ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଫୁ
ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋତେ ବହୁତ ଆନନ୍ଦ ଦେଇଛି
ଭୁବନେଶ୍ୱର (ବୁ୍ୟରୋ): ନିଟ୍ ପରୀକ୍ଷାରେ କୃତୀତ୍ୱ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଇଫୁ ମଲ୍ଲିକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଇଫୁଙ୍କ ପ୍ରତିଭାର ଉଚ୍ଚପ୍ରଶଂସା କରିବା ସହ ଆଗକୁ ଏହିପରି ଉଦ୍ୟମ ଜାରି ରଖି ଦେଶବାସୀଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରେରଣା ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଫୁଙ୍କ ସହିତ ସେଲ୍ଫି ଉଠାଇବା ସହ ଏକ ପୁସ୍ତକ ମଧ୍ୟ ଉପହାର ଦେଇଥିଲେ ।
ସୂଚନାଯୋଗ୍ୟ, ଇଫୁ ମଲ୍ଲିକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଜଣେ ଗରିବ, ଆଦିବାସୀ ଯୁବକ । ନିଜର ପ୍ରତିଭା ଓ ଉଦ୍ୟମ ଯୋଗୁ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ମେଡିକାଲ ପଢିବା ପାଇଁ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । କିନ୍ତୁ ଅର୍ଥାଭାବ ଯୋଗୁ ତାଙ୍କର ଏ ଆଶା ପୂରଣ ହେବା ସମ୍ପର୍କରେ ସେ ସନ୍ଦିହାନ ଥିଲେ । ସାମାଜିକ ଗଣମାଧ୍ୟମରୁ ଏ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମେଡିକାଲ ପଢିବା ପାଇଁ ସମସ୍ତ ଆବଶ୍ୟକୀୟ ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ଏବଂ ଇଫୁଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଇଫୁଙ୍କ ସହିତ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିଲେ ।