ଅଫତାବକୁ ଫାଶୀ, ଆମକୁ ନ୍ୟାୟ ଦିଅ
ଶ୍ରଦ୍ଧା ହତ୍ୟାକାଣ୍ଡ: ଫଡନବୀସଙ୍କୁ ଭେଟିଲେ ପୀଡ଼ିତାଙ୍କ ବାପା
ମୁମ୍ବାଇ/ ନୂଆଦିଲ୍ଲୀ(ଏଜେନ୍ସି): ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଅଭିଯୁକ୍ତ ଅଫ୍ତାବ୍ ଅମିନ୍ ପୁନାୱାଲାଙ୍କୁ ଫାଶୀ ଦିଆଯାଉ, ଆମକୁ ଯଥାଶୀଘ୍ର ନ୍ୟାୟ ମିଳୁ । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଶୁକ୍ରବାର ସାକ୍ଷାତ କରିବା ସହ ଏପ୍ରକାର ଦାବି ଉପସ୍ଥାପନ କରିଛନ୍ତି ପୀଡ଼ିତା ଶ୍ରଦ୍ଧାଙ୍କ ବାପା ବିକାଶ ୱାକର । ଫଡନବୀସଙ୍କୁ ସାକ୍ଷାତ କରି ଫେରିବା ପରେ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସମାନ ଦାବି କରିଛନ୍ତି ବିକାଶ ୱାକର ।
ବିକାଶଙ୍କ କହିବାନୁୂସାରେ ତାଙ୍କ ଝିଅ ଶ୍ରଦ୍ଧାଙ୍କୁ ଯେପରି ଅଫତାବ୍ ହତ୍ୟା କରିଛି, ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କାଟି ଏଣେତେଣେ ଫିଙ୍ଗିଦେଇଛି, ଠିକ୍ ସେହିପରି ଅଫତାବ୍କୁ ମଧ୍ୟ କଠୋର ଦଣ୍ଡାଦେଶ ଦିଆଯିବା ଉଚିତ୍ । ଅଫତାବ୍ଙ୍କ ପ୍ରତି କଠୋର ଦଣ୍ଡାଦେଶ ହିଁ ଦେଶର ଆଉ କୌଣସି ଝିଅ ସହ ଏପରି ପାଶବିକ କାର୍ଯ୍ୟକୁ ରୋକିବାରେ ସହାୟକ ହେବ । ଦୃଷ୍ଟାନ୍ତମୂଳକ ଦଣ୍ଡାଦେଶ ଦ୍ୱାରା ଦେଶରେ ଆଉ କୌଣସି ଅଫତାବ୍ ଏପ୍ରକାର କାର୍ଯ୍ୟ କରିବାକୁ ଅନ୍ତତଃ ଭୟ କରିବେ । ତାଙ୍କ ଝିଅ ଶ୍ରଦ୍ଧା ସହ ଯାହାକିଛି ଘଟିଲା, ଦେଶର ଅନ୍ୟ କୌଣସି ଝିଅ ସହ ଯେପରି ନଘଟୁ ଦେଶର ନ୍ୟାୟ ବ୍ୟବସ୍ଥା ସେନେଇ ସୁନିଶ୍ଚିତ କରନ୍ତୁ ବୋଲି ସେ ଚାହୁଁଥିବା ବିକାଶ କୋହଭରା କଣ୍ଠରେ କହିଛନ୍ତି । ଏଥିସହ ୧୮ ବର୍ଷ ପରେ ପିଲାମାନଙ୍କୁ ସ୍ୱାଧୀନ ଭାବେ ଛାଡିଦିଆଯିବା ପରିବର୍ତ୍ତେ ବରାବର କାଉନସେଲିଂ କରାଯିବା ଏବଂ ନିୟନ୍ତ୍ରଣରେ ରଖାଯିବା ଉଚିତ୍ ବୋଲି ସେ କହିଛନ୍ତି ।
ଅଫତାବ୍କୁ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ୍ କୋର୍ଟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ହାଜର କରାଇଥିବା ବେଳେ କୋର୍ଟ ଆଗାମୀ ୨ସପ୍ତାହ ଯାଏ ଅଫତାବ୍କୁ ପୁଲିସ୍ ରିମାଣ୍ଡରେ ପଠାଇଦେଇଛନ୍ତି ।