ବାହା ହେବାକୁ ରାଜି ନହେବାରୁ ଡାକ୍ତରାଣୀଙ୍କୁ ଘରୁ ଉଠାଇନେଲେ ଦୁର୍ବୃତ୍ତ
ରଙ୍ଗାରେ‡ି (ଏଜେନ୍ସି): ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାର ଆଦିବାଟ୍ଲା ଅଞ୍ଚଳରେ ଏକ ବଡ଼ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳର ନବୀନ ନାମକ ଜଣେ ଯୁବକ, ତା’କୁ ବିବାହ କରିବାକୁ ମନା କରୁଥିବା ଜଣେ ଯୁବ ଡାକ୍ତରାଣୀଙ୍କୁ ଜୋର ଜବରଦସ୍ତି ଭାବେ ତାଙ୍କରି ଘରୁ ଉଠାଇନେବା ଭଳି କାଣ୍ଡ ଘଟାଇଛି । ସବୁଠୁ ବଡ଼ କଥା ହେଉଛି, ଡାକ୍ତରାଣୀଙ୍କ ବାପା ତଥା ପରିବାର ଲୋକଙ୍କ ଆଖି ସାମ୍ନାରେ ଏପ୍ରକାର ଘଟଣା ଘଟିଯାଇଥିଲେ ମଧ୍ୟ କେହି କିଛି କରିପାରିନାହାନ୍ତି । ସବୁୂକିଛି ଫିଲ୍ମ ଷ୍ଟାଇଲରେ ଘଟିଯାଇଥିଲା ।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ନବୀନ ପ୍ରାୟ ୧ଠଠ ଲୋକଙ୍କୁ ସାଙ୍ଗରେ ଧରି (ହାତରେ ଠେଙ୍ଗାବାଡ଼ି ଧରି) ଡାକ୍ତରାଣୀଙ୍କ ଘରକୁ ଜୋରଜବରଦସ୍ତି ଭାବେ ପଶିଆସିଥିଲା । ଅଭିଯୁକ୍ତମାନେ ସେଠାରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଘରର ଆସବାବପତ୍ରକୁ ଫୋଫଡା ଫିଙ୍ଗା କରିଥିଲେ । ଦୁଇ ଦୁଇଟି କାର୍କୁ ମଧ୍ୟ ଦୁର୍ବୃତ୍ତମାନେ ନଷ୍ଟ କରିଦେଇଥିଲେ । ପରେ ସେମାନେ ଝିଅ (ଡାକ୍ତରାଣୀ)କୁ ଉଠାଇ ନେଇ ଗାଡିରେ ବସାଇ ପଳାଇ ଯାଇଥିଲେ । ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବା ବେଳେ ଯୁବ ଡାକ୍ତରାଣୀଙ୍କ ବାପାଙ୍କୁ ମଧ୍ୟ ଅଭିଯୁକ୍ତମାନେ ପ୍ରବଳ ମାଡ଼ ମାରି ଲହୁଲୁହାଣ କରିପକାଇଥିଲେ । ତେବେ ଏନେଇ ଅଭିଯୋଗ ହେବା ପରେ ୬ଘଣ୍ଟା ମଧ୍ୟରେ ପୁଲିସ୍ ଏହି ଯୁବ ଡାକ୍ତରାଣୀଙ୍କୁ ଦୁର୍ବୃତ୍ତଙ୍କ କବଳରୁ ଉଦ୍ଧାର କରି ଘରେ ସୁରକ୍ଷିତ ପହଞ୍ଚାଇଥିବା ସୂଚନା ମିଳିଛି । ସେହିପରି ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୮ଜଣଙ୍କୁ ପୁଲିସ୍ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ପ୍ରକାଶ, ଯୁବ ଡାକ୍ତରାଣୀଙ୍କ ନାମ ବୈଶାଳୀ ଏବଂ ସେ ପେଶାରେ ଜଣେ ଦାନ୍ତ ଡାକ୍ତର । ନବୀନଙ୍କ ସହ ବୈଶାଳୀଙ୍କ ଦେଖାସାକ୍ଷାତ ୨ ବର୍ଷ ପୂବେ ଏକ ବ୍ୟାଡ୍ମିଣ୍ଟନ୍ ପଡିଆରେ ହୋଇଥିଲା । ନବୀନ ଏବଂ ବୈଶାଳୀ ବ୍ୟାଡ୍ମିଣ୍ଟନ୍ ଖେଳିବା ପାଇଁ ସେଠାକୁ ଯାଉଥିଲେ । ତେବେ ଏହା ମଧ୍ୟରେ ନବୀନ, ବୈଶାଳୀଙ୍କୁ ପ୍ରେମ ନିବେଦନ କରିଥିଲା, ଯାହାକୁ ବୈଶାଳୀ ପ୍ରତ୍ୟଖାନ କରିଥିଲେ । ପରେ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ନବୀନ, ବୈଶାଳୀଙ୍କୁ ବାରମ୍ବାର ବିବାହ କରିବାକୁ ଚାପ ପକାଉଥିଲା, ଯେଉଁଥିପାଇଁ ବୈଶାଳୀ ମାନସିକସ୍ତରରେ ବେଶ୍ ଅସନ୍ତୁଳିତ ହୋଇପଡିଥିଲେ । ପରେ ବୈଶାଳୀଙ୍କ ପରିବାର ଲୋକେ ବୈଶାଳୀଙ୍କ ପାଇଁ ଅନ୍ୟତ୍ର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜାଣିପାରି ନବୀନ ଏପ୍ରକାର କାଣ୍ଡ ଭିଆଇଛି । ତେବେ ନବୀନ ସହ ଆସିଥିବା ୧ଠଠ ଲୋକ ତା’ର କିଛି ଚା’ ଜଳଖିଆ ଦୋକାନରେ କାମ କରୁଥିବା କର୍ମଚାରୀ ବୋଲି ପୁଲିସ୍ ଜାଣିବାକୁ ପାଇଛି । ସ୍ଥାନୀୟ ଅଞ୍ଚଳରେ ନବୀନର ପ୍ରାୟ ୬ଠରୁ ଅଧିକ ଚା’ ଜଳଖିଆ ଦେକାନ ରହିଛି ।