ଜଷ୍ଟିସ୍ ଦୀପଙ୍କର ଦତ୍ତ ସୁପ୍ରିମ୍କୋର୍ଟ ଜଜ୍ ନିଯୁକ୍ତ

ସୋମବାର ନେବେ ଶପଥ
ନୂଆଦିଲ୍ଲୀ, ୧୧ା୧୨: ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଦିପଙ୍କର ଦତ୍ତଙ୍କୁ ସୁପ୍ରିମ୍କୋର୍ଟ ଜଜ୍ ନିଯୁକ୍ତି କରାଯାଇଛି । ଜଷ୍ଟିସ୍ ଦତ୍ତଙ୍କୁ ପଦୋନ୍ନତି ଦିଆଯାଇଥିବା ସମ୍ପର୍କରେ ରବିବାର ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଘୋଷଣା କରିଛନ୍ତି । ଜଷ୍ଟିସ୍ ଦତ୍ତଙ୍କୁ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ ସୋମବାର ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।ଜଷ୍ଟିସ୍ ଦତ୍ତ କାର୍ଯ୍ୟଭାର ଗ୍ରହଣ କରିବା ପରେ ଶୀର୍ଷ ଅଦାଲତରେ ନ୍ୟାୟାଧୀଶ ସଂଖ୍ୟା ୨୮ ହେବ । ଦେଶର ପ୍ରଧାନ ବିଚାରପତିଙ୍କୁ ମିଶାଇ ସୁପ୍ରିମ୍କୋର୍ଟର ସ୍ୱୀକୃତ ପଦ ସଂଖ୍ୟା ୩୪ । ତେଣୁ ଜଷ୍ଟିସ୍ ଦତ୍ତଙ୍କ ଯୋଗଦାନ ପରେ ଆଉ ଛଅ ପଦ ଖାଲି ପଡ଼ିବ ।
ଜଷ୍ଟିସ୍ ଦତ୍ତଙ୍କ ପଦୋନ୍ନତି ଘୋଷଣା ସହିତ ପ୍ରାୟ ଅଢ଼େଇ ମାସ ହେଲା ଚାଲିଥିବା କଲେଜିୟମ୍ ବିବାଦର ସମାପ୍ତି ଘଟିଛି, ଅର୍ଥାତ୍ ହାଇକୋର୍ଟ ଜଜ୍ଙ୍କୁ ସୁପ୍ରିମ୍କୋର୍ଟକୁ ପଦୋନ୍ନତି ଦେବାର ପଥ ପରିସ୍କାର ହୋଇଛି ।
ଜଷ୍ଟିସ୍ ଦତ୍ତ ୧୯୬୫ ଫେବୃୟାରୀ ୯ରେ ଜନ୍ମ ଗ୍ରହଣ କରିଥିଲେ । ଏବେ ତାଙ୍କ ବୟସ ୫୭ ବର୍ଷ । ସୁପ୍ରିମ୍କୋର୍ଟ ଜଜ୍ଙ୍କ ଅବସର ଗ୍ରହଣ ବୟସ ୬୫ ବର୍ଷ ହୋଇଥିବାରୁ ଜଷ୍ଟିସ୍ ଦତ୍ତଙ୍କ କାର୍ଯ୍ୟକାଳ ୨୦୩୦ ଫେବୃୟାରୀ ୮ରେ ଶେଷ ହେବ । ତାଙ୍କୁ ପଦୋନ୍ନତି ଦେବା ପାଇଁ ଗତ ବର୍ଷ ସେପ୍ଟେମ୍ବରରେ ତତ୍କାଳୀନ ନ୍ୟାୟମୂର୍ତ୍ତି ୟୁ ୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଥିବା କଲେଜିୟମ୍ ସୁପାରିସ କରିଥିଲେ ।
ଜଷ୍ଟିସ୍ ଦତ୍ତ ୧୯୮୯ରେ କଲିକତା ବିଶ୍ୱବିଦ୍ୟାଳୟରୁ ଏଲ୍ଏଲ୍ବି ଡିଗ୍ରୀ କରିଥିଲେ । ୨୦୦୬ରେ ତାଙ୍କୁ କଲିକତା ହାଇକୋର୍ଟର ଜଜ୍ ନିଯୁକ୍ତ କରାଯାଇଥିଲା । ପଦୋନ୍ନତି ପାଇ ୨୦୨୦ ଏପ୍ରିଲ୍ ୨୮ରେ ସେ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *