ରାଜ୍ୟ ପୁସ୍ତକ ମହୋତ୍ସବ ଅକ୍ଷର ଆରମ୍ଭ

ଭୁବନେଶ୍ୱର (ବୁ୍ୟରୋ): ସନ୍ଧ୍ୟାରେ ୪ର୍ଥ ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ ଅକ୍ଷର ଉଦ୍ଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରିଛନ୍ତି । ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଏବଂ ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ ଏବଂ ଓଡିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘ ସହଯୋଗରେ ଏହି ପୁସ୍ତକମେଳା ଆୟାଜନ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଦେଇ କହିଥିଲେ, ଓଡିଆ ଭାଷା ଏକ ସୁନ୍ଦର ଭାଷା । ଏହି ଭାଷା ଆମର ଶାସ୍ତ୍ରୀୟ ମାନ୍ୟତା ପାଇଛି । ଓଡିଆ ଭାଷାରେ ଅନେକ ପୁସ୍ତକ ରଚନା ହୋଇଛି । ପୁସ୍ତକଗୁଡିକର ଦେଶ ବିଦେଶରେ ପ୍ରଚାର ପ୍ରସାର ହେବା ଆବଶ୍ୟକ । ପିଲାଙ୍କ ମଧ୍ୟରେ ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି ହେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ ଓଡିଆ ଭାଷାର ପ୍ରତି ଅକ୍ଷର ପ୍ରତି ଦୃଷ୍ଟି ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ଏବଂ ଏଥି ସହ ପୁସ୍ତକ ମେଳାର ସମସ୍ତ ଆୟୋଜକଙ୍କୁ ଧନ୍ୟବାଦ ଦେଇ ସଫଳତା କାମନା କରିଛନ୍ତି ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ କହିଲେ, ଆମ ଭାଷାବିତମାନେ ଦେଶର ସାହିତ୍ୟ ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବାକୁ ଚେଷ୍ଟିତ ଅଛନ୍ତି । ପୁସ୍ତକ ଜନଜୀବନ ଓ ସାମାଜିକ ପରିବର୍ତ୍ତନରେ ସହାୟକ ହୋଇଥାଏ । ମନରୁ ଅହଂଭାବ ପରିହାର କରିବା ପାଇଁ ପୁସ୍ତକ ଏକ ଶାଣିତ ଅସ୍ତ୍ର ଭାବେ କାମ କରିଥାଏ ବୋଲି ଶ୍ରୀ ପାତ୍ର ପ୍ରକାଶ କରିବା ସହ କୋଭିଡ୍ ମହାମାରୀରୁ ଆପାତତଃ ମୁକ୍ତ ହେବା ପରେ ଚଳିତ ବର୍ଷ ଆୟୋଜିତ ପୁସ୍ତକ ମେଳା ସମସ୍ତ ପ୍ରକାଶକ, ଲେଖକ ଓ ପାଠକପାଠିକାଙ୍କ ପାଇଁ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ ।
ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ନିଦେ୍ର୍ଦଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଡଃ. ସୁବାଷ ନାୟକଙ୍କ ରଚିତ କବିତା ପୁସ୍ତକ ପ୍ରିୟା, ସ୍ୱଦେଶ କୁମାର ପଟ୍ଟନାୟକଙ୍କ ଲିଖିତ ଗଳ୍ପ ସଙ୍କଳନ ବୃତ୍ତାଙ୍କନ, ଡଃ. ଇତି ସାମନ୍ତଙ୍କ ଦ୍ୱାରା ସମ୍ପାଦିତ ମାସିକ ପତ୍ରିକା କାଦମ୍ବିନୀ ଓ ଶିଶୁ କିଶୋର ପତ୍ର କୁନିକଥାର ସଦ୍ୟତମ ସଂସ୍କରଣ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *