେସିନର ମାଲିକ । ତଦନ୍ତବେଳେ ସିସିଟିଭିରୁ ଧରା ପଡିଥିଲା ଏହି ଚୋରି । ଏକ ଜିପ୍ ସହାୟତାରେ ଏହି ମେସିନ୍କୁ ଟାଣି ନେଉଥିବା ଦେଖିବାକୁ ମିଳିଥିଲା ।
ପ୍ରଥମେ ସିସିଟିଭି ଫୁଟେଜରେ ଥିବା ପୋଲସରା ଅଞ୍ଚଳର ପିକଅପ ଗାଡ଼ି ନମ୍ବର (ଓଡ଼ି୦୭ଏଚ୯୫୪୨)କୁ ଧରିଥିଲା ପୁଲିସ । ତାଠାରୁ ସମସ୍ତ ସୂଚନା ପାଇଥିଲା ପୁଲିସ । ସୂଚନା ଅନୁଯାୟୀ, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ମେହେନ୍ଦି ନଗର ଗ୍ରାମର ସୁତାଂଶୁ ମହାନ୍ତି ଜଣେ ଫିଲ୍ମ ପ୍ରଯୋଜକ । ଗୋଟିଏ ଫିଲ୍ମ ରିଲିଜ ହୋଇଥିବାବେଳେ ଆଉ ଗୋଟିଏ ଫିଲ୍ମ ଜେଜେ ନମ୍ବର-୧ ରିଲିଜ ଅପେକ୍ଷାରେ ରହିଛି । ସେଥିରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ସେ ଚୋରି ପନ୍ଥାକୁ ବାଛିଥିଲେ । ସେ ଭୁବନେଶ୍ୱରରୁ ଆସିକା ଟିକେଟ କରି ବସରେ ବସିଥିଲେ । ଖଲିକୋଟରେ ରାସ୍ତା କଡରେ ଥିବା ମିକ୍ସଚର ମେସିନକୁ ଦେଖିବା ପରେ ଏହାକୁ ଚୋରେଇ ନେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ସେ ବୁଢାମ୍ବର ଜଣେ ବ୍ୟକ୍ତିଙ୍କ ଜରିଆରେ ନିଜର ମିକ୍ସଚର ମେସିନକୁ ଭୁବନେଶ୍ୱର ନେବା ପାଇଁ ପୋଲସରାର ପିକଅପ ଗାଡ଼ିକୁ ଯୋଗାଯୋଗ କରିଥିଲେ । ତାଙ୍କ କଥାରେ ବିଶ୍ୱାସ କରି ପିକପ ଗାଡ଼ି ଖଲ୍ଲିକୋଟରୁ ମିକ୍ସଚର ମେସିନକୁ ଟାଣି ଭୁବନେଶ୍ୱର ମଞ୍ଚେଶ୍ୱର ନିକଟରେ ଥିବା ରାଜଧାନୀ କଣ୍ଟା ପାଖରେ ଛାଡିଥିଲେ ।
ଆବଶ୍ୟକ ଭଡା ଫୋନ ପେରେ ଦେଇଥିଲେ । ସେ ମଞ୍ଚେଶ୍ୱର ସ୍ଥିତ କେନାଲ ବନ୍ଧ ନିକଟରେ ଥିବା ଏକ କବାଡି ଖାନାରେ ମିକ୍ସଚର ମେସିନକୁ ବିକ୍ରି କରିଦେଇଥିଲେ ।
କବାଡ଼ି ଖାନାର ମାଲିକ ଉତ୍ତର ପ୍ରଦେଶ ମିର୍ଜାପୁର ଜିଲ୍ଲାର କୋଟୱାଲି ଥାନା ଅନ୍ତର୍ଗତ ସବରୀ ଗ୍ରାମର କିସାନ ଗୁପ୍ତା ଏହାକୁ କିଣିଥିବାରୁ ତାଙ୍କୁ ମଧ୍ୟ ଗିରଫ କରିଛି ପୁଲିସ । ଚୋରି ହେବାର ଥାନାରେ ଅଭିଯୋଗ ହେବା ପରେ ଥାନା ଏସଆଇ ଦେବାଶିଷ ମିଶ୍ର ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ସାମ୍ବାଦିକ ସମ୍ମିଳନୀ କରି ଆଇଆଇସି ଜଗନ୍ନାଥ ମଲ୍ଲିକ ସମସ୍ତ ସୂଚନା ଦେଇଛନ୍ତି । ପ୍ରଯୋଜକ ସୁତାଂଶୁ ଓ କବାଡିବାଲା କିସାନକୁ ପୁଲିସ ଗିରଫ କରିବା ସହ ଚୋରି ମିକ୍ସଚର ମେସିନକୁ ଉଦ୍ଧାର କରି ମାଲିକ ପ୍ରମୋଦ ସାହୁଙ୍କୁ ହସ୍ତାନ୍ତର କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *