୨ଠ୨୩ରେ ୧ଠ ରାଜ୍ୟରେ ନିର୍ବାଚନ
ନୂଆଦିଲ୍ଲୀ, ୧୧ ।୧୨: ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଆସନ୍ତା ବର୍ଷ ୧୦ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେହି ରାଜ୍ୟଗୁଡ଼ିକ ହେଲା ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ, ମିଜୋରାମ ଓ ଜମ୍ମୁ-କଶ୍ମୀର । ତେବେ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିଥିବାରୁ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନକୁ ଅତିକମ୍ରେ ବର୍ଷେ ଘୁଞ୍ଚାଇ ଦେବା ପାଇଁ ପ୍ରଶାସନିକ ମହଲ ସରକାରଙ୍କ ଉପରେ ଚାପ ପକାଉଥିବା ଜଣାପଡ଼ିଛି ।
ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶରେ ବିଜେପି-କଂଗ୍ରେସ ମଧ୍ୟରେ ସିଧା ଲଢେଇ ହେବ । କର୍ଣ୍ଣାଟକରେ ବିଜେପି-କଂଗ୍ରେସ-ଜେଡିଏସ୍ ମଧ୍ୟରେ, ତେଲେଙ୍ଗାନାରେ ମଧ୍ୟ ଟିଆର୍ଏସ୍-କଂଗ୍ରେସ-ବିଜେପି ମଧ୍ୟରେ ଏବଂ ତ୍ରିପୁରାରେ ବିଜେପି-କଂଗ୍ରେସ-ବାମସାମ୍ମୁଖ୍ୟ
ମଧ୍ୟରେ ତ୍ରିମୁଖୀ ଲଢେଇ ହେବ । ଏହି ୧୦ ରାଜ୍ୟ ମଧ୍ୟରୁ ରାଜସ୍ଥାନ ଓ ଛତିଶଗଡ଼ରେ ଏବେ କଂଗ୍ରେସ ସରକାର ଅଛି । ୨୦୨୪ର ଲୋକସଭା ନିର୍ବାଚନ ପୂର୍ବରୁ ଏହି ଦୁଇ ରାଜ୍ୟରେ ସରକାରକୁ ବଞ୍ଚାଇ ରଖିବା କଂଗ୍ରେସ ଦଳ ପାଇଁ ସବୁଠାରୁ ବଡ ଆହ୍ୱାନ ହୋଇଥିବାବେଳେ ବିଜେପି ମଧ୍ୟ ସେଠାରେ କଂଗ୍ରେସକୁ ୨୦୨୪ ପୂର୍ବରୁ ପରାସ୍ତ କରି କଂଗ୍ରେସର ପ୍ରାସଙ୍ଗିକତା ସମାପ୍ତ ହୋଇଛି ବୋଲି ଲୋକଙ୍କୁ ରାଜନୈତିକ ବାର୍ତ୍ତା ଦେବାକୁ ଚାହୁଁଛି ।
କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ବର୍ତ୍ତମାନ ବିଜେପି ସରକାର ଅଛି । କିନ୍ତୁ ଏହି ଦୁଇ ରାଜ୍ୟରେ ୨୦୧୮ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ଶକ୍ତ ଝଟ୍କା ଲାଗିଥିଲା । ବିଜେପି ୨୦୧୮ ଭଳି ୨୦୨୩ରେ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରରେ ସଂଖ୍ୟାଗରିଷ୍ଠତା ପାଇବା ଲାଗି ପ୍ରାଣପଣେ ଚେଷ୍ଟା ଚଳାଇବ । ସେଥିଲାଗି ଦଳ ପକ୍ଷରୁ ଏହି ଦୁଇ ରାଜ୍ୟରେ ବହୁ ପୂର୍ବରୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଛି ।
ମଧ୍ୟପ୍ରଦେଶରେ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପିକୁ କ୍ଷମତାରୁ ହଟାଇ ଦେଇଥିଲା । କମଲ ନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ କଂଗ୍ରେସ ସେହି ଜନାଦେଶକୁ ସମ୍ଭାଳି ପାରିଲା ନାହିଁ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକମାନଙ୍କ ଏକ ଗୋଷ୍ଠୀ ଦଳରୁ ଅଲଗା ହୋଇଯିବାରୁ ବିଜେପି ନେତା ଶିବରାଜ ସିଂହ ଚୌହାନ ପୁନର୍ବାର ମୁଖ୍ୟମନ୍ତ୍ରୀ ହେଲେ । ଏବେ ସିନ୍ଧିଆ ମୋଦି ସରକାରରେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ବିଜେପି ରାଜ୍ୟରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଜିତିବ ବୋଲି ଦାବି କରୁଛି । ୨୦୧୮ କର୍ଣ୍ଣାଟକ ନିର୍ବାଚନରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳି ନ ଥିଲା । ତ୍ରିଶଙ୍କୁ ବିଧାନସଭା ଗଠନ ପରେ ରାଜ୍ୟପାଳ ଗୃହର ବୃହତ୍ତମ ଦଳ ବିଜେପିର ନେତା ବିଏସ୍ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ପାଠ କରାଇଲେ କିନ୍ତୁ ୟେଦୁରପ୍ପା ଫ୍ଲୋର୍ ଟେଷ୍ଟ୍ରେ ଜିତି ନ ପାରି ଇସ୍ତଫା ଦେଲେ । ତାପରେ କଂଗ୍ରେସ ଓ ଜେଡିଏସ୍ ଏକାଠି ସରକାର ଗଢିଲେ । ରାଜନୈତିକ ପରିବର୍ତ୍ତନକ୍ରମେ ବିଜେପି ୨୦୧୯ରେ ସରକାର ଗଢି ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ କଲା । କିନ୍ତୁ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନର ରଣନୀତି ସ୍ୱରୂପ ବିଜେପି ଗତବର୍ଷ ରାଜ୍ୟ ନେତୃତ୍ୱରେ ପରିବର୍ତ୍ତନ କରି ୟେଦୁରପ୍ପାଙ୍କ ସ୍ଥାନରେ ବସବରାଜ ବୋମଇଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲା । କିନ୍ତୁ ୟେଦୁରପ୍ପାଙ୍କ ସାଂଗଠନିକ ଦକ୍ଷତା ଓ ସମଗ୍ର କର୍ଣ୍ଣାଟକରେ ତାଙ୍କ ରାଜନୈତିକ ପ୍ରଭାବ ଦେଖି ବିଜେପି ହାଇକମାଣ୍ଡ ତାଙ୍କୁ ସଂସଦୀୟ ବୋର୍ଡର ସଦସ୍ୟ କରିଛନ୍ତି । ଦକ୍ଷିଣ ଭାରତରେ ସର୍ବପ୍ରଥମେ କର୍ଣ୍ଣାଟକରେହିଁ ବିଜେପି ସରକାର ଗଠିତ ହୋଇଛି । ତେଣୁ ୨୦୨୩ ନିର୍ବାଚନ ବିଜେପି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଅନୁମେୟ ।
ତେଲେଙ୍ଗାନାରେ ଏବେ ଟିଆର୍ଏସ୍ଙ୍କ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ଲକ୍ଷ୍ୟ ରଖି ବିରୋଧୀ ଦଳମାନଙ୍କ ସହ ମିଶି ବୃହତ୍ତ ମୋର୍ଚ୍ଚା ଗଠନ ଉଦ୍ୟମ କରୁଛନ୍ତି । କିନ୍ତୁ ୨୦୨୩ରେ କେସିଆର୍ ତାଙ୍କରି ଗଡ ତେଲେଙ୍ଗାନାରେ ବିଜେପି ଦ୍ୱାରା ପରାସ୍ତ ହେବେ ବୋଲି ପଦ୍ମ ଦଳ ଦୃଢୋକ୍ତି ପ୍ରକାଶ କରିଛି ।
ନିର୍ବାଚନମୁଖୀ ପୂର୍ବୋତ୍ତର ରାଜ୍ୟସମୁହ ମଧ୍ୟରୁ ତ୍ରିପୁରାରେ ଏବେ ବିଜେପି ସରକାର ଅଛି । ରଣନୀତି ଅନୁଯାୟୀ, ଏହି ରାଜ୍ୟରେ ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବଦଳାଇବ । ମେଘାଳୟ ଓ ନାଗାଲାଣ୍ଡରେ ବିଜେପି ସମର୍ଥôତ ସରକାର ଚାଲିଥିବାବେଳେ ମିଜୋରାମରେ ମିଜୋ ନ୍ୟାସ୍ନାଲ୍ ଫ୍ରଣ୍ଟ୍ କ୍ଷମତାରେ ଅଛି ।