୧୩ରେ ଆଉ ଏକ ଘୂର୍ଣ୍ଣିବଳୟ!
ଭୁବନେଶ୍ୱର, ୧୧ା୧୨ (ବୁ୍ୟରୋ): ୧୩ରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା । ପୁଣି ରାଜ୍ୟରେ ହୋଇପାରେ କୋହଲା ପାଗ । କିଛି ସ୍ଥାନରେ ବର୍ଷା ଯୋଗୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ୭ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବ । ୧୩ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଏଥିସହ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ । ଫଳରେ ଶୀତ ପ୍ରକୋପ କମିବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପ୍ରକାଶ ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୩ ସହରରେ ସର୍ବନିମ୍ନ ତାପାମାତ୍ରା ୧୩ଂ ରେକର୍ଡ ହୋଇଛି । ରାଜ୍ୟରେ ଆସନ୍ତା ୩ ଦିନ ଯାଏ ପାଗ ଅପରିବର୍ତ୍ତିତ ରହିବା ସହ ଶୀତ କମିବ । ପରେ ୨ରୁ ୩ଂ ବଢ଼ିବ ବୋଲି କେନ୍ଦ୍ର କହିଛି ।
ସେପଟେ କନ୍ଧମାଳ ଜିଲ୍ଲାରେ ଆକାଶ ମେଘାଛନ୍ନ ଥିବା ଯୋଗୁଁ କୋହଲା ପାଗ ସହ ଶୀତ ଅନୁଭୂତ ହେଉଛି । ସ୍ଥାନେ ସ୍ଥାନେ ଲୋକେ ନିଆଁର ସାହାରା ନେଉଛନ୍ତି । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ମୁହାଁ ପର୍ଯ୍ୟଟକ । ଚଳିତ ବର୍ଷ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬.୬ଂ ରେକର୍ଡ ହୋଇଥିବାବେଳେ ଦାରିଙ୍ଗବାଡ଼ିରେ ୭ଂ ଜି ଉଦୟଗିରିରେ ୬ଂ ପାରଦ ରେକର୍ଡ ହୋଇଛି ।
କନ୍ଧମାଳରେ ଶୀତର ଲହର ଜାରିଥିବାରୁ ସେଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି ।
କାକର ଭିଜା ଶୀତୁଆ ସକାଳର ମଜା ନେଉଛନ୍ତି ସହରବାସୀ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଦାରିଙ୍ଗବାଡ଼ି, ରାଇକିଆ, ବେଲଘର ଆଦି ଅଞ୍ଚଳରେ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି । ସକାଳୁ ସକାଳୁ ଯୁବକ ଓ ବୟସ୍କ ପଡିଆକୁ ଯାଇ ବ୍ୟାୟାମ କରୁଛନ୍ତି । ସେହିପରି ଆଉ କିଛି ଲୋକ ଶୀତୁଆ ସକାଳେ ପ୍ରାତଃ ଭ୍ରମଣ କରୁଥିବା ଦେଖିବାକୁ ମିଳୁଛି । ହାଲୁକା ଶୀତ ସ୍ପର୍ଶରେ ପୁଲକିତ ହୋଇ ଉଠିଛି ଜନଜୀବନ । ହାଲକା ଥଣ୍ଡା ସାଙ୍ଗକୁ କୁହୁଡ଼ି କାକର ବୁନ୍ଦା ଗଛର ପତ୍ରରେ ଦେଖିବାକୁ ମିଳିଛି । ସନ୍ଧ୍ୟା ସମୟରେ ମଧ୍ୟ ହାଲକା ଶୀତ ଅନୁଭୂତ ହେଉଛି । ସେପଟେ ଫୁଲବାଣୀ ସହରରେ ହାଲକା ଶୀତ ଓ ଘନ କୁହୁଡ଼ିର ମଜା ନେଉଛନ୍ତି ସହରବାସୀ ।
ସୂଚନାଯୋଗ୍ୟ, ଉତ୍ତର ଅ ।ଭ୍ୟନ୍ତରୀଣ ତାମିଲନାଡୁ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଏବଂ ଉତ୍ତର କେରଳ ଉପରେ ଘୂର୍ଣ୍ଣିବଳୟ ପ୍ରସ୍ତାର ଜାରି ରହିଛି ଏବଂ ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର ହୋଇଛି । ଏହା ଉତ୍ତର ପୂର୍ବ କେରଳ କର୍ଣ୍ଣାଟକ ଉପକୂଳରୁ ଦକ୍ଷିଣ ପୂର୍ବ ଏବଂ ସଂଲଗ୍ନ ଇଷ୍ଟସେଣ୍ଟ୍ରାଲ୍ ଆରବ ସାଗରରେ ଉତ୍ପନ୍ନ ହେବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ମଧ୍ୟରେ ସମାନ ଅଞ୍ଚଳରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୋଇ ପଶ୍ଚିମ ଉପକୂଳ ପଶ୍ଚିମ ୱାର୍ଡକୁ ଭାରତୀୟ ଉପକୂଳଠାରୁ ଦୂରେଇ ଯିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।