ମାଣ୍ଡୋସ ତାଣ୍ଡବ

ଭୁବନେଶ୍ୱର, ୧୦ା୧୨ (ବୁ୍ୟରୋ): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମାଣ୍ଡୋସ ଶୁକ୍ରବାର ରାତି ପ୍ରାୟ ସାଢେ ୧୧ଟା ସମୟରେ ତାମିଲନାଡୁର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳ ମହାବଳିପୁରମରେ ସ୍ଥଳଭାଗ ଛୁଇଁଛି । ତାମିଲନାଡୁର ୭ ରାଜ୍ୟ ଓ ପୁଡୁଚେରୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରିପୋର୍ଟ ଲେଖା ହେବା ସୁଦ୍ଧା ମୋଟ ୪ ଜଣଙ୍କ ମୃତୁ୍ୟ ଖବର ଥିବାବେଳେ ୭ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାବେଳେ କିଛି ଘର ଭାଙ୍ଗିଯାଇଥିବା ନଜରକୁ ଆସିଛି ।
ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଏହା ଦୁର୍ବଳ ହୋଇଛି । ବାତ୍ୟା ପ୍ରଭାବରେ ତାମିଲନାଡୁ ସମେତ ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ।
୨ ରାଜ୍ୟର ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।
ମାଣ୍ଡୋସ ତାମିଲନାଡ଼ୁରେ ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇଛି । ଫଳରେ ଆଉ ଓଡ଼ିଶାରେ ନାହିଁ ବାତ୍ୟାର ଭୟ । ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବାବେଳେ ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୨୪ ଘଣ୍ଟାରେ ଗଜପତି ଜିଲ୍ଲାରେ ସର୍ବାଧିକ ୫.୦ ମିମି ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, ନୂଆପଡା, କଳାହାଣ୍ଡି ଜିଲ୍ଲାରେ ବିଶେଷ ଭାବେ ଦକ୍ଷିଣ ଓଡ଼ିଶାର ଏହି ସବୁ ସ୍ଥାନ ଗୁଡିକରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୧୨, ୧୩ ଓ ୧୪ ତାରିଖ ପର୍ଯ୍ୟନ୍ତ ମୁଖ୍ୟତଃ ରାଜ୍ୟରେ ଶୁଖିଲା ପାଗ ରହିବ । ଅନ୍ୟପଟେ ବାହ୍ୟ ବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ ତାରିଖରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
କେନ୍ଦୁଝର ଓ ବୌଦ୍ଧ ଜିଲ୍ଲାରେ ୧୧ଂ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ୨୪ ଘଣ୍ଟା ପରେ ବଢିବ ରାତ୍ରି ତାପମାତ୍ରା । ଆଗାମୀ ୨୪ଘଣ୍ଟା ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନ ଥିବାବେଳେ ପରବର୍ତ୍ତୀ ସମୟରେ ରାତ୍ରି ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଶୀତର ପ୍ରଭାବ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିଦେ୍ର୍ଦଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି ।
ସେପଟେ ବାତ୍ୟା ମାଣ୍ଡେସ୍ ପ୍ରଭାବରେ ଶୁକ୍ରବାର ସନ୍ଧ୍ୟାରୁ ଗଜପତି ଜିଲ୍ଲାରେ ଲାଗି ରହିଛି ଝିପ୍ ଝିପ୍ ବର୍ଷା । ଶନିବାର ସକାଳେ ଏହାର ପ୍ରଭାବ ଅଧିକ ମାତ୍ରାରେ ରହିଥିଲା । ତେବେ ଧାନ ଅମଳର ସମୟ ହୋଇଥିବାରୁ ଚିନ୍ତାରେ ରହିଛନ୍ତି ଚାଷୀ । ବାତ୍ୟାର ପ୍ରଭାବ ଓଡିଶାରେ କିଛି ରହିବ ନାହିଁ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଥିବାରୁ ଚାଷୀ ଆଶ୍ୱସ୍ତ ହୋଇପଡିଥିଲେ । ବର୍ତ୍ତମାନ ଧାନ ଅମଳର ସମୟ । ତେଣୁ ଚାଷୀମାନେ ଧାନ କାଟି ଦେଇ ଜମିରେ ପକାଇ ରଖିଛନ୍ତି । ବର୍ତ୍ତମାନ ହୋଇଥିବା ବର୍ଷାରେ ବିଲରେ ପଡି ରହିଥିବା ପାଚିଲା ଧାନ ଭିଜୁଛି । ଏହି ବର୍ଷାର ପରିମାଣ କେତେ ରହିବ ଏବଂ କେତେ ଦିନ ଧରି ଜାରି ରହିବ ସେନେଇ କୌଣସି ସ୍ପଷ୍ଟ ସୂଚନା ନଥିବାରୁ ଧାନ ନଷ୍ଟ ହେବା ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି ।
ଗତ ୫ବର୍ଷ ହେଲା ଅଦିନିଆ ବର୍ଷା ଏବଂ କୋଭିଡ୍ କଟକଣା ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଚଳିତ ବର୍ଷ ଭଲ ଅମଳ କରି କରିଥିବା ଋଣ ସୁଝିବାରେ ସକ୍ଷମ ହେବେ ବୋଲି ଆଶା କରିଥିଲେ । ହେଲେ ଚଳିତ ବର୍ଷର ଏହି ଅଦିନିଆ ବର୍ଷା ସେହି ଆଶାରେ ପାଣି ପକାଇଦେଇଛି । ବର୍ଷା ସମ୍ପର୍କରେ ପ୍ରଶାସନ କୌଣସି ଆଗୁଆ ସୂଚନା ଦେଇନଥିଲା । ତେଣୁ ଚାଷୀମାନେ ଧାନ କାଟି ଦେଇ ଜମିରେ ହିଁ ପକାଇ ରଖିଛନ୍ତି । ଶେଷ ମହୁର୍ତ୍ତରେ ବର୍ଷା ଖବର ପାଇ ଚାଷୀମାନେ ଯେତିକି ପାରିଲେ ନିଜ ଧାନକୁ ସୁରକ୍ଷା ଦେବା ପାଇଁ ଧାନଗଦାରେ ପଲିଥିନ୍ ଘୋଡାଇଛନ୍ତି । କିନ୍ତୁ ପଲିଥିନ୍ ଅଭାବରୁ ଅଧିକାଂଶ ଚାଷୀ ତାହା ବି କରିପାରିନାହାନ୍ତି । ସେପଟେ ଆଜି ଯାଏଁ ଧାନ ମଣ୍ଡିର ତାଲିକା ଆସିନାହିଁ । ତେଣୁ ଚାଷୀ ଧାନ ବିକ୍ରି ମଧ୍ୟ କରିପାରିନାହିଁ । ଫଳରେ ଚଳିତ ବର୍ଷ ଚାଷୀ କ୍ଷତିଗ୍ରସ୍ତ ହେବା ନିଶ୍ଚିତ ବୋଲି କୋହଭରା କଣ୍ଠରେ କହିଛନ୍ତି ଚାଷୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *