ଅନ୍ୟାୟ ଭାବରେ ହୋଇଛି ମହିମାମଠ ଉଚ୍ଛେଦ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ତଥା ବିଶ୍ୱକୁ ମହିମା ଧର୍ମର ବାର୍ତ୍ତା ପ୍ରଦାନ କରୁଥିବା ଯୋରନ୍ଦା ମହିମା ଗାଦୀରେ ବେଆଇନ ଭାବରେ ଉଚ୍ଛେଦ କରାଯାଇଛି ବୋଲି ମହିମା ଧର୍ମାଲମ୍ବିମାନେ ଅଭିଯୋଗ କରିବା ସହିତ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିଛନ୍ତି । ସମ୍ପତ୍ତି ଉପରେ ଉଭୟ ସାଧୁ ଗୋଷ୍ଠୀର ସମାନ ଅଧିକାର ଥିବା ବେଳେ ମୂଳ ଆଦେଶକୁ ଚଞ୍ଚକତା କରାଯାଇ ମାଲିକାନାସତ୍ୱ ପରିବର୍ତ୍ତନ କରାଯାଇଥିବାର ଅଭିଯୋଗ ହୋଇଛି । ବିଶ୍ୱପ୍ରସିଦ୍ଧ ମହିମାଗାଦୀକୁ ଉଚ୍ଛେଦ ପରେ ଶୁକ୍ରବାର ଦିନ ମହିମାଭକ୍ତ ମାନେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ଏହି ଉଚ୍ଛେଦ ବେଆଇନ ଭାବରେ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।ଭକ୍ତ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ଅଭିଯୋଗ ଅନୁସାରେ ୨୦୧୮ ମସିହାରେ ହାଇକୋର୍ଟଙ୍କ ନିଦେ୍ର୍ଦଶ ଅନୁସାରେ ମହିମାଗାଦୀର ସମ୍ପତ୍ତି ଉପରେ ଉଭୟ ବଳକଳଧାରୀ ଏବଂ କୌପୁନୀଧାରୀ ସାଧୁମାନଙ୍କର ସମାନ ଅଧିକାରରହିଛି । ଏହାକୁ ଉଲଙ୍ଘନ କରି ଗଁଦିଆର ଜଣେ ପ୍ରଶାସନିକ ଅଧିକାରୀ ଚଞ୍ଚକତା ପୂର୍ବକ ମୂଳସମ୍ପତ୍ତିର ପରିବର୍ତ୍ତନ କରି ବଳକଳଧାରୀ ମହିମା ସମାଜ ନାମରେ କରିଦେଇଛନ୍ତି । ଫଳରେ କୌପୁନୀଧାରୀ ମହିମା ସମାଜ ଜବରଦଖଲ କରିଛି ବୋଲି ଦର୍ଶାଇ ଏକ ଶହ ବର୍ଷର ଉପାସନାପୀଠ ବତୀମନ୍ଦିର,ଧୂନୀ ମନ୍ଦିର ଏବଂ ଭେକ ମନ୍ଦିରକୁ ଉଛେଦ କରାଯାଇଛି । ଅଖଣ୍ଡ ଧୂନୀକୁ ବଳକଳଧାରୀ ମହିମା ସାଧୁମାନେ ନେଇଯାଇଥିବା ବେଳେ ଖୋଲାଅକାଶ ତଳେ ଧୂନୀ ପ୍ରଜ୍ୱଳିତ ହେଉଛି । ଏହାର ପ୍ରତିବାଦ କରାଯିବା ସହିତ ମୂଳ ଆଦେଶକୁ ବିଚାର କରି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ପ୍ରକାଶ ଥାଉକି ମହିମାଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ଦେହାନ୍ତ ୧୮୬୬ର ୪୧ବର୍ଷ ପରେ ତାଙ୍କର ମୂଳ ୬୪ସିଦ୍ଧଙ୍କ ମଧ୍ୟରେ ଗୁରୁ ଆଜ୍ଞାଙ୍କୁ ନେଇ ମତାନ୍ତର ସୃଷ୍ଟି ହୋଇଥିଲା । ୬୪ ସିଦ୍ଧଙ୍କ ଉପରାନ୍ତ ଅନ୍ୟ କୌଣସି ମହିମା ସନ୍ୟାସୀଙ୍କ ବଳ୍କଳ ଦେବାକୁ ମହିମାସ୍ୱାମୀ ବାରଣ କରିଥିଲେ । ଏହି ମତାନ୍ତରକୁ ନେଇ ସିଦ୍ଧ ବଡ କୃପାସିନ୍ଧୁ ବାବାଙ୍କ ନେତୃତ୍ୱରେ କିଛି ସିଦ୍ଧ ୧୯୧୭ ମସିହାରେ କୌପୀନଧାରୀ ସମାଜ ଗଠନ କରିଥିଲେ । ବଡକୃପାସିନ୍ଧୁ ବାବା ମହିମାସ୍ୱାମୀଙ୍କ ସମାଧି ମନ୍ଦିର ବା ଶୂନ୍ୟ ମନ୍ଦିରର ପଶ୍ଚିମ ପାଶ୍ୱର୍ ମାହାଳ ମୂଳରେ ଅଖଣ୍ଡବତୀ ଜଳାଇ ମହାପ୍ରଭୁ ଶୂନ୍ୟବ୍ରହ୍ମଙ୍କ ଆରାଧନା କରିବା ଆରମ୍ଭ କରିଥିଲେ । ତାଙ୍କ ପରଠାରୁ କୌପିନଧାରୀ ସମାଜର ଷଷ୍ଠ ପିଢୀ ବର୍ତମାନର ଧର୍ମାଧ୍ୟକ୍ଷ ଶ୍ରୀମଦ୍ ରଘୁନାଥ ବାବାଙ୍କ ପର୍ଯ୍ୟନ୍ତ ସେହି ସ୍ଥାନରେ ଅଖଣ୍ଡ ଜ୍ୟୋତି ମନ୍ଦିର ଓ ଅଖଣ୍ଡ ଧୂନୀ ମନ୍ଦିର କାର୍ଯ୍ୟକରି ଆସିଥିଲା । ମହାରାଜା ଭଗିରଥ ମହିନ୍ଦ୍ରବାଦୀରଙ୍କ ପ୍ରଦତ୍ତ ୭୬ ଏକର ନିଷ୍କର ଜମିରେ ଶୂନ୍ୟମନ୍ଦିର ଓ ମଠବାଡି ଗଢି ଉଠିଥିଲା । ସେଥି ମଧ୍ୟରୁ କୌପିନଧାରୀ ମହିମା ସମାଜ ଭୋଗ ଦଖଲରେ ୮ ଏକର ବିଶିଷ୍ଟ ମହିମା ପୁଷ୍ପ ଉଦ୍ୟାନକୁ ଛାଡି ମାତ୍ର ୩.୭୩୦ ଏକର ଜମି ଭୋଗ ଦଖଲରେ ରହିଛି । ସ୍ୱାଧୀନତା ପୂର୍ବ ଢେଙ୍କାନାଳ ଗଡଜାତର ହାଇକୋର୍ଟ ବିଚାରପତି ପ୍ରତାପ ଚନ୍ଦ୍ର ସେନ୍ଗୁପ୍ତା ତାଙ୍କର ତା୧୬.୧୨.୧୯୪୪ରିଖ ରାୟରେ କୌପିନଧାରୀ ମହିମା ସମାଜର ବଡକୃପାସିନ୍ଧୁ ବାବାଙ୍କ ଟୁଙ୍ଗୀକୁ ଉଚ୍ଛେଦ କରି ମଠ ପରିସର ମଧ୍ୟରେ ସମାଜ ଦ୍ୱାରା ଗ୍ରହଣୀୟ ସ୍ଥାନରେ କିମ୍ବା ଶୂନ୍ୟମନ୍ଦିର ମଧ୍ୟସ୍ଥ ଏକ ସ୍ଥାନକୁ ସ୍ଥାନାନ୍ତର ପାଇଁ ଆଦେଶ ଦେଇଥିଲେ । ଏହାକୁ ତିନିମାସ ମଧ୍ୟରେ କାର୍ଯ୍ୟ କରିବାର ସମୟସୀମା ଧାର୍ଯ୍ୟ କରିଥିଲେ । ଏହି ରାୟକୁ ଆଧାର କରି ୧୯୯୮ ମସିହାରେ ଢେଙ୍କାନାଳ ବରିଷ୍ଠ ଦେୱାନ ଅଦାଲତଙ୍କ ନିକଟରେ ବଳ୍କଳଧାରୀ ସମାଜ ପକ୍ଷରୁ ଉଚ୍ଛେଦ ମାମଲା ରୁଜୁ କରାଗଲା । ଯାହାର ରାୟ ତା୨୧.୦୪.୨୦୨୨ରେ ୨୪ ବର୍ଷ ପରେ ପ୍ରକାଶ ପାଇଲା । ୧୯୭୧ ମସିହାରେ ଓଡିଶା ହାଇକୋର୍ଟର ନ୍ୟାୟମୂର୍ତ୍ତୀ ଅଭିମନୁ୍ୟ ମିଶ୍ର ଉଭୟ ପକ୍ଷଙ୍କୁ ମହିମାସ୍ୱାମୀଙ୍କ ଉତ୍ତରାଧିକାରୀ ଭାବେ ଗ୍ରହଣ କରି ରାୟ ପ୍ରକାଶ କରିଥିଲେ । ଯାହା ବିରୁଦ୍ଧରେ କୌଣସି ପକ୍ଷ ଅପିଲ୍ କରି ନଥିଲେ । ପରବର୍ତ୍ତୀ ସମୟରେ ମହିମାସ୍ୱାମୀଙ୍କ ୭୬ଏକର ଜମିର ମାଲିକାନା ସତ୍ତ୍ୱକୁ ନେଇ ସମ୍ବିଧାନର ଧାରା ୨୨୬ ଓ ୨୨୭କୁ ନେଇ ୨୦୦୫ ମସିହାରେ ଏକ ରିଟ୍ ପେଟିସନ୍ ଓଡିଶା ଉଚ୍ଚ ନ୍ୟାୟାଳୟରେ ଦାଖଲ କରାଯାଇଥିଲା । ମାନ୍ୟବର ନ୍ୟାୟମୂର୍ତ୍ତୀ ଦୁର୍ଗାପ୍ରସନ୍ନ ଚୌଧୁରୀ ଓ ନ୍ୟାୟମୂର୍ତ୍ତୀ ବି.କେ. ନାୟକଙ୍କ ଖଣ୍ଡପୀଠ ଏହାର ବିଚାର କରି ୨୦୧୮ ଜାନୁଆରୀ ୩୦ରେ ପ୍ରଦତ୍ତ ରାୟରେ ଉଭୟ ବଳ୍କଳଧାରୀ ଓ କୌପିନଧାରୀ ମହିମାସ୍ୱାମୀଙ୍କ ସମ୍ପତ୍ତିରେ ସମାନ ଅଧିକାର ଥିବା ଦର୍ଶାଇ ଉଭୟପକ୍ଷ ୫୦ ପ୍ରତିଶତ ଲେଖାଏଁ ଖଜଣା ଦେବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ । ନାଟିମା ମୌଜାର ପ୍ରାୟ ୭ ଏକର ଭୂ ସମ୍ପତ୍ତି ଉଭୟପକ୍ଷଙ୍କ ନାମରେ ରେକର୍ଡ ହୋଇଥିବାବେଳେ ଏଯାବତ ୪ବର୍ଷ ଧରି ଯୋରନ୍ଦା ମୌଜାର ପ୍ରାୟ ୭୦ ଏକର ଜମିର ଭୂସତ୍ତ୍ୱ ସଂଶୋଧନ କରାନଯାଇ ପକାଇ ରଖାଯାଇଛି । ଏଭଳି ସ୍ଥିତିରେ ବଡକୃପାସିନ୍ଧୁ ବାବାଙ୍କ ପ୍ରତିଷ୍ଠିତ ଧୂନି ମନ୍ଦିର ଓ ଜ୍ୟୋତି ମନ୍ଦିରକୁ ଚାରୋଟି ବୁଲ୍ଡୋଜର ଲଗାଇ ପୁଲିସ୍ ଫୋର୍ସ ମଧ୍ୟରେ ପ୍ରଶାସନ ପକ୍ଷରୁ ଧୂଳିସାତ୍ କରିଦିଆଯାଇଛି । ଆଇନ୍ର ଭୁଲ୍ ତର୍ଜମା କରାଯାଇ ୨୪ବର୍ଷର ବେଦଖଲ ମାମଲାକୁ ଯେଭଳି ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟକାରି କରାଯାଇଛି ବୋଲି ଦର୍ଶାଇ କୌପୁନୀଧାରୀମହିମା ସମାଜ ତରଫରୁ ବିକ୍ଷୋଭ ପ୍ରଦର୍ଶନ ସହିତ ଦାବୀପତ୍ରପ୍ରଦାନ କରାଯାଇଛି । ସେବା ପୂଜା ପାଇଁ କୌପୁନୀଧାରୀ ମହିମା ସମାଜକୁ ଗାଦୀ ମନ୍ଦିର ଏବଂ ଶୂନ୍ୟ ମନ୍ଦିରରେ ସମାନ ଅଧିକାର ପ୍ରଦାନ ସହିତଯୋରନ୍ଦା ।ନଟିମାରେ ଥିବା ସମ୍ପତ୍ତିର ସମାନ ଅଧିକାର ସହିତ ଜମିର ରେକର୍ଡ ଅଫ ରାଇଟସ ପ୍ରଦାନ,ସମସ୍ତ ସମ୍ପତ୍ତିର ୫୦ ଭାଗ ଅଧିକାର,ଉଛେଦ କରାଯାଇଥିବା ମନ୍ଦିରର ପୂନଃନିର୍ମାଣ କରିବାକୁ ଦାବୀ କରାଯାଇଛି ।