ସାହେବ କେନାଲ ଅବରୋଧ: ଚିନ୍ତାରେ ମତ୍ସ୍ୟଜୀବୀ
ଗଞ୍ଜାମ (ଆପ୍ର): ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ନିକଟରୁ ଚିଲିକାକୁ ସଂଯୋଗ କରୁଥିବା ପାଲୁରୁ ସାହେବ କେନାଲକୁ ବେଆଇନ ଭାବେ ଅବରୋଧ କରାଯାଉଥିବା ଅଭିଯୋଗ ହେଉଛି । ଯଦ୍ଦ୍ୱାରା ଚିଲିକା ଓ ଋଷିକୁଲ୍ୟା ଉପରେ ନିର୍ଭର କରି ଜୀବିକା ନିର୍ବାହ କରି ଆସୁଥିବା ମତ୍ସ୍ୟଜୀବୀ ଚିନ୍ତିତ ହୋଇପଡ଼ଛନ୍ତି । ଏ ନେଇ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଘୋର ଉଦ୍ବେଗ ପ୍ରକାଶ ପାଉଛି । ଗଞ୍ଜାମ ବ୍ଲକ୍ର କଣ୍ଟିଆଗଡ଼ ସେତୁ ନିକଟରୁ ଚିଲିକା ମଧ୍ୟରେ ଅନେକ ସ୍ଥାନରେ ଜାଲ ଦ୍ୱାରା କେନାଲକୁ ଅବରୋଧ କରି ମାଛ ମରାଯାଉଥିବା ଯୋଗୁଁ ଚିଲିକା, ଋଷିକୁଲ୍ୟା ଓ ସମୁଦ୍ରକୁ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଆଦି ବିଭିନ୍ନ ଜଳଜୀବ ଗୁଡ଼ିକୁ ଯିବା ଆସିବା ନେଇ ବାଧା ସୃଷ୍ଟି ହେଉଛି । ଅନ୍ୟପଟେ ଛୋଟ ଛୋଟ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ମାରି ଦିଆଯାଉଥିବା ଅଭିଯୋଗ ହେଉଛି । ଯଦ୍ଦ୍ୱାରା ଅନେକ ପ୍ରଜାତିର ମାଛ ସ୍ଥାନୀୟ ଅଞ୍ଚଳରେ ଲୋପ ପାଇବାକୁ ବସିଲାଣି । ଫଳରେ ଚିଲିକା ଓ ଋଷିକୁଲ୍ୟା ନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରି ଆସୁଥିବା ଅନେକ ମତ୍ସ୍ୟଜୀବୀ ପରିବାର ଜୀବିକା ହରାଇ ସମ୍ପ୍ରତି ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ପ୍ରଶାସନ ମତ୍ସ୍ୟଜୀବୀଙ୍କ ସାମୁହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ନେବାକୁ ଦୃଢ଼ ଦାବି ହେଉଛି ।