ସବୁ ପ୍ରତିଶ୍ରୁତି ପାଳନ ହେବ
ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ
ଶୀଘ୍ର ପଦ୍ମପୁର ଆସି ଆଶୀର୍ବାଦ ନେବି
କିଛି କେନ୍ଦ୍ର ମନ୍ତ୍ରୀ ଭୁଅାଁ ବୁଲାଉଛନ୍ତି
ମହିଳାଙ୍କୁ ଅପମାନ ନିନ୍ଦନୀୟ
ପିତା, ଭାଇ ଓ ବନ୍ଧୁ ଭଳି ବର୍ଷାଙ୍କ ପଛରେ ଛିଡ଼ା ହେଲି
ଭୁବନେଶ୍ୱର, ୮ା୧୨ (ବୁ୍ୟରୋ): ରାଜନୀତିରେ ହାରିବା ଓ ଜିତିବା, ନିର୍ବାଚନ ଲଢିବା ଅଲଗା କଥା । କିନ୍ତୁ ପଦମପୁରରେ ଜଣେ ମହିଳା ବର୍ଷାଙ୍କୁ ଅପମାନିତ କରାଗଲା । ଏଭଳି ଭାବରେ ଅସମ୍ମାନ କରିବା, ଅତି ନିନ୍ଦନୀୟ । ସେଥିପାଇଁ ମୁଁ ନିଷ୍ପତ୍ତି ନେଲି, ମୁଁ ନିଜେ ଯାଇ ବର୍ଷା ସିଂଙ୍କ ପାଖରେ ଠିଆ ହେବି । ଜଣେ ବାପା ଭଳି, ଜଣେ ଭାଇ ଭଳି, ଜଣେ ବନ୍ଧୁ ଭଳି ।
ବାପା ହରାଇଥିବା ବର୍ଷା ସାଙ୍ଗରେ ଠିଆ ହେବି । ସେଇଆ ହେଲା, ମୁଁ ପଦମପୁର ଯାଇଥିଲି । ମୁଁ ଭାବୁଛି, ଏହା କେବଳ ମୋ ପାଇଁ ଦୁଃଖ ନୁହେଁ । ଓଡିଶାର ସବୁ ମହିଳାଙ୍କ ପାଇଁ ଦୁଃଖର କଥା । ମହିଳାଙ୍କୁ ଅସମ୍ମାନ କଲେ କେବେ ସମର୍ଥନ ମିଳିବନି ।
ପଦମପୁରରେ ବଡ଼ ବିଜୟ ପରେ ପଦମପୁରବାସୀଙ୍କୁ ଧନ୍ୟବାଦ ଜଣାଇବା ଅବସରରେ ବିଜେପିକୁ ଏମିତି କଡ଼ା ସମାଲୋଚନା କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପିର କେନ୍ଦ୍ରମନ୍ତ୍ରୀ ପଦମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରି ଫେଲ ମାରିଛନ୍ତି । ନବୀନ ଆହୁରି କହିଛନ୍ତି, ପଦମପୁରବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇଛି, ତାହା ଗୋଟି ଗୋଟି କରି ନିଶ୍ଚୟ ପୂରଣ କରିବି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆପଣଙ୍କୁ ସମସ୍ତଙ୍କୁ ମୋର ଜୁହାର ଏବଂ ଏହି ଅଭୂତପୂର୍ବ ବିଜୟ ପାଇଁ ଧନ୍ୟବାଦ । ଏହା ଆଉ କାହାର ବିଜୟ ନୁହେଁ । ଏହା ପଦମପୁରବାସୀଙ୍କ ବିଜୟ । ବିଜେଡିର ଲକ୍ଷ ଲକ୍ଷ କର୍ମୀଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଆପଣମାନେ ବହୁତ ସିଷ୍ଟମେଟିକାଲି ଓ ନିଷ୍ଠାର ସହ କାମ କରିଛନ୍ତି । ସରକାରଙ୍କ ଭଲ ଭଲ ଯୋଜନାକୁ ଲୋକଙ୍କ ପାଖରେ ରଖିଛନ୍ତି ଓ ବିରୋଧୀ ଦଳର ସବୁ ମିଛ କଥାକୁ ଲୋକଙ୍କ ସମ୍ମୁଖରେ ରଖିଛନ୍ତି ।
କିଛି ଲୋକ ମୋତେ ପଚାରୁଛନ୍ତି, ଆପଣ ତ ପଞ୍ଚାୟତ ଇଲେକ୍ସନରେ ଯାଇ ନ ଥିଲେ, ବିଭିନ୍ନ ବାଇ-ଇଲେକ୍ସନରେ ବି ଯାଇ ନ ଥିଲେ, ଏ ପଦମପୁର ଇଲେକ୍ସନରେ କାହିଁକି ଗଲେ? ମୁଁ କହିବାକୁ ଚାହୁଁଛି ଯେଭଳି ଭାବରେ ଜଣେ ମହିଳାଙ୍କୁ, ଜଣେ ଶିକ୍ଷିତ ଅଳ୍ପ ବୟସର ମହିଳାଙ୍କୁ, ଜଣେ ବାପା ହରାଇ ଦୁଃଖରେ ଥିବା ମହିଳାଙ୍କୁ ରାଜ୍ୟ ବିଜେପିର କିଛି ନେତୃମଣ୍ଡଳୀ ଅସମ୍ମାନ କଲେ, ତାହା ମୋତେ ବହୁତ ଦୁଃଖ ଦେଲା । ମୁଁ ଭାବୁଛି, ଏହା କେବଳ ମୋ ପାଇଁ ଦୁଃଖ ନୁହେଁ । ଓଡିଶାର ସବୁ ମହିଳାଙ୍କ ପାଇଁ ଦୁଃଖର କଥା । ଜଣେ ମହିଳାଙ୍କୁ ଏଭଳି ଭାବରେ ଅସମ୍ମାନ କରିବା, ଅତି ନିନ୍ଦନୀୟ । ସେଥିପାଇଁ ମୁଁ ନିଷ୍ପତ୍ତି ନେଲି, ମୁଁ ନିଜେ ଯାଇ ବର୍ଷା ସିଂ ପାଖରେ ଠିଆ ହେବି ।
ମୁଁ ବିରୋଧୀ ଦଳକୁ ଅର୍ଥାତ ରାଜ୍ୟର ବିଜେପି ନେତୃମଣ୍ଡଳୀଙ୍କୁ ନମ୍ରତାର ସହ ଜଣାଇ ଦେବାକୁ ଚାହୁଁଛି ଯେ, ରାଜନୀତି କରିବା ବାହାନାରେ ଯଦି ମହିଳାଙ୍କୁ ଅସମ୍ମାନ କରାଯିବ, ତାକୁ କେବେ ଓଡିଶାବାସୀ ସମର୍ଥନ କରିବେ ନାହିଁ । ଆଜି ନୁହେଁ, ସଦା ବେଳେ । ଆଉ ଗୋଟେ ଗୁରୁତ୍ୱପର୍ଣ୍ଣ କଥା ହେଲା କେନ୍ଦ୍ର ମନ୍ତ୍ରୀମଣ୍ଡଳର କିଛି ମନ୍ତ୍ରୀମାନେ, ଓଡିଶାବାସୀଙ୍କୁ, ପଦମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କଲେ । ସେ ଆବାସ ଯୋଜନା ହେଉ, ବା କେନ୍ଦୁପତ୍ରର ଜିଏସଟି ହେଉ, ବା ଫସଲ ବୀମାର ବିଳମ୍ବ ହେଉ, ଏମଏସପି ପ୍ରସଙ୍ଗ ହେଉ, ବା ରେଲ କନେକ୍ଟଭିଟି ହେଉ, ଦିସ୍ ଇଜ୍ ଏକ୍ସଟ୍ରିମ୍ଲି ଅନ୍ଫରଚୁ୍ୟନେଟ୍ । ଏହା ଠିକ୍ ନୁହେଁ । ଆପଣ କେନ୍ଦ୍ରରେ ଅଛନ୍ତି, ଆମେ ରାଜ୍ୟରେ ଅଛୁ । ମିଶିକରି ଲୋକଙ୍କ ମଙ୍ଗଳ ପାଇଁ କାମ କରିବା । ଓଡିଶାର ଉନ୍ନତି ପାଇଁ କାମ କରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଆଜି ମୁଁ ପଦମପୁରବାସୀଙ୍କ ପାଖରେ ଋଣୀ । ବିନମ୍ରତାର ସହ କହିବାକୁ ଚାହେଁ ଯେ ଆପଣମାନଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ ହେବ । ଆଉ ଥରେ ସମସ୍ତଙ୍କୁ ଜୁହାର । ମୁଁ ବହୁତ ଶୀଘ୍ର ପଦମପୁରକୁ ଆସିବି । ଆପଣଙ୍କର ଆଶୀର୍ବାଦ ନେବି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।