ନବୀନ ନିବାସରେ ବର୍ଷା
ପଦ୍ମପୁର ପାଇଁ ଏକାଠି କାମ କରିବା
ଭୁବନେଶ୍ୱର, ୯ା୧୨ (ବୁ୍ୟରୋ): ବିଜୟୀ ହେବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶାର୍ବାଦ ନେଇଛନ୍ତି ବର୍ଷା ସିଂ ବରିହା । ଏହି ଅବସରରେ ମନ୍ତ୍ରୀ ରୀତା ସାହୁ, ଟୁକୁନି ସାହୁ, ବିଧାୟକ ସୁଶାନ୍ତ ସିଂ ଏବଂ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ନେତା-କର୍ମୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ବର୍ଷାଙ୍କୁ ଆର୍ଶିବାଦ କରିବା ସହ ସମସ୍ତଙ୍କ ଉତ୍ସାହ ବଢ଼ାଇ ପଦ୍ମପୁର ପାଇଁ ଆମେ ମିଶିକି କାମ କରିବା ବୋଲି କହିଥିଲେ । ବର୍ଷାଙ୍କୁ ବିଜୟର ଶୁଭେଚ୍ଛା ଦେବା ସହ ପଦ୍ମପୁର ବିକାଶର ମାଧ୍ୟମ ହେବା ପାଇଁ ଉପଦେଶ ଦେଇଥିଲେ ।
ସୂଚନାଯୋଗ୍ୟ, ପଦମପୁର ବିଧାୟିକା ବର୍ଷା ସିଂ ବରିହା ଶୁକ୍ରବାର ଭୁବନେଶ୍ୱରସ୍ଥିତ ଶାଶୂ ଘରକୁ ଆସି ଶାଶୂ-ଶ୍ୱଶୁୁରଙ୍କ ଆଶୀର୍ବାଦ ନେଇଥିଲେ । ପରେ ସେ ନବୀନ ନିବାସ ଅଭିମୁଖେ ଗସ୍ତ କରିଥିଲେ । ନବୀନ ନିବାସ ବାହାରେ ବିଜେଡିର ଅନେକ ତୁଙ୍ଗ ନେତା ବର୍ଷାଙ୍କୁ ପୁଷ୍ପ ଗୁଛ ଦେଇ ଶୁଭେଛା ଓ ସ୍ୱାଗତ କରିଥିଲେ । ପରେ ବର୍ଷା ସିଂ ବରିହା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଥିଲେ । ଏଥି ସହ ପଦମପୁରର ବିକାଶ ନିମନ୍ତେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ବିଶେଷ ଆଲୋଚନା କରିଛନ୍ତି । ଗୁରୁବାର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ମାଧ୍ୟମରେ ବର୍ଷାଙ୍କୁ ଶୁଭେଛା ଜଣାଇବା ସହ ବର୍ଷାଙ୍କୁ ମିଥ୍ୟା ଅପବାଦ ଦେଇଥିବା ବିରୋଧୀ ଶିବିରକୁ କଡା ଜବାବ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ନିଜେ ଖୁବ କମ୍ ଦିନ ମଧ୍ୟରେ ପଦମପୁର ଗସ୍ତ କରିବେ ବୋଲି ଘୋଷଣା କରିଥିଲେ । ଏଥି ସହ ମହିଳାଙ୍କୁ ସମ୍ମାନ ଦେଇ ଗଣତାନ୍ତ୍ରିକ ମହା ପର୍ବରେ ସାମିଲ କରିବାକୁ ବିଜେଡି ଯେପରି ସୁଯୋଗ ଦେଇଥିଲା, ତାହା ଉଲ୍ଲେଖନୀୟ ବୋଲି କହିଥିଲେ ।
କିନ୍ତୁ ବିରୋଧ ଦଳ ଯେପରି ଜଣେ ମହିଳାଙ୍କୁ ବାରମ୍ବାର ଅପପ୍ରଚାର ମାଧ୍ୟମରେ କଷ୍ଟ ଓ ଲା‚ନା ଦେଇଥିଲା ତାହା ଗଣତନ୍ତ୍ରରେ ସ୍ପୃହଣୀୟ ନୁହେଁ ବୋଲି କହିଥିଲେ ।
ଉଲ୍ଲେଖଯୋଗ୍ୟ, ପଦମପୁର ଉପନିର୍ବାଚନରେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ବର୍ଷା ସିଂ ବରିହା । ପଦମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତୁ୍ୟ ପରେ ହୋଇଥିଲା ଉପ-ନିର୍ବାଚନ । ବିଜେଡି ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ କନ୍ୟା ବର୍ଷାଙ୍କୁ ନିର୍ବାଚନ ରଣାଙ୍ଗନକୁ ଅବତୀର୍ଣ୍ଣ କରିଥିଲା । ଡିସେମ୍ବର ୫ ତାରିଖରେ ପଦମପୁର ଉପନିର୍ବାଚନ ହୋଇଥିବାବେଳେ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇଥିଲା ଫଳାଫଳ । ଯେଉଁଥିରେ ୪୨ ହଜାରରୁ ଅଧିକ ଭୋଟ ବ୍ୟବଧାନଦରେ ବିଜୟୀ ହୋଇଥିଲା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ।
ସେପଟେ ସ୍ୱାମୀ ସ୍ମୃତି ସୌରଭଙ୍କ ସହ ବର୍ଷା ଭୁବନେଶ୍ୱରସ୍ଥିତ ଶ୍ୱଶୁର ଘରକୁ ଯାଇଛନ୍ତି । ଘରେ ପହଞ୍ଚିବା ପରେ ସେ ପ୍ରଥମେ ଶ୍ୱଶୁର ରମାରଞ୍ଜନ ବଳିଆର ସିଂ ଓ ଶାଶୁଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇଥିଲେ । ଶ୍ୱଶୁର ଘରେ ପହଞ୍ଚିବା ପରେ ଗଣମାଧ୍ୟମକୁ ବର୍ଷା କହିଛନ୍ତି, ବିଜୟ ପରେ ବହୁତ ଖୁସି ଲାଗୁଛି । ମୋ’ ଶ୍ୱଶୁର ଓ ପରିବାର ତରଫରୁ ମାନସିକ ଭାବେ ବହୁ ସମର୍ଥନ ମିଳିଛି । ପଦ୍ମପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଛି । ତେଣୁ ପଦ୍ମପୁର ହେଉଛି ମୋର କର୍ମଭୂମୀ । ସେହି ଅଞ୍ଚଳର ବିକାଶ ହେଉଛି ମୋର ପ୍ରାଥମିକତା ବୋଲି ବର୍ଷା କହିଛନ୍ତି ।
ବୋହୂଙ୍କ ବିଜୟ ନେଇ ଶ୍ୱଶୁର ରମାରଞ୍ଜନ ବଳିଆର ସିଂ କହିଛନ୍ତି, ଗଣତନ୍ତ୍ରରେ ଲୋକମତ ହେଉଛି ସର୍ବାଗ୍ରେ । ଲୋକମାନେ ଯେଉଁ ମତ ଦେଇଛନ୍ତି, ତାକୁ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଗ୍ରହଣ କରିବାକୁ ପଡ଼ିବ । ସେହି ହିସାବରେ ପଦ୍ମପୁରବାସୀ ଯେଉଁ ମତ ଦେଇଛନ୍ତି, ସମସ୍ତଙ୍କର ଗ୍ରହଣୀୟ । ଏହା ଲୋକ ମତର ବିଜୟ ହୋଇଛି ବୋଲି ରମାରଞ୍ଜନ କହିଛନ୍ତି ।