ପ୍ରତିବାଦରେ ପୌର କାର୍ଯ୍ୟାଳୟ ଘେରାଉ
ମଶା ବଂଶବୃଦ୍ଧି ନେଇ ଅତିଷ୍ଠ ସ୍ଥାନୀୟ ବାସିନ୍ଦା
ପୁରୀ (ବୁ୍ୟରୋ): ପୁରୀ ସହରରେ ମଶା ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୁରୀ ପୌରପାଳିକା ଏଥିପ୍ରତି ଧ୍ୟାନ ଦେଉନାହିଁ କି କୌଣସି ପ୍ରତିକାର କରୁନାହିଁ । ସୋମବାର ଅପରାହ୍ଣ ୪ଟାରେ ପୁରୀ ପୌରପାଳିକା ଅଫିସ୍ ସମ୍ମୁଖରେ ଆପ୍ ତରଫରୁ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରାଯାଇଛି । ଆପ୍ର ସଦସ୍ୟ ମଶାରି ଘୋଡ଼ି ହୋଇ ପୌରପାଳିକା ଅଫିସ୍ ସମ୍ମୁଖରେ ଏକ ଅଭିନବ ପ୍ରୟାସରେ ପ୍ରତିବାଦ କରିଛନ୍ତି । ପୁରୀ ପୌରପାଳିକା ସହର ସଫାସୁତୁରା ରଖିବାରେ ବିଫଳ ହେଇଥିବାରୁ ମଶା ସଂଖ୍ୟା ବଢୁଛି ଏବଂ ମଶା କମ୍ କରିବାକୁ କୌଣସି ପଦକ୍ଷେପ ପୌରପାଳିକା ନେଉନାହାନ୍ତି ବୋଲି ଜିଲ୍ଲା ସମ୍ପାଦକ ସତ୍ୟଜିତ୍ ମହାନ୍ତି କହିଛନ୍ତି । ପୁରୀ ପୌରପାଳିକା ସ୍ୱଚ୍ଛତା ପାଇଁ ପୁରସ୍କାର ପାଇଥିଲେ ମଧ୍ୟ ଏହା କେବଳ କାଗଜ କଲମରେ ସୀମିତ ବୋଲି ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି କହିଛନ୍ତି ।
ପୁରୀ ସହରରେ ଅନେକ ନାଳ ମୁକୁଳା ପଡ଼ିଥିବା ବେଳେ ପୌରପାଳିକା ବର୍ଷକୁ ଥରେ ରଥଯାତ୍ରା ସମୟରେ ନାଳ ସଫା କରି ନିଜ ଦାୟିତ୍ୱରୁ ଓହରିଯାଉଛି ବୋଲି ଆପ୍ ସଦସ୍ୟ ଅଭିଯୋଗ କରିଛନ୍ତି । ଆଗକୁ ଯଦି ପୁରୀର ମଶା ସମସ୍ୟାକୁ ଦୂର କରିବା ପାଇଁ ପୁରୀ ପୌରପାଳିକା ଉଚିତ୍ ପଦକ୍ଷେପ ନ ନିଏ ତେବେ ଆଜି ଯେଉଁ ପ୍ରତିବାଦ ପୌରପାଳିକା ସମ୍ମୁଖରେ ହେଉଛି ତାହା ଅଫିସର୍ଙ୍କ ଅଫିସ୍ ସମ୍ମୁଖରେ କରିବେ ବୋଲି ଆପ୍ ସଦସ୍ୟ ଚେତେଇ ଦେଇଛନ୍ତି । ସେପଟେ ପୌରପାଳିକା ନିର୍ବାଚନ ହୋଇ ନ ଥିବାରୁ ସରକାରୀ ଅଫିସର୍ମାନେ ମନମୁଖୀ କାର୍ଯ୍ୟ ସହ ଦୁର୍ନୀତିର ଗନ୍ଧ ଆସୁଛି ବୋଲି ଜିଲ୍ଲା ସୋସିଆଲ ମିଡିଆ ଅଧ୍ୟକ୍ଷ ସମୀର ସାମନ୍ତରାୟ କହିଛନ୍ତି । ପୌରପାଳିକାର ଫେବର୍ ବ୍ଲକ୍ ଦୁର୍ନୀତି ପରେ ମଶା ପାଇଁ ମଧ୍ୟ ସବୁ ବର୍ଷ ଦୁର୍ନୀତି ହେଉଛି ବୋଲି ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ କହିଛନ୍ତି ।
କାର୍ଯ୍ୟକ୍ରମ ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି, ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ, ଆପ୍ ପୌରପାଳିକା ସଭାପତି ଅନିଲ କୁମାର ସେନାପତି, ଆପ୍ ପୌରପାଳିକା ଯୁବ ସଭାପତି ରାକେଶ ନନ୍ଦ, ପୁରୀ ପୌରପାଳିକା ଜୋନ୍ ସଭାନେତ୍ରୀ ଜୟନ୍ତୀ ଜେନା, ପାର୍ବତୀ ପ୍ରଧାନ, ରୋଜାଲିନ ଜେନା, ସମୀନା ସ୍ୱାଇଁ, ଶିଶିର ପାଢ଼ୀ, ସୁଧାଂଶୁ ଶେଖର, ସମୀର ସାମନ୍ତରାୟ, ଜନ୍ମେଞ୍ଜୟ ପ୍ରଧାନ, ବିରଜା ପ୍ରସାଦ ନାଥ ଏବଂ ରଶ୍ମିରଞ୍ଜନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।