ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ସୁଅ
ପାଖେଇ ଆସୁଛି ନୂଆବର୍ଷ
ପୁରୀ (ବୁ୍ୟରୋ): କିଛି ଦିନ ପରେ ବଡ଼ଦିନ ଓ ସପ୍ତାହକ ପରେ ନୂଆବର୍ଷ । ୨ଠ୨୨କୁ ବିଦାୟ ନେବାକୁ ଯାଉଥିଲା ବେଳେ ୨୦୨୩କୁ ସ୍ୱାଗତ କରିବା ପାଇଁ ପର୍ଯ୍ୟଟକଙ୍କ ମନରେ ଅନେକ ଆଗ୍ରହ-ଉଦ୍ଦୀପନା । ନୂଆବର୍ଷର ୨୦ଦିନ ପୂର୍ବରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଲାଣି ଶ୍ରୀକ୍ଷେତ୍ରକୁ । ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟ ସମାଗମ ହେବ ।
ଏହାକୁ ଲକ୍ଷ୍ୟ କରି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପ୍ରସ୍ତୁତି ଆରମ୍ଭ ହେଲାଣି । ଭକ୍ତ ଓ ପର୍ଯ୍ୟଟକ ପୁରୀରେ ପହଞ୍ଚି କେଉଁଠାରେ ରହିବେ ସେ ନେଇ ସେମାନେ ବେଳାଭୂମି ଠାରୁ ଆରମ୍ଭ କରି ସହରର ବିଭିନ୍ନ ଗଳିକନ୍ଦିରେ ଥିବା ହୋଟେଲ ଓ ଲଜ୍ ଖୋଜିବାରେ ବ୍ୟସ୍ତ । ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କ ବଢ଼ିବା ଦେଖି ହୋଟେଲ ଓ ଲଜ୍ ମାଲିକ ଦର ଦୁଇଗୁଣା କରିଛନ୍ତି । ତାହାର ପ୍ରଭାବ ପଡ଼ିଛି ପର୍ଯ୍ୟଟକଙ୍କ ଉପରେ । ପ୍ରଶାସନ ନୂଆବର୍ଷ ପୂର୍ବରୁ ହୋଟେଲ ସଙ୍ଘ ସହିତ ବୈଠକ କରି ଦରଦାମ୍ ବୃଦ୍ଧି ନ କରିବା, ପର୍ଯ୍ୟଟକଙ୍କୁ ଶୋଷଣ ନ କରିବା ଓ ବିଶେଷ ଭାବେ ପର୍ଯ୍ୟଟକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ନିଦେ୍ର୍ଦଶ ଦେଇଥାଏ । ଚଳିତବର୍ଷ ଆଜିପର୍ଯ୍ୟନ୍ତ ପ୍ରଶାସନ କିଛି ହୋଟେଲ ସଙ୍ଘ ସହିତ କୌଣସି ବୈଠକ କରି ନ ଥିବାରୁ ସେମାନେ ମନଇଚ୍ଛା ଦର ନେଉଛନ୍ତି ।
ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ସେମାନଙ୍କୁ ଆମ୍ଭ ଅତିଥି ଭାବରେ ସମ୍ମାନ ପ୍ରଦାନ କରାଯାଉଛି ବୋଲି ପର୍ଯ୍ୟଟନ ଅଧିକାରୀ କହୁଥିଲା ବେଳେ ତାହା କେତେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ କେହି ନାହାନ୍ତି । ରାଜ୍ୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ‘ଅତିଥି ଦେବୋ ଭବ’ ବୋଲି କହି ସେମାନଙ୍କୁ ସ୍ୱାଗତ କରିବା ପାଇଁ ଘୋଷଣା କରୁଥିଲା ବେଳେ ପୁରୀରେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ।
ଜଣେ ପର୍ଯ୍ୟଟକ କହିଛନ୍ତି ଶ୍ରୀକ୍ଷେତ୍ର ମହାପ୍ରଭୁଙ୍କ ସ୍ଥାନ । ଏଠାରେ ବର୍ଷକର ପ୍ରଥମ ଦିନରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଶ୍ରୀକ୍ଷେତ୍ରରେ ରହିଲେ ବର୍ଷଟା ଭଲରେ କଟିଥାଏ । ତେଣୁ ଆମ୍ଭ ପରିବାର ଯେତେକଷ୍ଟ ହେଲେ ବି ସମସ୍ତେ ନୂଆବର୍ଷରେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ବେଳାଭୂମି ବୁଲିବା ସହ ୪ ଦିନ ବିତାଇ ଘରକୁ ଯାଉ । ଗତବର୍ଷ ଠାରୁ ଚଳିତବର୍ଷ ହୋଟେଲ ରୁମ୍ ଭଡ଼ା ବୃଦ୍ଧି ପାଇଛି । ହୋଟେଲ ଉପରେ ପ୍ରଶାସନର କ’ଣ କଟକଣା ରହିଛି ତାହା ଏଥିରୁ ସ୍ପଷ୍ଟ ହୋଇଛି । ପର୍ଯ୍ୟଟନ ଋତୁ ଚାଲିଥିଲା ବେଳେ ବେଳାଭୂମିରେ ଦିନତମାମ ଲୋକଙ୍କ ଗହଳି ଲାଗି ରହୁଛି । ବେଳାଭୂମିରେ ଆଗରୁ ଚେୟାରରେ ବସିଲେ ୧୦ ଟଙ୍କା ନେଉଥିଲେ ଏବେ ୨୦ ଟଙ୍କା ନେଉଛନ୍ତି । ଏହି ବର୍ଦ୍ଧିତ ଟଙ୍କାକୁ ନେଇ ମଧ୍ୟ ବେଳାଭୂମିରେ ହୋ-ହଲ୍ଲା ହୋଇଥିବା ନଜିର ରହିଛି । ପ୍ରଶାସନ ନିକଟରେ ଖବର ଥିଲେ ସୁଦ୍ଧା ତାହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପରିତାପର ବିଷୟ ।