କାର୍ ସହ କୂଅରୁ ୪ ଶବ ଉଦ୍ଧାର
ଉମରକୋଟ, ୧୨ ।୧୨ (ଆପ୍ର): ବାହାଘର ଭୋଜି ଖାଇବାକୁ ଯାଇ ଛତିଶଗଡ଼ରେ ନିଖୋଜ ଥିବା ୪ ଓଡ଼ିଆଙ୍କର ମୃତଦେହ ଆଜି ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁପରଭାଇଜର ସପନ ସରକାର, ତାଙ୍କ ପତ୍ନୀ ଓ ଦୁଇଜଣ ସମ୍ପର୍କୀୟଙ୍କ ଶନିବାର ରାତିରେ ବିବାହ ଭୋଜି ଖାଇ ଛତିଶଗଡ଼ ଅଞ୍ଚଳର କାଙ୍କେରରୁ ଫେରିଥିଲେ । ସପନ ନିଜେ କାର୍ ଡ୍ରାଇଭ୍ କରୁଥିଲେ । ହେଲେ ତାଙ୍କର କୌଣସି ଖୋଜ୍ ଖବର ମିଳିପାରି ନଥିଲା । ତାଙ୍କୁ ଅପହରଣ କରାଯାଇଛି ବୋଲି ଥାନାରେ ଅଭିଯୋଗ ହୋଇଥିଲା । ହେଲେ ତାଙ୍କର ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେବା ସହ ସମସ୍ତ ୪ ଜଣଙ୍କର ମୃତୁ୍ୟ ଘଟିଥିବା ଆଜି ପୁଲିସ ସୂଚନା ଦେଇଛି । ଛତିଶଗଡ଼ ପୁଲିସ ଏହି ଘଟଣା ଉପରେ ପରଦା ହଟାଇଛି ।
ପୁଲିସ ଅନୁସନ୍ଧାନ କରୁଥିବା ବେଳେ ରାସ୍ତାକଡ଼ରେ ଏକ ଖଜୁରି ଗଛ ଭାଙ୍ଗି ଯାଇଥିବାରୁ ସେଠାରେ ପୁଲିସ ଖୋଜାଖୋଜି କରିଥିଲା । ସେହି ଖଜୁରୀ ଗଛ ନିକଟରେ ଏକ କୁଅ ରହିଥିଲା । ପୁଲିସ୍ର ସନେ୍ଦହ ହୋଇଥିଲା । ତେଣୁ ସେମାନେ ସେଠାରେ ଖୋଜାଖୋଜି କରିବା ପରେ ଖଜୁରୀ ଗଛ ନିକଟରେ ଏକ ଧାନ ବିଲରେ ଥିବା ପରିତ୍ୟକ୍ତ କୂଅରେ କାର୍ଟିଏ ବୁଡ଼ି ରହିିଥିବା ଦେଖିବାକୁ ପାଇଥିଲେ । ଏହାସହ ଏକ ବ୍ୟାଗରେ ସପନଙ୍କ ଡ୍ରେସ ଓ ମେଡିସିନ୍ ମିଳିଥିଲା । ପରେ କ୍ରେନ୍ ସାହାଯ୍ୟରେ ପୁଲିସ୍ କାର୍ଟିକୁ କୂଅରୁ ବାହାର କରିଥିଲା । କାର୍ ଭିତରୁ ସପନ ସରକାର ଓ ଅନ୍ୟ ତିନି ଜଣଙ୍କ ମୃତଦେହ ମିଳିଥିଲା । ଏହି ଦୁର୍ଘଟଣା କାଙ୍କେର ଠାରୁ ପ୍ରାୟ ୮ କିଲୋମିଟର ଦୂର ୩୦ ନମ୍ବର ଜାତୀୟ ରାଜପଥ କଡ଼ରେ ଘଟିଥିଲା । ପୁଲିସ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ପରିତ୍ୟକ୍ତ କୂଅରୁ ଚାରି ନିଖୋଜଙ୍କର ମୃତଦେହ ସହ ଦୁର୍ଘଟଣାଗ୍ରସ୍ତ କାର୍ ଉଦ୍ଧାର ହୋଇଛି ।
ସୂଚନା ଅନୁଯାୟୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟର ସୁପରଭାଇଜର୍ ସପନ ସରକାର ଓ ତାଙ୍କ ପତ୍ନୀ ରୀତା ସରକାର, ଶଳା ବିଶ୍ୱ ଅଧିକାରି ଓ ବିଶୁଙ୍କ ପୋଡଶି ହଜାରୀ ଢାଲିଙ୍କ ସହିତ ନିଜ ମାରୁତି କାର ନମ୍ବର ଓଡି-୦୪-ସି ୧୭୦୫ ଯୋଗେ ଏକ ବିବାହ ଭୋଜୀରେ ଯୋଗ ଦେବାକୁ ଶନିବାର ସନ୍ଧ୍ୟାରେ ଛତିଶଗଡର କାଙ୍କରକୁ ଯାଇଥିଲେ । ସେଠାରେ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ରାତି ପ୍ରାୟ ୯ଟା ସମୟରେ ସେଠାରୁ କଣ୍ଡାଗାଁ ଅଭିମୁଖେ ବାହାରି ଥିଲେ । କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ କଣ୍ଡାଗାଁ ନ ପହଞ୍ଚôବାରୁ ସମସ୍ତେ ବ୍ୟତିବ୍ୟସ୍ତ ହୋଇଥିଲେ । ସପନ ସରକାରଙ୍କ ଓ ରୀତା ସରକାରଙ୍କ ଫୋନ ସୁଇଚ୍ଅଫ୍ ରହିଥିବାରୁ ସମସ୍ତଙ୍କ ମନରେ ସନେ୍ଦହ ସୃଷ୍ଟି ହୋଇଥିଲା । ପୁଅ ଆଜି ସକାଳୁ ଉମରକୋଟରୁ ବାହାରି ବାଟସାରା ଅନୁଧ୍ୟାନ କରି କାଙ୍କେର ପହଞ୍ଚି ଥିବାବେଳେ କଣ୍ଡାଗାଁରୁ ମଧ୍ୟ ସମ୍ପର୍କୀୟ ମାନେ ମଧ୍ୟ କାଙ୍କେର ପର୍ଯ୍ୟନ୍ତ ଖୋଜା ଖୋଜି କରି ବିଫଳ ହେବା ପରେ ପୁଅ ନବଜିତ୍ କାଙ୍କେର ଥାନାରେ ଲିଖିତ ଅଭିଯୋଗ ପରେ ନିଖୋଜ ମାମଲା ଋଜ୍ଜୁ ହୋଇଥିଲା । ସପନ ସରକାରଙ୍କ ମୋବାଇଲ ଟ୍ରାକ କରାଯିବା ପରେ କାଙ୍କେର ଠାରୁ ମାତ୍ର ୪ କିଲୋମିଟର ପରଠାରୁ ସୁଇଚ୍ଅଫ୍ ଦେଖାଉଥିବା କାଙ୍କେର୍ ପୁଲିସ ପ୍ରକାଶ କରିଥିଲା । ଏ ନେଇ କାଙ୍କେର ଡିଏସ୍ପି ତଦନ୍ତ ଚଳାଇଥିବା ବେଳେ ଘଟଣାର ୨୪ ଘଣ୍ଟା ପରେ ଏକ ପରିତ୍ୟକ୍ତ କୂପ ଭିତରୁ କାର୍ଟି ପଡିଯାଇଥିବାରୁ ସମସ୍ତଙ୍କର ମୃତୁ୍ୟ ହୋଇଥିବା ଜଣାପଡ଼ିଥିଲା । ସପନଙ୍କ କାର୍କୁ କୌଣସି ଭାରିଯାନ ଧକ୍କା ଦେବା ଯୋଗୁ ତାହା ଖଜୁରୀ ଗଛରେ ପିଟି ହୋଇ ପରିତ୍ୟକ୍ତ କୂଅରେ ପଶିଯାଇଥିବା ପୁଲିସ ସନେ୍ଦହ କରୁଛି । ଘଟଣାସ୍ଥଳ ନିକଟରେ ଏକ ପେଟ୍ରୋଲ ଟାଙ୍କି ରହିଛି । ସେଠାରେ ଲାଗିଥିବା ସିସିଟିଭି ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି ।