ବିଚାର ଅପେକ୍ଷାରେ ୧୭ଲକ୍ଷରୁ ଊଦ୍ଧ୍ୱର୍ ମାମଲା

ସଂସଦରେ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, ୮ା୧୨ (ତଥ୍ୟ): ରାଜ୍ୟର ବିଭିନ୍ନ ଆଇନ୍‌ ଅଦାଲତରେ ୧୭.୧୮ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । କେନ୍ଦ୍ର ଆଇନ୍‌ ମନ୍ତ୍ରୀ କିରେନ ରିଜିଜୁ ଗୁରୁବାର ସଂସଦରେ ଏହି ସୂଚନା ଦେଇଛନ୍ତି । ଏକ ଲିଖିତ ଉତ୍ତରରେ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ଦର୍ଶାଇଛନ୍ତି, ମୋଟ୍‌ ୧୭,୧୮,୦୧୯ ଦେୱାନୀ ଓ ଫୌଜଦାରୀ ମାମଲା ରାଜ୍ୟର ବିଭିନ୍ନ ଅଦାଲତରେ ପଡି ରହିଛି । ମୋଟ ମାମଲା ମଧ୍ୟରୁ ୪,୨୦,୯୯୫ଟି ଦେୱାନୀ ମାମଲା ହୋଇଥିବାବେଳେ ୧୨,୯୭,୦୨୪ଟି ଫୌଜଦାରୀ ମାମଲା ରହିଛି ।
ଓଡିଶା ହାଇକୋର୍ଟରେ ୨୦୨୦ ଡିସେମ୍ବର ୫ତାରିଖ ସୁଦ୍ଧା ୧,୧୯,୨୪୦ ଦେୱାନୀ ମାମଲା ପଡି ରହିଥିବାବେଳେ ଫୌଜଦାରୀ ମାମଲା ସଂଖ୍ୟା ୪୧,୭୬୯ ରହିଥିଲା । ଅନୁରୂପ ଭାବେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଅନ୍ୟାନ୍ୟ ନିମ୍ନ ଅଦାଲତରେ ୩,୦୧,୭୫୫ ଦେୱାନୀ ଓ ୧୨,୫୫,୨୫୫ ଫୌଜଦାରୀ ମାମଲା ବିଚାର ପ୍ରତୀକ୍ଷାରେ ରହିଥିଲା । ୨୦୨୨ ନଭେମ୍ବର ୨୯ତାରିଖ ସୁଦ୍ଧା ସୁପ୍ରିମ୍‌କୋର୍ଟରେ ୬୯,୭୪୪ ମାମଲା ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।
ଅଦାଲତ ଉପରୁ ମାମଲା ବୋଝ ହ୍ରାସ ପାଇଁ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷକରି ଯେଉଁସବୁ ମାମଲାରେ ସରକାର ପକ୍ଷ ଅଛନ୍ତି ତାହାର ସମାଧାନ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଥିବା ଶ୍ରୀ ରିଜିଜୁ କହିଛନ୍ତି । ସିପିସିର ଧାରା ୮୯ ଅନୁଯାୟୀ ବିକଳ୍ପ ବିବାଦ ଫଏସଲା (ଏଡିଆର) ଏକ ଢାଞ୍ଚ ପ୍ରସ୍ତୁତ ହୋଇଛି ।
ଆବ୍ରିଟ୍ରେସନ ଏବଂ କନସିଲଟେସନ ଆଇନ୍‌ ୧୯୯୬ ବ୍ୟତିତ ଏଡିଆର କମ୍ପାନୀ ଆଇନ୍‌ ୨୦୧୩, ବ୍ୟାବସାୟିକ ଅଦାଲତ ଆଇନ୍‌ ୨୦୧୫, ରିୟଲ ଇଷ୍ଟେଟ ଆଇନ୍‌ ୨୦୧୬, ଖାଉଟି ସୁରକ୍ଷା ଆଇନ୍‌ ୨୦୧୯ ସହ ଆହୁରି ଅନେକ ଆଇନ୍‌ ଏହା ଅଧିନରେ ଆସିବ । ପକ୍ଷମାନେ ଏଡିଆର ବ୍ୟବହାର କରି ଅଦାଲତ ବାହାରେ ସେମାନଙ୍କ ମାମଲାର ସମାଧାନ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଅନ୍ୟଏକ ପ୍ରଶ୍ନର ଉତ୍ତରରେ ଆଇନ୍‌ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଏବଂ ହାଇକୋର୍ଟଙ୍କ ସହମତିରେ ଅଧିକ ଅଦାଲତ ପ୍ରତିଷ୍ଠା କରାଯିବ । ଜିଲ୍ଲା ଏବଂ ନିମ୍ନ ଅଦାଲତଗୁଡିକରେ ବିଚାରପତିଙ୍କ ସଂଖ୍ୟା ୨୦୧୪ରେ ୧୯,୫୧୮ ଥିବାବେଳେ ୨୦୨୨ ନଭେମ୍ବର ଶେଷ ସୁଦ୍ଧା ତାହାକୁ ୨୪,୯୮୯କୁ ବୃଦ୍ଧି କରାଯାଇଛି । ୫୪୭୧ ବିଚାର ପଦବୀ ବୃଦ୍ଧି ଯୋଗୁଁ ଅଧିକ ଅଦାଲତ ପ୍ରତିଷ୍ଠା ସହିତ ପଡି ରହିଥିବା ମାମଲାଗୁଡିକର ତ୍ୱରିତ ଫଏସଲା ହୋଇପାରିବ ।
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସଂକ୍ରାନ୍ତରେ କେନ୍ଦ୍ର ଆଇନ୍‌ ମନ୍ତ୍ରୀ କହିଛନ୍ତି ଯେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ସ୍ଥାନ ସଂକାନ୍ତରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଲଗାତାର ଭାବେ ପ୍ରସ୍ତାବମାନ ଆସୁଛି । ବର୍ତ୍ତମାନ ସୁଦ୍ଧା ବେଞ୍ଚ ପ୍ରତିଷ୍ଠା ନେଇ ସରକାରଙ୍କ ନିକଟରେ କୌଣସି ପୂର୍ଣ୍ଣ ପ୍ରସ୍ତାବ ପଡି ନ ଥିବା ମନ୍ତ୍ରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ, ପଶ୍ଚିମ ଓଡିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଇନ୍‌ଜୀବୀମାନେ ବର୍ଷ ବର୍ଷ ଧରି ସେମାନଙ୍କ ଅଞ୍ଚଳର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନେ୍ଦାଳନ ଚଳାଇ ଆସୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *