ସେମିରେ କ୍ରୋଏସିଆକୁ ଭେଟିବ ଆର୍ଜେଣ୍ଟିନା

ଦୋହା, ୧୦ା୧୨ (ଏଜେନ୍ସି): ଫିଫା ବିଶ୍ୱକପ୍ ୨୦୨୨ର ପ୍ରଥମ ଦୁଇ କ୍ୱାର୍ଟର୍-ଫାଇନାଲ୍ର ଫଇସଲା ସୁଟ୍ଆଉଟ୍ରେ ହୋଇଛି । ଆର୍ଜେଣ୍ଟିନା ୪-୩ ପେନାଲ୍ଟି ସୁଟ୍ଆଉଟ୍ରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି । ଲିଓନେଲ୍ ମେସୀଙ୍କ ଟିମ୍ ହେବାକୁ ଥିବା ସେମିଫାଇନାଲ୍ରେ କ୍ରୋଏସିଆକୁ ଭେଟିବ । ଏହା ପୂର୍ବରୁ ପ୍ରଥମ କ୍ୱାର୍ଟରରେ କ୍ରୋଏସିଆ ମୁକୁଟର ଦାବିଦାର ବ୍ରାଜିଲ୍କୁ ସୁଟ୍ଆଉଟ୍ରେ ହରାଇଥିଲା । ୨୦୧୪ ପରେ ଆର୍ଜେଣ୍ଟିନା ପ୍ରଥମ ଥର ବିଶ୍ୱକପ୍ର ଅନ୍ତିମ-୪ରେ ସ୍ଥାନ ପାଇଛି ।
ଆର୍ଜେଣ୍ଟିନା ମ୍ୟାଚ୍ ଆରମ୍ଭରୁହିଁ ଅଧିପତ୍ୟ ବିସ୍ତାର କରିଥିଲା । ୩୫ତମ ମିନିଟ୍ରେ ମେସୀଙ୍କ ଏକ ସୁନ୍ଦର ପାସ୍ରେ ନାହୁଏଲ୍ ମୋଲିନା ସ୍କୋର୍ କରି ଆର୍ଜେଣ୍ଟିନାକୁ ଅଗ୍ରଣୀ କରିଥିଲେ । ମଧ୍ୟାନ୍ତର ସୁଦ୍ଧା ସ୍କୋର୍ ଆର୍ଜେଣ୍ଟିନା ସପକ୍ଷରେ ରହିଥିଲା ।
ଦ୍ୱିତୀୟାର୍ଦ୍ଧରେ ୭୨ତମ ମିନିଟ୍ରେ ମେସୀ ପେନାଲ୍ଟିରୁ ଗୋଲ୍ କରିବା ଫଳରେ ଆର୍ଜେଣ୍ଟିନା ୨-୦ରେ ଅଗ୍ରଣୀ ହୋଇଥିଲା । ଏହା ମେସୀଙ୍କ ୯୫ତମ ଆନ୍ତର୍ଜାତିକ ଓ ୧୦ମ ବିଶ୍ୱକପ୍ ଗୋଲ୍ ଥିଲା । ସେ ଆର୍ଜେଣ୍ଟିନାର ସର୍ବକାଳୀନ ଟପ୍ ସ୍କୋରର୍ ଗାବ୍ରିଏଲ୍ ବାଟିଷ୍ଟୁଟାଙ୍କ ସମକକ୍ଷ ହୋଇଥିଲେ ।
ଏହାପରେ ନେଦରଲାଣ୍ଡ୍ସର ୱାଇଟ ୱେଘୋର୍ଷ୍ଟ ଗୋଲ୍ କରି ସ୍କୋର୍ ବ୍ୟବଧାନ କମାଇଥିଲେ । ୱେଘୋର୍ଷ୍ଟ ଏନ୍ଜୁରୀ ଟାଇମ୍ର ୧୦ମ ତଥା ଶେଷ ମିନିଟ୍ରେ ଦ୍ୱିତୀୟ ଗୋଲ୍ କରି ସ୍କୋର୍ଲାଇନ୍କୁ ୨-୨ ସ୍ଥିତିକୁ ଆଣିଥିଲେ । ଏହାପରେ ମ୍ୟାଚ୍ ଅତିରିକ୍ତ ସମୟକୁ ଯାଇଥିଲା ଏବଂ କେହି କାହାରି ବିପକ୍ଷରେ ଗୋଲ୍ କରି ନ ପାରିବାରୁ ସ୍କୋର୍ ୨-୨ ରହିଥିଲା ଏବଂ ନିଷ୍ପତ୍ତି ପେନାଲ୍ଟି ସୁଟ୍ଆଉଟ୍କୁ ହୋଇଥିଲା । ସୁଟ୍ଆଉଟ୍ରେ ଆର୍ଜେଣ୍ଟିନାର ଆମି ମାର୍ଟିନେଜ୍ ପ୍ରତିପକ୍ଷର ଦୁଇଟି ସଟ୍କୁ ବିଫଳ କରିଦେଇଥିଲେ । ଡଚ୍ ଟିମ୍ର ତିନି ଖେଳାଳି ଗୋଲ୍ ଦେଇଥିବା ବେଳେ ଆର୍ଜେଣ୍ଟିନା ପକ୍ଷରୁ ମେସୀଙ୍କ ସମେତ ଚାରି ଖେଳାଳି ସ୍କୋର୍ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *