ଋଷିକୁଲ୍ୟା ଜିଲ୍ଲା ଗଠନ ଦାବିରେ ଓକିଲ ସଂଘର ଧାରଣା
ଆସିକା (ଆପ୍ର): ଗଞ୍ଜାମ ଜିଲ୍ଲାର ଆସିକାରେ ଋଷିକୁଲ୍ୟା ଜିଲ୍ଲା ଗଠନ ପାଇଁ ପୁଣି ଓକିଲ ସଂଘ ଧାରଣାକୁ ଓହ୍ଲାଇଛି । ରାଜନୀତିରୁ ଉଦ୍ଧ୍ୱର୍ରେ ରହି ଋଷିକୁଲ୍ୟା ଜିଲ୍ଲା ଗଠନ ଆନେ୍ଦାଳନକୁ ନିର୍ଣ୍ଣାୟକ ମୋଡକୁ ନେବାକୁ ଆସିକା ଓକିଲ ସଂଘର ସଭାପତି ସୁରେନ୍ଦ୍ରନାଥ ପଣ୍ଡା, ସମ୍ପାଦକ ଛବିଳରାମ ମିଶ୍ର, ଯୁଗ୍ମ ସମ୍ପାଦକ ଏମ୍. ଯଜେ୍ଞଶ୍ୱର ଆଚାରୀ, ଆଇନଜୀବୀ ପ୍ରଭାତ ପାଢୀ, ହର୍ଷରଞ୍ଜନ ପାଢୀ, ଅଜିତ୍ କୁମାର ଚୌଧୁରି, ରବିନାରାୟଣ ଗୌଡ, ଦ୍ୱାରିକାନାଥ ପରିଡା, ଜି. ସୂର୍ଯ୍ୟପ୍ରକାଶ ରାଓ, ବିଦେଶୀ ନାହାକ, ନାରାୟଣ ମୁନୀ, ନାରାୟଣ ହୋତା, ଅଶୋକ କୁମାର ମିଶ୍ର, ରାଜେନ୍ଦ୍ରନାଥ ପାତ୍ର, ସଞ୍ଜିବ କୁମାର ପାଣିଗ୍ରାହୀ, ଶରତଚନ୍ଦ୍ର ପାଢୀ, ଶରତେନ୍ଦୁ ପଣ୍ଡା, ସରୋଜ କୁମାର ତ୍ରିପାଠୀ, ମହେଶ୍ୱର ବେହେରା, ସୁଧାଂଶୁ କୁମାର ପାଣିଗ୍ରାହୀ, ସନ୍ତୋଷ କୁମାର ମିଶ୍ର, ପି. ରବିନ୍ଦ୍ର କୁମାର ପାତ୍ର, ପ୍ରିୟାଂଶୁ ଶେଖର ପରିଡା, ଅଜିତ କୁମାର ମୁନୀ, କାଳୀଚରଣ ଦାସ, ନାରାୟଣ ବେହେରା ପ୍ରମୁଖ ଆହ୍ୱାନ ଦେଇଛନ୍ତି । ସୋମବାର ଆସିକା ଓକିଲ ସଂଘ ପକ୍ଷରୁ ସଭାପତି ସୁରେନ୍ଦ୍ରନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଦିନିକିଆ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି । ଦୀର୍ଘ ୩୦ବର୍ଷରୁ ଉଦ୍ଧ୍ୱର୍ ସମୟ ହେଲା ଆସିକାରେ ଋଷିକୁଲ୍ୟା ଜିଲ୍ଲା ଗଠନ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏହାକୁ ବିଚାରକୁ ନେଉ ନଥିବା ବେଳେ ଋଷିକୁଲ୍ୟା ଜିଲ୍ଲା ଗଠନ କେବଳ ଚିଠି ଦିଆନିଆ ଓ ଆଲୋଚନାରେ ସୀମିତ ରହିଯାଇଛି । ଋଷିକୁଲ୍ୟା ଜିଲ୍ଲା ଗଠନ ଦିଗରେ ପଦକ୍ଷେପ ନେବାକୁ ଗତ ୨୫ତାରିଖରେ ଓକିଲ ସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଥିଲା ବେଳେ ଏହାର ନକଲ ରାଜ୍ୟ ବିପର୍ଯ୍ୟୟ ଓ ପ୍ରଶମନ ମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳ, ରାଜସ୍ୱ କମିଶନର୍, ଆସିକା ସାଂସଦ ଓ ବିଧାୟିକାଙ୍କ ନିକଟକୁ ପ୍ରେରଣ କରିଥିଲା । ଆସିକା, କବିସୂର୍ଯ୍ୟନଗର, ଧରାକୋଟ, ଶେରଗଡ, ସାନଖେମୁଣ୍ଡି, ହିଞ୍ଜିଳିକାଟୁ, ସୋରଡ଼ା, ବେଗୁନିଆପଡ଼ା ଓ ପୋଲସରା ଆଦି ଅଞ୍ଚଳକୁ ନେଇ ଋଷିକୁଲ୍ୟା ଜିଲ୍ଲା ଗଠନ କରିବା ସହ ଭୌଗଳିକ ଦୃଷ୍ଟିକୋଣରୁ ସମସ୍ତ ଭିତ୍ତିଭୂମି ଥିବା ଆସିକାରେ ଏହା ମୁଖ୍ୟାଳୟ ରଖିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବି ହେଉଛି ।