ସେମିରେ ଫ୍ରାନ୍ସ
ଫିଫା ବିଶ୍ୱକପ୍ ୨୦୨୨
କ୍ୱାର୍ଟରରେ ୧-୨ରେ ହାରିଲା ଇଂଲଣ୍ଡ
ଦୋହା, ୧୧ା୧୨ (ଏଜେନ୍ସି): ଫିଫା ବିଶ୍ୱକପ୍ ୨୦୨୨ରେ ଶନିବାର ବିଳମ୍ବିତ ରାତିରେ ହୋଇଥିବା ଅନ୍ତିମ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ୨-୧ରେ ଇଂଲଣ୍ଡକୁ ପରାସ୍ତ କରିଛି । ଏବେ ସେମିଫାଇନାଲ୍ରେ ଫ୍ରାନ୍ସର ମୁକାବିଲା ମରକ୍କୋ ସହ ହେବ । ଅନ୍ୟପଟେ, ଇଂଲଣ୍ଡ ସପ୍ତମ ଥର ବିଶ୍ୱକପ୍ର କ୍ୱାର୍ଟର୍-ଫାଇନାଲ୍ରୁ ବିଦାୟ ନେଇଛି ।
ଅଲ୍ ବେୟତ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ର ୧୭ତମ ମିନିଟ୍ରେ ଡେଡ୍ଲକ୍ ଭାଙ୍ଗିଥିଲା । ମିଡ୍ଫିଲ୍ଡର୍ ଅରେଲିଅନ ଟଚୌମେନୀ ସ୍କୋର୍ କରି ଫ୍ରାନ୍ସ ଟିମ୍କୁ ଅଗ୍ରଣୀ କରିଥିଲେ । ଏମ୍ବାପ୍ପେ ବକ୍ସ ବାହାରୁ ଟିମ୍ମେଟ୍ ଆଣ୍ଟୋନୀ ଗ୍ରୀଜ୍ମ୍ୟାନ୍ଙ୍କୁ ପାସ୍ ଦେଇଥିଲେ । ଗ୍ରୀଜ୍ମ୍ୟାନ୍ ପାସ୍ ନେଇ ବକ୍ସ ଆଡ଼କୁ ଦୌଡ଼ି ଟଚୌମେନୀଙ୍କୁ ବଲ୍ ଦେଇଥିଲେ । ଟଚୌମେନୀ ବକ୍ସ ବାହାରୁ ଶକ୍ତିଶାଳୀ ସଟ୍ ମାରି ବଲ୍କୁ ନେଟ୍କୁ ପଠାଇ ଦେଇଥିଲେ ।
ମଧ୍ୟାନ୍ତର ସୁଦ୍ଧା ଏହି ସ୍ଥିତି ବଳବତ୍ତର ରହିଥିଲା । ତେବେ ପ୍ରଥମାର୍ଦ୍ଧରେ ଇଂଲଣ୍ଡର ଆଧିପତ୍ୟ ଥିଲା । ଇଂଲଣ୍ଡ ଟିମ୍ ୫ ସଟ୍ ଗୋଲ୍ ଆଡ଼କୁ ମାରିଥିବା ବେଳେ ଫ୍ରାନ୍ସ ୩ ସଟ୍ ମାରିଥିଲା । ଇଂଲଣ୍ଡ ପାଖରେ ୫୮ ପ୍ରତିଶତ ସମୟ ବଲ୍ ରହିଥିଲା ।
୫୪ତମ ମିନିଟ୍ରେ ଇଂଲଣ୍ଡର ଅଧିନାୟକ ଷ୍ଟ୍ରାଇକର୍ ହାରୀ କେନ୍ ପେନାଲ୍ଟିରୁ ସ୍କୋର୍ କରି ସ୍କୋର୍ଲାଇନ୍କୁ ୧-୧ ସ୍ଥିତିକୁ ଆଣିଥିଲେ । ଇଂଲଣ୍ଡର ବୁକାୟୋ ସାକା ବଲ୍ ନେଇ ପେନାଲ୍ଟି ବକ୍ସକୁ ଯାଇଥିଲେ । ସେ ଡ୍ରିବ୍ଲିଂ କରୁଥିଲେ, ସେତେବେଳେ ଫ୍ରାନ୍ସର ଟଚୌମେନୀ ଫାଉଲ୍ ମାରିଥିଲେ ଏବଂ ସାକା ପଡ଼ିଯାଇଥିଲେ । ବକ୍ସ ଭିତରେ ଫାଉଲ୍ ହେବା ଯୋଗ୍ୁୁଁ ରେଫରୀ ପେନାଲ୍ଟି ଦେଇଥିଲେ, ଯେଉଁଥିରୁ ଜୋର୍ଦାର ଗୋଲ୍ କରିଥିଲେ କେନ୍ ।
୭୦ତମ ମିନିଟ୍ରେ ଗାରେଥ୍ ସାଉଥ୍ଗେଟ୍ଙ୍କ ଟିମ୍ ଅଗ୍ରଣୀ ହେବାର ଏକ ସୁଯୋଗ ହରାଇଥିଲା । ହାରି ମାଗୁଏରେଙ୍କ ସଟ୍ ଲକ୍ଷ୍ୟଚୁୁ୍ୟତ ହୋଇଥିଲା । ୭୮ତମ ମିନିଟ୍ରେ ଓଲିଭର ଜିରୁଡ଼ ଗୋଲ୍ କରି ଫ୍ରାନ୍ସକୁ ୨-୧ରେ ଅଗ୍ରଣୀ କରିଥିଲେ । ଲେଫ୍ କର୍ଣ୍ଣରରୁ ଆସୁଥିବା କ୍ରସ୍କୁ ଜିରୁଡ଼ ଦିଗ ଦେଇଥିଲେ ଏବଂ ହେଡର୍ ମାରି ବଲ୍କୁ ନେଟ୍ରେ ପହଞ୍ଚାଇଥିଲେ । ୮୦ତମ ମିନିଟ୍ରେ ଇଂଲଣ୍ଡକୁ ପେନାଲ୍ଟି ମିଳିଥିଲା ଏବଂ ଇଂଲଣ୍ଡ ପାଖରେ ଗୋଲ୍ ପରିଶୋଧ କରିବା ପାଇଁ ସୁଯୋଗ ଥିଲା । ବଲ୍କୁ ରିସିଭ୍ କରିବାକୁ ଯାଉଥିବା ମେସନ୍ ମାଉଣ୍ଟଙ୍କୁ ପେନାଲ୍ଟି ବକ୍ସ ଭିତରେ ଫ୍ରାନ୍ସର ଡିଫେଣ୍ଡର୍ ଥୋୟୋ ହର୍ଣ୍ଣାଣ୍ଡେଜ୍ ଠେଲି ତଳେ ପକାଇ ଦେଇଥିଲେ । ଭାର୍ ପେନାଲ୍ଟି ଦେଇଥିଲା । କେନ୍ ପେନାଲ୍ଟିରୁ ମାରିଥିବା ସଟ୍ ଗୋଲ୍ପୋଷ୍ଟ ଉପର ଦେଇ ଚାଲିଯାଇଥିଲା ।