୪ ଜଣଙ୍କ ନକଲି ବନ୍ଧକ ସୁନା ଜବତ

ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଋଣ ଜାଲିଆତି ମାମଲା
ବୈଶିଙ୍ଗା (ଆପ୍ର): ବୈଶିଙ୍ଗା ଥାନା ଅଧୀନ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଚଞ୍ଚକତା କରି ୪ ଜଣ ବ୍ୟକ୍ତି ୮୨ଲକ୍ଷ ୮ହଜାର ଟଙ୍କା ଋଣ ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ବାରିପଦାସ୍ଥିତ ଜୋନ୍ ପରିଚାଳକ ରମେଶ ଚନ୍ଦ୍ର ଦାସ ବୈଶିଙ୍ଗା ଥାନାରେ ଗତ ଅକ୍ଟୋବର ମାସରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ସୂଚନାଯୋଗ୍ୟ, ୨୦୨୨ ମାର୍ଚ୍ଚ ୯ରେ ବାଲେଶ୍ୱର ଜିଲ୍ଲା ରସଲପୁର ଅଞ୍ଚଳର ରମାନାଥ ଘଡ଼େଇଙ୍କ ପୁଅ ପୂର୍ଣଚନ୍ଦ୍ର ୬୧୫.୨୦୪ଗ୍ରାମ ସୁନା ବନ୍ଧକ ରଖି ୨୧ଲକ୍ଷ ୪୯ହଜାର ଓ ପୂର୍ଣଚନ୍ଦ୍ରଙ୍କ ପତ୍ନୀ ରେଣୁବାଳା ୨୫୪.୫୨୯ଗ୍ରାମ ସୁନା ବନ୍ଧକ ରଖି ୯ଲକ୍ଷ ୨୮ହଜାର, ସେହିଭଳି ମାର୍ଚ୍ଚ ୧୭ରେ ବାଲେଶ୍ୱର ଜିଲ୍ଲା ଜଳଖତୁଆ ଅଞ୍ଚଳର ବିପିନ ଚନ୍ଦ୍ର ବାରିକଙ୍କ ସ୍ତ୍ରୀ ଅଭିଲିପ୍ସା ୧୦୩୬.୧୬ ଗ୍ରାମ ସୁନା ବନ୍ଧକ ରଖି ୩୩ଲକ୍ଷ ୭୦ହଜାର ଓ ସହଦେବଖୁଣ୍ଟା ଅଞ୍ଚଳର ହରିଶ ଚନ୍ଦ୍ର ବେହେରାଙ୍କ ପତ୍ନୀ ମନୋରମା ବେହେରା ୪୯୯.୫୯୯୯ଗ୍ରାମ ସୁନା ବନ୍ଧକ ରଖି ୧୭ଲକ୍ଷ ୫୨ହଜାର ଟଙ୍କା ବୈଶିଙ୍ଗା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଋଣ ନେଇଥିଲେ । ମୋଟ୍ ୪ ଜଣ ୮୨ ଲକ୍ଷ ୮ହଜାର ଟଙ୍କା ଋଣ ନେଇଥିବା ବେଳେ ବ୍ୟାଙ୍କକୁ ଟଙ୍କା ଫେରାଇ ପରିଶୋଧ କରିନଥିଲେ ।
ଅନ୍ୟ ପକ୍ଷରେ ଅଗଷ୍ଟରେ ବ୍ୟାଙ୍କ ଶାଖା ପକ୍ଷରୁ ଋଣ ଗ୍ରହୀତାଙ୍କୁ ଜୁଲାଇରେ ବାରମ୍ବାର ନୋଟିସ ପଠା ଯାଇଥିଲେ ବି ସେମାନେ ବ୍ୟାଙ୍କ ଆସି ନଥିଲେ କି ସୁଧ ଓ ମୂଳ ପରିଶୋଧ କରିନଥିଲେ । ପରେ ବ୍ୟାଙ୍କ ଦ୍ୱାରା ନିୟୋଜିତ ସ୍ୱର୍ଣ୍ଣକାର ବାଲେଶ୍ୱର ଜିଲ୍ଲାର ପଦ୍ମଲୋଚନ ରଣାଙ୍କୁ ବ୍ୟାଙ୍କକୁ ଡକାଯାଇଥିଲା । ଯିଏ କି ବନ୍ଧକ ସମୟରେ ଉକ୍ତ ସୁନାର ମାନ ନିରୂପଣ କରିଥିଲେ । ହେଲେ ସେ ମଧ୍ୟ ଧରାଛୁଆଁ ଦେଇନଥିଲେ । ପରେ ଅଗଷ୍ଟ ୮ ଦିନ ବାଲେଶ୍ୱର ଜିଲ୍ଲାରୁ ପରମେଶ୍ୱର କାମିଳା ନାମକ ଅନ୍ୟ ଜଣେ ସ୍ୱର୍ଣ୍ଣକାରଙ୍କୁ ଡାକି ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ବନ୍ଧକ ସୁନା ପ୍ୟାକେଟ ଖୋଲାଯାଇ ପରୀକ୍ଷା ନିରୀକ୍ଷା ପରେ ସମସ୍ତ ସୁନା ନକଲି ବୋଲି ଜାଣିବାକୁ ପାଇଥିଲେ । ବନ୍ଧକ ଥିବା ଅଳଙ୍କାର ଭିତରେ ଅନ୍ୟ ଧାତବ ପଦାର୍ଥ ଥିବା ବେଳେ ଉପରେ ସ୍ୱର୍ଣ୍ଣ ପ୍ରଲେପ ଦିଆଯାଇଥିଲା । ପରେ ବ୍ୟାଙ୍କ ଅଫ ଇଣ୍ଡିଆ କୋଲକାତା ଶାଖାରୁ ଉପରିସ୍ଥ କର୍ମଚାରୀ ଆସି ଋଣ ଗ୍ରହୀତାଙ୍କୁ ଭେଟିବା ସହିତ ସ୍ୱର୍ଣ୍ଣକାରକୁ ବି ଭେଟିଥିଲେ । ସ୍ୱର୍ଣ୍ଣକାର ପଦ୍ମଲୋଚନ ଠକେଇ ସ୍ୱୀକାର କରିଥିବା ବେଳେ, ବାଲେଶ୍ୱର ବାଲିଆ ଅଞ୍ଚଳର ଶାନ୍ତିପଦ ପଣ୍ଡାଙ୍କ ପୁଅ ଭବାନୀ ଶଙ୍କର ପଣ୍ଡା ଧମକ ଦେଇ ଠକେଇ କରିବାକୁ ପ୍ରବର୍ତ୍ତାଇବା କଥା ବ୍ୟାଙ୍କ କର୍ମଚାରୀଙ୍କ ସାମ୍ନାରେ ପ୍ରକାଶ କରିଥିଲେ । ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର କେସ ନଂ ୩୨୬/୨୨ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲେ । ବୈଶିଙ୍ଗା ପୁଲିସ୍ ୩ କିଲୋ ୮୩୦ ଗ୍ରାମ ଏବଂ ୮୩ ମି.ଗ୍ରା. ନକଲି ସୁନା ଜବତ କରିବା ସହ ଜଣକୁ ରିମାଣ୍ଡରେ ଆଣିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *