ବାଂଲାଦେଶକୁ ହରାଇଲେ ଈଶାନ
କ୍ଲିନ୍ ସୁଇପ୍ ଏଡ଼ାଇଲା ଟିମ୍ ଇଣ୍ଡିଆ
ଚଟ୍ଟୋଗ୍ରାମ, ୧୦ା୧୨ (ଏଜେନ୍ସି): କ୍ରମାଗତ ଦୁଇ ମ୍ୟାଚ୍ ହାରି ଶୃଙ୍ଖଳା ହାତଛଡ଼ା କରିସାରିଥିବା ଟିମ୍ ଇଣ୍ଡିଆ ଈଶାନ କିଶନଙ୍କ ଦ୍ରୁତତମ ଦ୍ୱିଶତକ ଓ ବିରାଟ କୋହଲିଙ୍କ ଶତକ ସହାୟତାରେ ଶନିବାର ତୃତୀୟ ଦିନିକିଆରେ ବାଂଲାଦେଶକୁ ୨୨୭ ରନ୍ର ବୃହତ୍ ବ୍ୟବଧାନରେ ପରାସ୍ତ କରିଛି । ଏଥିସହିତ ଭାରତୀୟ ଟିମ୍ କ୍ଲିନ୍ ସୁଇପ୍ ଏଡ଼ାଇ ପାରିଛି ।
ଦିନିକିଆ ଆନ୍ତର୍ଜାତିକରେ ରନ୍ ବ୍ୟବଧାନ ଦୃଷ୍ଟିରୁ ବାଂଲାଦେଶ ବିପକ୍ଷରେ ଭାରତର ଏହା ସର୍ବବୃହତ୍ ବିଜୟ । ପୂର୍ବରୁ ରେକର୍ଡ ୨୦୦ ରନ୍ର ଥିଲା । ଜହୁର ଅହମଦ ଚୌଧୁରୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ ହାରିବା ସତ୍ତ୍ୱେ ବାଂଲାଦେଶ ୨-୧ରେ ଶୃଙ୍ଖଳା କରାୟତ୍ତ କରିଛି । ଏହା ପୂର୍ବରୁ ମୀରପୁର ଠାରେ ଭ୍ରମଣକାରୀ ଟିମ୍ ରୋମାଞ୍ଚକ ସ୍ଥିତିକୁ ଯାଇଥିବା ପ୍ରଥମ ଦୁଇ ମ୍ୟାଚ୍ ହାରି ଯାଇଥିଲା ।
୨୧୦ ରନ୍ର ଇନିଂସ୍ ଖେଳିଥିବା ଈଶାନ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ବାଂଲାଦେଶର ମେହଦୀ ହସନ୍ ମିରାଜ୍ ପ୍ଲେୟାର୍ ଅଫ୍ ଦ ସିରିଜ୍ ଘୋଷିତ ହୋଇଥିଲେ । ସେ ଶୃଙ୍ଖଳାରେ ୧୪୧ ରନ୍ କରିବା ସହ ୪ ୱିକେଟ୍ ନେଇଥିଲେ ।
ଈଶାନ ଦିନିକିଆ ଆନ୍ତର୍ଜାତିକରେ ଦ୍ୱିଶତକ ଲଗାଇବାରେ ବିଶ୍ୱର ଦ୍ରୁତତମ ବ୍ୟାଟର୍ ହୋଇପାରିଛନ୍ତି । ସେ ୧୨୬ ବଲ୍ରେ ଦ୍ୱିଶତକ ପୂରଣ କରି କାରିବୀୟ କ୍ରିସ୍ ଗେଲ୍ଙ୍କ ରେକର୍ଡ ଭାଙ୍ଗିଥିଲେ, ଯିଏକି ୧୩୮ ବଲ୍ରୁ ଦ୍ୱିଶତକ ଲଗାଇଥିଲେ । ଈଶାନ ୪୯ ବଲ୍ରୁ ୫୦, ୮୫ ବଲ୍ରୁ ୧୦୦ ଓ ୧୦୩ ବଲ୍ରୁ ୧୫୦ ରନ୍ ପୂରଣ କରିଥିଲେ । ଏହି ମ୍ୟାଚ୍ରେ ସେ ୧୩୧ ବଲ୍ରୁ ୨୧୦ ରନ୍ର ଇନିଂସ୍ ଖେଳିଥିଲେ । ତାଙ୍କ ଇନିଂସ୍ରେ ୨୪ ଚୌକା ଓ ୧୦ ଛକା ରହିଥିଲା ।
୫୦ ଓଭର୍ ଫର୍ମାଟ୍ରେ ଈଶାନ ଚତୁର୍ଥ ଭାରତୀୟ ଭାବେ ଦ୍ୱିଶତକ ଅର୍ଜନ କରିଛନ୍ତି । ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ପ୍ରଥମ ବ୍ୟାଟର୍ ଭାବେ ଦିନିକିଆ ଆନ୍ତର୍ଜାତିକ ଦ୍ୱିଶତକ ହାସଲ କରିଥିଲେ । ଏହାପରେ ବୀରେନ୍ଦ୍ର ସେହ୍ୱାଗ ଓ ରୋହିତ ଶର୍ମା (ତିନି ଥର) ଦିନିକିଆ ଦ୍ୱିଶତକ ଲଗାଇଥିଲେ । ଏବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ଈଶାନ । ଏହି ଚାରି ଭାରତୀୟଙ୍କୁ ଛାଡ଼ିଦେଲେ, ପାକିସ୍ତାନର ଫଖର ଜମାନ, ୱେଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍ ଓ ନୁ୍ୟଜିଲାଣ୍ଡର ମାର୍ଟିନ ଗୁପ୍ଟିଲ୍ ମଧ୍ୟ ଦିନିକିଆରେ ଦ୍ୱିଶତକୀୟ ଇନିଂସ୍ ଖେଳିଥିଲେ ।
୪୧୦ ରନ୍ର ବିଶାଳ ବିଜୟଲକ୍ଷ୍ୟ ନେଇ ଖେଳିଥିବା ବାଂଲାଦେଶ ଟିମ୍ ଭାରତୀୟ ବୋଲିଂ ଆକ୍ରମଣର ସାମ୍ନା କରି ନ ପାରି ମାତ୍ର ୩୪ ଓଭର୍ ଖେଳି ୧୮୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ କୌଣସି ବ୍ୟାଟର୍ ବଡ଼ ସ୍କୋର୍ ଛିଡ଼ା କରିପାରି ନ ଥିଲେ । ଶାକିବ୍ ଅଲ୍ ହସନ୍ ସର୍ବାଧିକ ୪୩ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଲିଟ୍ଟନ୍ ଦାସ ୨୯, ୟାସିର ଅଲୀ ୨୫, ମହମୁଦୁଲ୍ଲା ୨୦, ତସ୍ମିନ୍ ଅହମଦ ଅପରାଜିତ ୧୭, ମୁସ୍ତାଫିଜୁର ରହମାନ ୧୩ ରନ୍ କରିଥିଲେ । ସେମାନଙ୍କ ଛଡ଼ା ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ଓପନର୍ ଅନାମୁଲ୍ ହକ୍ ୮, ମୁସ୍ତାଫିକୁର ରହିମ୍ ୭, ଅଫିଫ୍ ହୋସେନ୍ ୮, ମେହଦୀ ହସନ୍ ମିରାଜ ୩ ଓ ଇବାଦତ ହୋସେନ୍ କୌଣସି ସ୍କୋର୍ ନ କରି ପାଭିଲିଅନ୍ ଫେରିଥିଲେ ।
ଭାରତ ପକ୍ଷରୁ ଶାର୍ଦ୍ଦୂଳ ଠାକୁର ୩୦ ରନ୍ ଦେଇ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲ୍ ଓ ଉମରାନ ମଲିକ ୨ ଲେଖାଏଁ ଏବଂ ମହମ୍ମଦ ସିରାଜ, କୁଲଦୀପ ଯାଦବ ଓ ୱାଶିଂଟନ୍ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।
ଏଥି ପୂର୍ବରୁ ବାଂଲାଦେଶ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆହତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ବାମହାତି ବ୍ୟାଟର୍ ଈଶାନଙ୍କୁ ଟିମ୍ରେ ସାମିଲ୍ କରାଯାଇଥିଲା । ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍ ଧାର୍ଯ୍ୟ ୫୦ ଓଭର୍ରେ ୮ ୱିକେଟ୍ ହରାଇ ୪୦୯ ରନ୍ର ବୃହତ୍ ସ୍କୋର୍ କରିଥିଲା । ଶିଖର ଧାବନଙ୍କ ସହ ଈଶାନ ଓପନିଂ କରିବାକୁ ଆସିଥିଲେ । ଏହି ଯୋଡ଼ି ମାତ୍ର ୧୫ ରନ୍ରେ ଭାଙ୍ଗିଥିଲା । ଧାବନ୍ ୩ ରନ୍ କରି ମେହଦୀ ହସନ୍ ମିରାଜ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଏହାପରେ ଈଶାନ ନୂଆ ବ୍ୟାଟର୍ ବିରାଟ କୋହଲିଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ଧୀରେ ଧୀରେ ଉଭୟ କ୍ରିଜ୍ରେ ଆସ୍ଥାନ ଜମାଇଥିଲେ । କୋହଲି ଧୈର୍ଯ୍ୟର ସହ ଖେଳୁଥିବା ବେଳେ ଈଶାନ୍ ଦ୍ରୁତ ବ୍ୟାଟିଂ କରୁଥିଲେ । ଈଶାନଙ୍କୁ ଅଟକାଇବା ବାଂଲା ବୋଲର୍ଙ୍କ ପକ୍ଷେ ସମ୍ଭବ ନ ଥିଲା । ସେ କ୍ରିଜ୍ର ସବୁ ଦିଗକୁ ସଟ୍ ଲଗାଉଥିଲେ । କ୍ରିଜ୍ରେ ଜମିବା ପରେ କୋହଲି ମଧ୍ୟ ଜୋର୍ଦାର ବ୍ୟାଟିଂ କରିଥିଲେ ।
ଈଶାନ ୪୯ ବଲ୍ରୁ ୫୦, ୮୫ ବଲ୍ରୁ ୧୦୦ ଓ ୧୦୩ ବଲ୍ରୁ ୧୫୦ ରନ୍ ପୂରଣ କରିଥିଲେ । ଉଭୟଙ୍କ ପ୍ରୟାସରେ ସ୍କୋର୍ ୧୦୦, ୨୦୦ ଓ ଏହାପରେ ୩୦୦ ଅତିକ୍ରମ କରିଥିଲା । ଦ୍ୱିତୀୟ ୱିକେଟ୍ ପାଇଁ ୨୯୦ (୧୯୦ ବଲ୍ରୁ) ରନ୍ର ଭାଗୀଦାରୀ ହୋଇଥିଲା । ଈଶାନଙ୍କୁ ଆଉଟ୍ କରି ତସ୍କିନ୍ ଅହମଦ ଏହି ଯୋଡ଼ି ଭାଙ୍ଗିଥିଲେ । ଇତ୍ୟବସରେ କୋହଲି ୮୫ ବଲ୍ରୁ ଶତକ ପୂରଣ କରିଥିଲେ ।
ଶ୍ରେୟାସ ଆୟର ୩ ଓ କାର୍ଯ୍ୟନିର୍ବାହୀ ଅଧିନାୟକ ଲୋକେଶ ରାହୁଲ ୮ ରନ୍ କରି ଇବାଦତ୍ ହୋସେନ୍ଙ୍କ ଶିକାର ହୋଇଥିଲେ । କୋହଲି ୯୧ ବଲ୍ରୁ ୧୧ ଚୌକା ଓ ୨ ଛକା ସହାୟତାରେ ୧୧୩ ରନ୍ର ଇନିଂସ୍ ଖେଳି ଶାକିବ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦର ୩୭, ଅକ୍ଷର ୨୦, ଠାକୁର ୩ ରନ୍ ଓ କୁଲଦୀପ ଅପରାଜିତ ୩ ରନ୍ କରିଥିଲେ ।