ଜାନୁଆରୀ ୨୫ରେ ଦୁର୍ଲଭ ପଦ୍ମବେଶ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ମାଘ ମାସର ଅମାବାସ୍ୟା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ବୁଧବାର ବା ଶନିବାର ପଡ଼ିଲେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବୁଧବାର ପଡୁଥିବାରୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ପଦ୍ମବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ସେଥିପାଇଁ ପ୍ରସ୍ତୁତି ଜୋର୍ଦାର ଚାଲିଛି ।
ପରମ୍ପରା ଅନୁଯାୟୀ, ବଡ଼ଛତା ମଠ ପକ୍ଷରୁ ଏହି ବେଶ ପାଇଁ ଆବଶ୍ୟକ ଦ୍ରବ୍ୟ ଯୋଗାଇଥାନ୍ତି । ଆଜି ମଠରେ ସୋଲରେ ନିର୍ମାଣ କାର୍ଯ୍ୟ ଲାଗି ପଡ଼ିଛନ୍ତି ମୁଖ୍ୟ କାରିଗର ବସନ୍ତ ମହରଣା । ପଦ୍ମବେଶରେ ମହାପ୍ରଭୁ ସୋଲରେ ନିର୍ମିତ ଶ୍ରୀମୁଖ ପଦ୍ମ, ହଂସ, ଚୂଳ, କଦମ୍ବଫୁଲ ସମେତ ଅନ୍ୟାନ୍ୟ ଜିନିଷ ନିର୍ମାଣରେ ଲାଗି ପଡ଼ିଛନ୍ତି । ଏହାକୁ ନିର୍ମାଣ କରିବା ଲାଗି ୭ରୁ ୮ଜଣ କାରିଗର ନିୟୋଜିତ ହୋଇଛନ୍ତି । ଠାକୁରଙ୍କ ଏହି ବେଶକୁ ନିର୍ମାଣ ସମୟରେ ନିଷ୍ଠାର ସହ ରହିବାକୁ ପଡ଼ିଥାଏ ବୋଲି ବସନ୍ତ କହିଛନ୍ତି । ସେହିପରି ଛୋଟ ୮୦ଟି ପଦ୍ମ, ଡାଳି, କରପଲ୍ଲଭ ଓ ୪ଟି ହଂସ ଏବଂ ୭ଟି ଗଛ ଲାଗିଥାଏ ।
ଏହି ବେଶକୁ ନେଇ କଥିତ ରହିଛି ମନୋହର ଦାସ ନାମକ ଜଣେ ଭକ୍ତ ବହୁଦୂରରୁ ଚାଲିଚାଲି ମହାପ୍ରଭୁଙ୍କୁ ଦର୍ଶନ ଲାଗି ଆସୁଥିଲେ । ଆସୁ ଆସୁ ଦିନେ ତାଙ୍କୁ ଶୋଷ ହେଲା । ରାସ୍ତା ପାଶ୍ୱର୍ସ୍ଥ ଏକ ପୋଖରୀରେ ପାଣି ପିଉଥିଲେ । ଶୀତଦିନ ହୋଇଥିବାରୁ ଉକ୍ତ ପୋଖରୀରେ ପଦ୍ମଫୁଲ ଫୁଟିଥିବା ଦେଖିବାକୁ ପାଇଥିଲେ । ସେହି ଫୁଲକୁ ସେ ମହାପ୍ରଭୁଙ୍କ ପାଇଁ ନେବା ପାଇଁ ତୋଳି ଏକ ଗାମୁଛାରେ ବାନ୍ଧି ଶ୍ରୀକ୍ଷେତ୍ରକୁ ଆସିଥିଲେ । ସେ ଶ୍ରୀମନ୍ଦିରର ସିଂହଦ୍ୱାରରେ ମହାପ୍ରଭୁଙ୍କୁ ପ୍ରଥମେ ପ୍ରଣାମ କରିଥିଲେ । ପରେ ସାଙ୍ଗରେ ଆଣିଥିବା ପଦ୍ମଫୁଲକୁ ସେବାୟତଙ୍କୁ ଗରୁଡ଼ସ୍ତମ୍ଭ ନିକଟରେ ପ୍ରଦାନ କରି କହିଥିଲେ ଏହାକୁ ମହାପ୍ରଭୁଙ୍କ ନିକଟରେ ଲାଗି କରିଦେବା ପାଇଁ । ସେହି ଫୁଲ ମଉଳି ଯାଇଥିବାରୁ ସେବାୟତ ସେହି ଫୁଲକୁ ସେଠାରେ ଫୋପାଡ଼ି ଦେଇଥିଲେ । ପରେ ମନୋହର ସେହି ଫୁଲକୁ ଗାମୁଛାରେ ବାନ୍ଧି କାନ୍ଦି କାନ୍ଦି ବଡ଼ ଛତା ମଠ ଠାରେ ମହାପ୍ରଭୁଙ୍କୁ ସ୍ମରଣ କରି ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଏନେଇ ମହାପ୍ରଭୁ ଗଜପତି ମହାରାଜାଙ୍କୁ ସ୍ୱପ୍ନାଦେଶ କରିବା ସହ ସେହି ଫୁଲକୁ ବଡ଼ସିଂହାର ବେଶ ପରେ ମୋ’ଠାରେ ଲାଗି କରିବାକୁ ନିଦେ୍ର୍ଦଶ ଦେବା ସହ ମୋର ପ୍ରିୟଭକ୍ତଙ୍କ ବଡ଼ଛତା ମଠରେ ଅଚେତ ଅବସ୍ଥାରେ ପଡ଼ିରହିଛି । ତାକୁ ଉଦ୍ଧାର କରି ଖିରି ଖାଇବାକୁ ଦେବ ବୋଲି ମହାପ୍ରଭୁ ନିଦେ୍ର୍ଦଶ ଦେଇଥିଲେ । ସେହିଦିନ ଠାରୁ ଆଜିପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଏହି ପର୍ବରେ ପଦ୍ମବେଶରେ ସଜ୍ଜିତ କରାଯାଉଛି । ବୁଧବାର ମହାପ୍ରଭୁ ପଦ୍ମବେଶରେ ସଜ୍ଜିତ ହୋଇ ତାଙ୍କର ପ୍ରିୟ ଭକ୍ତଙ୍କୁ ଦର୍ଶନ ଦେବେ ।