ରାଜ୍ୟପାଳଙ୍କ ନୂଆବହି ‘କି ସୁନ୍ଦର ଆହା କି ଆନନ୍ଦମୟ’ ଉନ୍ମୋଚିତ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସଦ୍ୟତମ ଓଡ଼ିଆ ପ୍ରବନ୍ଧ ସଂକଳନ ‘କି ସୁନ୍ଦର ଆହା କି ଆନନ୍ଦମୟ’ ରାଜଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି । ବିଭିନ୍ନ ସାମାଜିକ ଓ ବୌଦ୍ଧିକ ପ୍ରସଙ୍ଗ ଉପରେ ଖବରକାଗଜମାନଙ୍କରେ ପୂର୍ବରୁ ପ୍ରକାଶିତ ରାଜ୍ୟପାଳଙ୍କ ଆଲେଖଗୁଡ଼ିକ ଏକାଠି କରି ଏ ପୁସ୍ତକ ପ୍ରକାଶ କରିଛନ୍ତି ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ । ବହିଟି ଆଜିଠାରୁ ପୁସ୍ତକମେଳାର ୯ ନମ୍ବର ଷ୍ଟଲରେ ଉପଲବ୍ଧ ହେଉଛି ।
ରାଜଭବନର ଅଭିଷେକ ହଲରେ ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରକାଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ପୁସ୍ତକର ପ୍ରଥମ କପି ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । ଉତ୍ସବରେ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ତଥା ଜଣାଶୁଣା କବି ରକ୍ଷକ ନାୟକଙ୍କ ସମେତ ରାଜଭବନର ବହୁ ଅଧିକାରୀ ଉପସ୍ଥିତ ଥିଲେ । ଏ ଅବସରରେ ରାଜ୍ୟପାଳ ନିଜ ଓଡ଼ିଶା ଅନୁଭୂତି ବଖାଣିଥିଲେ । ସେ କହିଥିଲେ, ମୁଁ ଓଡ଼ିଶାର ବହୁ ସ୍ଥାନ ବୁଲିଛି, ୭୦୦ରୁ ଅଧିକ ସଭା, ଉତ୍ସବ ଯୋଗ ଦେଇଛି । ଓଡ଼ିଶା ଭଳି ରାଜ୍ୟ ବିଶ୍ୱରେ କେଉଁଠାରେ ନାହିଁ ଓ ଏହାର ଭାଷା ଅତ୍ୟନ୍ତ ମଧୁର । ଏ ଭାଷା ମୁଁ ଖବରକାଗଜ ପଢିÿପଢ଼ି ଶିଖିଛି । ଓଡ଼ିଶାର ମୁଖିଆ ହେଉଛନ୍ତି ଜଗନ୍ନାଥ । ଓଡ଼ିଶାର ଅସଲ ରାଜ୍ୟପାଳ ହେଉଛନ୍ତି ଜନତା । ମୁଁ ସେଇ ଜଗନ୍ନାଥ ଓ ଜନତାଙ୍କର ସେବକ ମାତ୍ର । ମୋତେ ଓଡ଼ିଶାବାସୀ ଯେଉଁ ସ୍ନହ ଓ ଆଶୀର୍ବାଦ ଦେଇଛନ୍ତି ତାହାଠାରୁ ବଳି ସମ୍ପଦ ମୋ ପାଇଁ ଆଉ କିଛି ନାହିଁ ବୋଲି ରାଜ୍ୟପାଳ କହିଥିଲେ ।
ଉତ୍ସବରେ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳଙ୍କ ସହ ମତ ବିନିମୟ କରିଥିଲେ ସାମ୍ବାଦିକ ଭାସ୍କର ପରିଚ୍ଛା, ଲେଖକ ଓ ଅନୁବାଦକ ଅସିତ ମହାନ୍ତି, ଚଳଚ୍ଚିତ୍ର ବିଶେଷଜ୍ଞ ସୂର୍ଯ୍ୟ ଦେଓ, ସାମ୍ବାଦିକ କିଶୋର ଦ୍ୱିବେଦୀ, ‘ସୁବାର୍ତ୍ତା’ର ସମ୍ପାଦକ ପ୍ରଦୁ୍ୟମ୍ନ ଶତପଥୀ, ଲେଖକ ଚନ୍ଦ୍ରଶେଖର ଦାଶ, ଲେଖକ ଓ ସାମ୍ବାଦିକ ସୁଭାଷ ଶତପଥୀ, ସାମ୍ବାଦିକ ଗିରୀଶ ଶତପଥୀ, ଗୋପାଳପୁର ବନ୍ଦର ଉପସଭାପତି ଓ ସ୍ତମ୍ଭକାର ଜଗଦୀଶ ଚନ୍ଦ୍ର ରାଉତ, ଗାୟିକା କାବେରୀ ବେହେରା, ସାମ୍ବାଦିକା ଶ୍ରଦ୍ଧାଞ୍ଜଳି କାନୁନଗୋ, ଅଧ୍ୟାପିକା ସଂଘମିତ୍ରା ଭଞ୍ଜ ଓ ଲେଖକ କ୍ଷେତ୍ରବାସୀ ନାୟକ ।