ଶପଥ ନେଲେ ବର୍ଷା
ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୋମବାର ୧-ପଦମ୍ପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହାଙ୍କୁ ବିଧାୟିକା ଭାବେ ଶପଥ ଗ୍ରହଣ କରାଇଛନ୍ତି । ପ୍ରକାଶଯୋଗ୍ୟ, ବରଗଡ଼ ଜିଲ୍ଲା ୧-ପଦମ୍ପୁର ନିର୍ବାଚନ ମଣ୍ଡଳୀର ଆସୀନ ସଦସ୍ୟ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ଯୋଗୁଁ ଏହି ଆସନ ଖାଲି ରହିଥିଲା । ଚଳିତ ମାସ ୫ ତାରିଖ ଦିନ ଏହି ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ଶ୍ରୀମତୀ ବରିହା ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।
ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ସୁଶାନ୍ତ ସିଂ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ବିଧାନସଭାର ଅନ୍ୟ ପଦାଧିକାରୀଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।