ନାଗପୁରରେ ଗଡ଼ିଲା ବନେ୍ଦ ଭାରତ ଏକ୍ସପ୍ରେସ
ନାଗପୁର (ଏଜେନ୍ସି): ମହାରାଷ୍ଟ୍ରର ନାଗପୁର ଠାରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୭୫ହଜାର କୋଟି ଟଙ୍କା ବ୍ୟୟବରାଦିତ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ତଥା ଉଦ୍ଘାଟନ କରିଛନ୍ତି । ମୋଦି ନାଗପୁରରେ ପତାକା ଦେଖାଇ ୬ଷ୍ଠ ବନେ୍ଦ ଭାରତ ଏକ୍ସପ୍ରେସ୍ (ନାଗପୁରରୁ-ବିଳାସପୁର)ର ଉଦ୍ଘାଟନ କରିଥିବା ବେଳେ ଏଠାରେ ୧୫୭୫ କୋଟିରେ ନବନିର୍ମିତ ଏମ୍ସ ହସ୍ପିଟାଲକୁ ମଧ୍ୟ ଶୁଭାରମ୍ଭ କରିଛନ୍ତି । ସେହିପରି ନାଗପୁରରେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପକୁ ଉଦ୍ଘାଟନ କରିବା ସହ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏତଦ୍ବ୍ୟତୀତ ନାଗପୁରରେ ୧୫ଠଠ କୋଟି ଟଙ୍କାରୁ ଊଦ୍ଧ୍ୱର୍ ବ୍ୟୟବରାଦିତ ରେଳ ପ୍ରକଳ୍ପକୁ ମଧ୍ୟ ମୋଦି ଶୁଭାରମ୍ଭ କରିଛନ୍ତି । ନାଗପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ମୋଟ୍ ୭ଠଠ କିମି ଦୂରତା ବିଶିଷ୍ଟ ଏକ୍ସପ୍ରେସୱେ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ମୋଦି ଏହାକୁ ମଧ୍ୟ ଉଦ୍ଘାଟନ କରିଛନ୍ତି । ଏହି ମହାମାର୍ଗ ନାଗପୁର ଓ ଶିରିଡ଼ିକୁ ସଂଯୋଗ କରୁଛି । ୫୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଏକ୍ସପ୍ରେସୱେ ମହାରାଷ୍ଟ୍ରର ୧ଠଟି ଜିଲ୍ଲାକୁ ସଂଯୋଗ କରୁଛି । ଅମରାବତୀ, ଔରଙ୍ଗାବାଦ ଏବଂ ନାଶିକର ପ୍ରମୁଖ ସହରାଞ୍ଚଳ ଦେଇ ନିର୍ମାଣ ହେବାକୁ ଥିବା ଏହି ଏକ୍ସପ୍ରେସୱେ ଯୋଗୁ ଅନ୍ୟ ୧୪ଟି ଜିଲ୍ଲା ସହ ଯାତାୟତ ସହଜ ହୋଇପାରିବ । ଅର୍ଥାତ୍ ଏହି ଏକ୍ସପ୍ରେସୱେ ରାଜ୍ୟର ପ୍ରାୟ ୨୪ଟି ଜିଲ୍ଲାର ବିକାଶରେ ସହାୟକ ହେବ । ଏହି ଅବସରରେ ମୋଦି ନାଗପୁର ମେଟ୍ରୋ ଷ୍ଟେସନରୁ ଟିକଟ କିଣିବା ସହ ମେଟ୍ରୋ ଟ୍ରେନ୍ରେ କିଛି ଦୂର ଯାତ୍ରା କରିଥିଲେ । ମେଟ୍ରୋରେ ଥିବା ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହ ମୋଦି ବାର୍ତ୍ତାଳାପ କରିଥିଲେ । ପରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ମୋଦି, ବିରୋଧୀଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ଦେଶକୁ ସର୍ଟକଟ୍ ନୁହେଁ, ସ୍ଥାୟୀ ବିକାଶ ଦରକାର ବୋଲି ମୋଦି ବିରୋଧୀଙ୍କୁ ପରାମର୍ଶ ଦେଇଥିଲେ । ମୋଦିଙ୍କୁ ସ୍ୱାଗତ ପାଇଁ ଢ଼ୋଲ ତଥା ଅନ୍ୟ ବାଜାର ବ୍ୟବସ୍ଥା କରାଯାଇଥିବା ବେଳେ ମୋଦି ନିଜେ କିଛି ସମୟ ପାଇଁ ଢ଼ୋଲ ବଜାଇବାର ମଜା ନେଇଥିଲେ । ଅନ୍ୟ ଏକ ରିପୋର୍ଟ ଅନୁସାରେ ମୋଦି ରବିବାର ଅପରାହ୍ନରେ ଗୋଆ ଗସ୍ତ କରିବା ସହ ସେଠାରେ ୩ଟି ଜାତୀୟ ଆୟୁଷ ଅନୁଷ୍ଠାନର ଉଦ୍ଘାଟନ କରିଛନ୍ତି । ଏଥିମଧ୍ୟରେ ଏଆଇଆଇଏ (ଅଲ ଇଣ୍ଡିଆ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଆୟୁର୍ବେଦ୍) ମଧ୍ୟ ସାମିଲ ରହିଛି ।