ଗୁଜରାଟରେ ବିଜେପି ସୁନାମି

ଅହମଦାବାଦ, ୮ା୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ମୋଟ ୧୮୨ ଆସନ ମଧ୍ୟରୁ ବିଜେପି ୧୫୬ରେ ଜିତିବା ସହ ନୂଆ ରେକର୍ଡ ସୃଷ୍ଟି କରିଛି । ୧୯୮୫ରେ କଂଗ୍ରେସ ମାଧବ ସିଂହ ସୋଲଙ୍କି ନେତୃତ୍ୱରେ ୧୪୯ ଆସନ ଜିତିଥିଲା । ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିବାବେଳେ ବିଜେପି ୨୦୦୨ ନିର୍ବାଚନରେ ପାଇଥିବା ୧୨୭ ଆସନ । ଏଥର ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ପଦ୍ମ ଦଳ ଗୁଜରାଟ ରାଜ୍ୟ ଗଠନଠାରୁ ଏପର୍ଯ୍ୟନ୍ତ ସମସ୍ତ ରେକର୍ଡ ଭଙ୍ଗ କରିଛି ।
କଂଗ୍ରେସ ୧୭ ଆସନ କବ୍ଜା କରିଥିବାବେଳେ ପ୍ରଥମ ଥର ପାଇଁ ରାଜ୍ୟରେ ପ୍ରାର୍ଥୀ ଦେଇଥିବା ଆମ୍ ଆଦ୍ମୀ ପାର୍ଟିକୁ ମିଳିଛି ୫ ଆସନ ।
ଗୁଜରାଟରେ ଆପ୍ ସରକାର ଗଢିବ ବୋଲି ଦଳର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲ୍ ନିର୍ବାଚନ ପୂର୍ବରୁ ଦୃଢୋକ୍ତି ପ୍ରକାଶ ପୂର୍ବକ କାଗଜରେ ଲେଖି ଦେଇଥିଲେ । ଯଦିଓ ତାଙ୍କ ଦଳ ସରକାର କରିପାରି ନାହିଁ ଭୋଟ୍ ସେୟାର ଆଧାରରେ ଆପ୍କୁ ରାଷ୍ଟ୍ରୀୟ ପାର୍ଟି ମାନ୍ୟତା ମିଳିଛି । ଫଳତଃ ଏଣିକି କେଜରିୱାଲ୍ଙ୍କ ଦଳ ସମଗ୍ର ଦେଶରେ ନିଜ ନିର୍ବାଚନ ସଙ୍କେତରେ ଲଢିପାରିବ । ଗୁଜରାଟର ୩୫ ନିର୍ବାଚନ ମଣ୍ଡଳୀରେ ଆପ୍ ପ୍ରାର୍ଥୀମାନେ ଦ୍ୱିତୀୟ ସ୍ଥାରେ ରହିଛନ୍ତି । ରାଜ୍ୟର ମୋଟ ପ୍ରାୟ ୩୫ ଲକ୍ଷ ଭୋଟର ଆପ୍ ସପକ୍ଷରେ ମତଦାନ କରିଛନ୍ତି ।
ଅସଦୁର୍ଦ୍ଦୀନ ଓବେସୀଙ୍କ ଏଆଇଏମ୍ଆଇଏମ୍ ପ୍ରଥମ ଥର ଲାଗି ଗୁଜରାଟ ବିଧାନସଭା ନିର୍ବାଚନରେ ଅଂଶ ଗ୍ରହଣ କରିଥିଲା । ଓବେସୀ ଦେଇଥିବା ୧୩ ପ୍ରାର୍ଥୀଙ୍କ ମଧ୍ୟରେ ଥିଲେ ଦୁଇଜଣ ହିନ୍ଦୁ । ସବୁ ପ୍ରାର୍ଥୀ ହାରି ଯାଇଛନ୍ତି । ଏପରିକି ତାଙ୍କ ଦଳକୁ ନୋଟାଠାରୁ କମ୍ ଭୋଟ୍ (୦.୩୩%) ମିଳିଛି ।
ଘାଟଲୋଡିୟା ଆସନରୁ ଜିତି ଥିବା ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆସନ୍ତା ୧୭ତାରିଖ ଦିନ ଗାନ୍ଧୀନଗର ହେଲିପ୍ୟାଡ ମଇଦାନରେ ଶପଥ ଗ୍ରହଣ କରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *