ସମୁଦ୍ରରେ ହେବ ପ୍ରଥମ କାଏକିଂ ରାଲି

୧୨ରେ ମହୋଦଧି ଦିବସ
ପୁରୀ (ବୁ୍ୟରୋ): ମହୋଦଧିର ସୁରକ୍ଷା ଓ ଜନସଚେତନତା ସୃଷ୍ଟି ପାଇଁ ବିଗତ ଦୁଇ ବର୍ଷ ହେବ ପୁରୀ ଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ତରଫରୁ ମହୋଦଧି ଦିବସ ପାଳନ କରାଯାଇଆସୁଛି । ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ନିଳାଦ୍ରୀ ବିଚ୍ ଠାରେ ବେଲ୍ର ଆବାହକ ସିଦ୍ଧାର୍ଥ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ନିଷ୍ପତ୍ତି ମୁତାବକ ଏଥର ପୁରୀ ଓ କୋଣାର୍କ ଦୁଇଟି ସ୍ଥାନରେ ଏକାଠି ମହୋଦଧି ଉତ୍ସବ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି । ଏଥିସହିତ ଏଥର ପ୍ରଥମ ଥର ପାଇଁ ପୁରୀ ସମୁଦ୍ରରେ କାଏକିଂ ରାଲି ଅନୁଷ୍ଠିତ ହେବ । କଟକର ‘ଓଡ଼ିଶା ମାରିଟାଇମ୍ କଳିଙ୍ଗ ସର୍ଫ ଲାଇଫ୍ ସେଭିଂ ସୋସାଇଟ୍’ ଓ ପୁରୀର ‘କଳିଙ୍ଗ ସର୍ଫ ଲାଇଫ୍ ସେଭିଂ ସୋସାଇଟ୍’ ଅନୁଷ୍ଠାନ ତରଫରୁ ଅଲିଭ୍ ରିଡ୍ଲେଙ୍କୁ ସୁରକ୍ଷିତ ରଖନ୍ତୁ, ସମୁଦ୍ର ବଞ୍ଚାନ୍ତୁ ବାର୍ତ୍ତା ନେଇ ଏହି ରାଲି କରାଯିବ ।
ଏହା ବଳିଆପଣ୍ଡା ଲାଇଟ୍ ହାଉସ୍ ଠାରୁ ସୋମବାର ସକାଳ ୭ଟାରେ ଆରମ୍ଭ ହେବ । ସେହିପରି ଚଳିତବର୍ଷ ୟୁଥ୍ କ୍ଲାଇମେଟ୍ ଲିଡର୍ ଏବଂ ଲିମ୍କା ବୁକ୍ ଅଫ୍ ରେକର୍ଡରେ ପରିବେଶ ସୁରକ୍ଷା ନେଇ ନିଜର ନାଁ ଅନ୍ତର୍ଭୁକ୍ତ କରିଥିବା ସୌମ୍ୟରଞ୍ଜନ ବିଶ୍ୱାଳଙ୍କୁ ମହୋଦଧି ସମ୍ମାନରେ ସମ୍ମାନିତ କରାଯିବ । ଏହା ସହିତ ୫ମରୁ ୭ମ ଏବଂ ୮ମରୁ ୯ମ ଶ୍ରେଣୀ ପିଲାଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଓ ମା’ମାନଙ୍କ ପାଇଁ ମୁ୍ୟଜିକ୍ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ସବୁ ପୁରୀ ନିଳାଦ୍ରୀ ବିଚ୍ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ବୋଲି ଦି ବେଲ୍ର ସଂଗଠନ ସମ୍ପାଦକ ରାଜକିଶୋର ପାତ୍ର ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ୯୮୬୧୯୩୪୦୪୨ ଏବଂ ୯୯୩୮୪୯୭୩୦୪ ନଂରେ ଯୋଗାଯୋଗ କରିପାରିବେ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *