ରାଜ୍ୟସଭାରେ ୟୁସିସି ବିଲ୍
ନୂଆଦିଲ୍ଲୀ, ୯ା୧୨: ବିଜେପି ସାଂସଦ ତିରୋଡି ଲାଲ୍ ମିଣା ଶୁକ୍ରବାର ରାଜ୍ୟସଭାରେ ବିବାଦୀୟ ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବିଲ୍ ଆଗତ କରିଛନ୍ତି । ରାଜସ୍ଥାନର ଏହି ସାଂସଦ ଆଣିଥିବା ବିଲ୍ଟି ବେସରକାରୀ ବା ପ୍ରାଇଭେଟ୍ ମେମ୍ବର ବିଲ୍ । ବିରୋଧୀ ସଦସ୍ୟମାନେ ଏହାର ଉପସ୍ଥାପନକୁ ତୀବ୍ର ବିରୋଧ କରିଥିଲେ । ଗୃହରେ ହଙ୍ଗାମା ବଢିବାରୁ ଏହା ଉପରେ ମତଦାନ ହୋଇଥିଲା । ବିଲ୍ ସପକ୍ଷରେ ୬୩ ଓ ବିପକ୍ଷରେ ୨୩ ଭୋଟ୍ ପଡିବାରୁ ବିରୋଧୀ ହାରିଯାଇଥିଲେ । ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବାର ପ୍ରତିଶ୍ରୁତିକୁ ଆଗେଇ ନେବା ଉଦେ୍ଦଶ୍ୟରେ ବିଜେପି ସାଂସଦ ଏହି ବେସରକାରୀ ବିଲ୍ ଆଗତ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ବିଜେପି ୨୦୧୯ ଲୋକସଭା ନିର୍ବାଚନ ଓ ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ଇସ୍ତାହାରରେ ଦଳ କ୍ଷମତାକୁ ଆସିଲେ ୟୁସିସି ଲାଗୁ କରାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଅନେକ ଦିନ ହେଲା ସମାନ ନାଗରିକ ସଂହିତାକୁ ନେଇ ରାଜନୈତିକ ବିତର୍କ ଲାଗି ରହିଛି । ତିରୋଡି ଲାଲ୍ ମିଣା ଆମିଥିବା ବିଲ୍ରେ ସମଗ୍ର ଦେଶରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମାନ ନାଗରିକ ସଂହିତା ଲାଗୁ କରାଇବା ପାଇଁ ଏକ ନ୍ୟାସ୍ନାଲ୍ ଇନ୍ସ୍ପେକ୍ସନ ତଥା ଇନ୍ଭେଷ୍ଟିଗେସନ୍ କମିଶନ ଗଠନ ପାଇଁ ଦାବି କରାଯାଇଛି । ଏବେ ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିଗତ ଆଇନ ସେମାନଙ୍କ ଧର୍ମଶାସ୍ତ୍ର ଅନୁସାରେ ଚଳୁଛି । ସବୁ ଭାରତବାସୀଙ୍କ ପାଇଁ ଏକ ପ୍ରକାର ସଂହିତା ପ୍ରଣୟନ ଲାଗି ଉକ୍ତ ବିଲ୍ରେ ପ୍ରସ୍ତାବ ଦିଆଯାଇଛି ।
ସେଥିରେ ସମ୍ବିଧାନର ଅନୁଚ୍ଛେଦ ୪୪ର ଅବତାରଣା କରାଯାଇଛି । ତୃଣମୂଳ କଂଗ୍ରେସ, ଏମ୍ଡିଏମ୍କେ, ଆର୍ଜେଡି, ସମାଜବାଦୀ ପାର୍ଟି, ସିପିଆଇ, ସିପିଆଇଏମ୍, ଏନ୍ସିପି ଓ କଂଗ୍ରେସ ସାଂସଦମାନେ ବିଲ୍କୁ ତୀବ୍ର ବିରୋଧ କରିଛନ୍ତି । ସେମାନେ କହିଛନ୍ତି, ଯଦି ବିଲ୍ ପାସ୍ ହୁଏ ଦେଶରେ ପ୍ରଚଳିତ ସାମାଜିକ ପରମ୍ପରା ଓ ବିବିଧତାରେ ଏକତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ । ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ ଏହି ବିଲ୍କୁ ଅସାମ୍ବିଧାନିକ ଆଖ୍ୟା ଦେଇଛନ୍ତି । ତାଙ୍କ ମତରେ ସମ୍ବିଧାନ ଅନୁସାରେ ସଂଖ୍ୟାଲଘୁମାନେ ଶିକ୍ଷା, ସଂସ୍କୃତି, ଧର୍ମ ସମ୍ବନ୍ଧୀୟ ଯେଉଁସବୁ ମୌଳିକ ଅଧିକାର ପାଇଛନ୍ତି, ତାହାର ବିରୋଧାଚରଣ କରିବ ପ୍ରସ୍ତାବିତ ୟୁସିସି ।
ବିରୋଧୀ ଦଳମାନେ ବିଲ୍ ବିରୋଧରେ ପ୍ରବଳ ସ୍ୱର ଉଠାଇବାରୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍ ତର୍କ ରଖିଥିଲେ, ଯେକୌଣସି ପ୍ରସଙ୍ଗ ଉଠାଇବା ସଦସ୍ୟଙ୍କ ବୈଧ ଅଧିକାର । ଗୃହରେ ୟୁସିସି ଉପରେ ଚର୍ଚ୍ଚା ହେବାକୁ ଦିଆଯାଉ । ଆରମ୍ଭରୁ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିବା, ବିଲ୍କୁ ସମାଲୋଚନା କରିବା ଉଦ୍ୟମ ଅନାବଶ୍ୟକ । ଗୋଏଲ୍ଙ୍କ ବକ୍ତବ୍ୟ ପରେ ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ ଧ୍ୱନିମତ ମାଧ୍ୟମରେ ମତଦାନ କରାଇଥିଲେ ।
ଗୋଟିଏ ଅଧିବେଶନରେ ପ୍ରତି ସଦସ୍ୟ ୪ଟି ବିଲ୍ ଉପସ୍ଥାପନ କରିବାକୁ ଅନୁମତି ପାଇଥାନ୍ତି । ଶୁକ୍ରବାର ମତଦାନରେ ମୀଣାଙ୍କ ବିଲ୍କୁ ଚୟନ କରାଯାଇଛି । ପ୍ରତି ଅଧିବେଶନରେ ପ୍ରାୟ ୧୦୦ ବେସରକାରୀ ସଦସ୍ୟ ବିଲ୍ ଆସିଥାଏ ।