ହାଇପର୍ସୋନିକ୍ ଯାନର ସଫଳ ପରୀକ୍ଷଣ
ଶବ୍ଦଠାରୁ ୫ ଗୁଣ ବେଗଗାମୀ
ଶ୍ରୀହରିକୋଟା, ୯ା୧୨: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଓ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ ପକ୍ଷରୁ ମିଳିତଭାବେ ହାଇପରସୋନିକ୍ ଯାନର ସଫଳ ପରୀକ୍ଷଣ କରାଯାଇଛି । ଏଥିରେ ସବୁ ଆବଶ୍ୟକ ପାରାମିଟର ହାସଲ ହେବା ସହ ହାଇପରସୋନିକ୍ ଯାନର ସାମର୍ଥ୍ୟ ପ୍ରଦର୍ଶିତ ହୋଇଛି । ପରୀକ୍ଷଣ ସଫଳ ହେବା ପରେ ଦେଶର ପ୍ରତିରକ୍ଷା କ୍ଷେତ୍ର ଅଧିକ ମଜ୍ଭୂତ ହେବ । ବିଶେଷକରି ପାକିସ୍ତାନ ଓ ଚୀନ୍ର ଚାଲବାଜିକୁ ବିଫଳ କରି ଦିଆଯାଇପାରିବ ।
ହାଇପରସୋନିକ୍ ଯାନର ବିଶେଷତ୍ୱ ହେଉଛି ଶବ୍ଦଠାରୁ ୫ ଗୁଣ ଅଧିକ ବେଗରେ ଏ ଯାନ ଉଡାଣ ଭରିବାକୁ ସକ୍ଷମ । କେବଳ ପ୍ରତିରକ୍ଷା କ୍ଷେତ୍ରରେ ନୁହେଁ, ବାଣିଜି୍ୟକ କ୍ଷେତ୍ରରେ ମଧ୍ୟ ଏହାର ଉପଯୋଗ କରାଯାଇପାରିବ । ଚୀନ୍, ଭାରତ, ରୁଷ୍ ଓ ଆମେରିକା ସମେତ ଅନେକ ଦେଶ ହାଇପରସୋନିକ୍ ଯୁଦ୍ଧାସ୍ତ୍ର ନିର୍ମାଣ ଦିଗରେ ପ୍ରୟାସ ଜାରି ରଖିଛନ୍ତି । ଭାରତରେ ଗତ କିଛିବର୍ଷ ହେଲା ହାଇପରସୋନିକ୍ ପ୍ରଯୁକ୍ତି ଗବେଷଣା ଚାଲିଥିଲା । ଆମେରିକୀୟ ସଂସଦରେ ଉପସ୍ଥାପନ କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଥିଲା ଯେ ରୁଷ୍ ସହ ମିଶି ଭାରତ ହାଇପରସୋନିକ୍ କ୍ଷେପଣାସ୍ତ୍ର ନିର୍ମାଣରେ ଲାଗିପଡିଛି । ଚଳିତ ବର୍ଷ ୟୁକ୍ରେନ୍ ଯୁଦ୍ଧରେ ରୁଷ୍ ହାଇପରସୋନିକ୍ କ୍ଷେପଣାସ୍ତ୍ର କିନ୍ଜଲ୍ର ପ୍ରୟୋଗ କରିଥିବା ରିପୋର୍ଟ ମିଳିଥିଲା ।