ପଦ୍ମପୁରରେ ଶଙ୍ଖନାଦ
ବରଗଡ଼/ଭୁବନେଶ୍ୱର, ୮ା୧୨ (ବୁ୍ୟରୋ): ପଦ୍ମପୁରରେ ବର୍ଷାଙ୍କ ବୃହତ୍ ବିଜୟ । ନୃସିଂହନାଥ ମାଟିରେ ଶଙ୍ଖନାଦ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨,୬୭୯ ଖଣ୍ଡ ଭୋଟ୍ ବ୍ୟବଧାନରେ ହରାଇ ବିଜୟ ଲାଭ କରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ୨୩ ରାଉଣ୍ଡ ଗଣତିରେ ବିଜେଡିକୁ ୧ ଲକ୍ଷ ୨୦ ହଜାର ୮୦୭ ଭୋଟ୍ ମିଳିଥିବାବେଳେ, ବିଜେପିକୁ ୭୮ ହଜାର ୧୨୮ ଭୋଟ୍ ମିଳିଛି । ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୯୪ ଭୋଟ୍ ଆସିଛି ।
ଗଣତି ଆରମ୍ଭରୁ ହିଁ ବର୍ଷା ବିଜେପି ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିଥିଲେ । ପ୍ରତି ରାଉଣ୍ଡରେ ବିଜେଡ଼ି ସଂଖ୍ୟାଧିକ ଭୋଟ୍ ସହ ବିଜେପିଠାରୁ ଆଗରେ ରହିଥିଲା । କୌଣସି ଗୋଟିଏ ରାଉଣ୍ଡରେ ମଧ୍ୟ ବିଜେପି ବିଜେଡ଼ିକୁ ପଛରେ ପକାଇ ପାରିନଥିଲା । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ଥିତି ଥିଲା ଦୟନୀୟ । ଭୋଟର ବିଜେପିକୁ ପ୍ରତ୍ୟାଖାନ କରିଥିବାବେଳେ କଂଗ୍ରେସର ରାଜନୈତିକ ପ୍ରାସଙ୍ଗିକତାକୁ ଉପନିର୍ବାଚନରେ ପ୍ରଶ୍ନ କରିଛନ୍ତି ।
ସେପଟେ ବିଜେଡିର ଐତିହାସିକ ବିଜୟ ପରେ ସବୁଆଡୁÿ ଶୁଭେଚ୍ଛାର ସୁଅ ଛୁଟିଛି । ରାଜ୍ୟ ବିଜେଡି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟେଲିଫୋନ କରି ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସବୁ କଳ୍ପନା ଜଳ୍ପନାର ଅନ୍ତଘଟାଇ ବୃହତ୍ ବ୍ୟବଧାନରେ ବିଜେଡି ବିଜୟ ହୋଇଛି ।
ସେପଟେ ପରାଜୟକୁ ସହଜରେ ହଜମ କରିପାରିନାହାନ୍ତି ବିରୋଧୀ । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ । ଫଳାଫଳକୁ ଜନାଦେଶ ନୁହେଁ ଧନାଦେଶ ବୋଲି ସେ କହିଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଛନ୍ତି, ଜନସାଧାରଣଙ୍କ ଚୟନକୁ ସମ୍ମାନ ଦେଉଛୁ । ହେଲେ ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବା ଆବଶ୍ୟକ ।
ସେହିପରି ବିଜୟ ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟ ପରେ ଗଣବମାଧ୍ୟମକୁ ସୂଚନା ଦେଇ ନିଜ ବିଜୟର ଶ୍ରେୟ ପଦ୍ମପୁରବାସୀଙ୍କୁ ଦେଇଛନ୍ତି । ସେମାନଙ୍କ ଇଚ୍ଛାରେ ମୁଁ ନିର୍ବାଚିତ ହୋଇଛି । ସେମାନଙ୍କ ସେବାରେ ନିଜକୁ ସମର୍ପି ଦେବି ବୋଲି ବର୍ଷା କହିଛନ୍ତି ।
ସୂଚନାଯୋଗ୍ୟ, ଜନସାଧାରଣ ପୁଣି ଥରେ ସୁଶାସନ ଏବଂ ବିକାଶ ସପକ୍ଷରେ ଅଜାଡି ଦେଇଛନ୍ତି ଅଭୂତପୂର୍ବ ସମର୍ଥନ । ପଦ୍ମପୁର ଉପନିର୍ବାଚନ ଫଳାଫଳ ପୁଣି ଥରେ ବିଜେଡିର ବିକାଶମୁଖୀ ରାଜନୀତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଭାବମୂର୍ତ୍ତିକୁ ହୀରା ପରି ଆହୁରି ଉଜ୍ଜ୍ୱଳମାନ କରି ଦେଇଛି । ବିଜେପି ଚିତପଟାଙ୍ଗ ମାରିଥିବାବେଳେ ବିଜେଡି ପ୍ରାର୍ଥିନୀ ତଥା ଦିବଂଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ସୁପୁତ୍ରୀ ବର୍ଷାଙ୍କୁ ପଦ୍ମପୁରବାସୀ ବିପୁଳ ଭୋଟରେ ବିଜୟୀ କରାଇଛନ୍ତି । ଏହା ସାଙ୍ଗକୁ ଜଣେ ନାରୀ ପ୍ରତି ଅପମାନର କଡା ଜବାବ ଦେଇଛନ୍ତି ପଦ୍ମପୁର ମାଟିର ସ୍ୱାଭିମାନୀ ଜନତା ।