ପ୍ରବଳ ଶୀତରେ ୨ ଦିନ ବର୍ଷା

ରାଜ୍ୟକୁ ବାତ୍ୟା ପ୍ରଭାବ ନାହିଁ
ଭୁବନେଶ୍ୱର (ବୁ୍ୟରୋ): ଘନୀଭୂତ ହେଉଛି ବାତ୍ୟା ମେନ-ଣ୍ଡୋସ୍ । ଶୁକ୍ରବାର ସକାଳ ସୁଦ୍ଧା ଏହା ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପନେବାର ସମ୍ଭାବନା ରହିଛି । ଏହାର ସିଧା ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । କିନ୍ତୁ ବାତ୍ୟାର ବାହ୍ୟ ବଳୟ ପ୍ରଭାବରେ ଆସନ୍ତା ୨ ଦିନ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।
ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ୯ ତାରିଖ ସକାଳ ସାଢ଼େ ୮ଟାରୁ ୧୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ଗଜପତି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଠିକ୍ ସେହିପରି ୧୦ ତାରିଖ ସକାଳ ସାଢ଼େ ୮ଟାରୁ ୧୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ଆଶଙ୍କା କରାଯାଉଛି ବୋଲି ପାଣିପାଗ ବିଜ୍ଞାନୀ ଶ୍ରୀ ଦାସ କହିଛନ୍ତି ।
ଗତ ୨୪ ଘଣ୍ଟାରେ ରାଜ୍ୟର ପାଗ ଶୁଖିଲା ରହିଛି । ସମତଳ ଅଞ୍ଚଳରେ ସର୍ବନିମ୍ନ ରାତିର ତାପମାତ୍ରା ସେମିଳିଗୁଡ଼ାରେ ୬.୯ଂ ରେକର୍ଡ ହୋଇଥିବାବେଳେ କୋରାପୁଟରେ ୭.୮ଂ, ଜି ଉଦୟଗିରିରେ ୮.୫ଂ, ସୁନ୍ଦରଗଡ଼ କିରେଇରେ ପାରଦ ୮.୭ଂ ଥିବାବେଳେ ଫୁଲବାଣୀରେ ୯ଂ ଓ ଦାରିଙ୍ଗବାଡ଼ିରେ ପାରଦ ୧୦ ଡିଗ୍ରୀ ରେକର୍ଡ ହୋଇଛି । ଠିକ୍ ସେହିପରି ପାହାଡ଼ିଆ ଅଞ୍ଚଳରେ ବ୍ୟାପକ ଶୀତ ଅନୁଭୂତ ହେଉଛି । ସକାଳେ ରାଜ୍ୟରେ କେତେକ ସ୍ଥାନରେ ଘନକୁହୁଡ଼ି ଦେଖିବାକୁ ମିଳିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପ୍ରଦତ୍ତ ତଥ୍ୟରୁ ପ୍ରକାଶ ପାଇଛି ।
ଆଗାମୀ ୨୪ ଘଣ୍ଟା ପରେ ବଢିବ ରାତ୍ରି ତାପମାତ୍ରା, କମିବ ଶୀତ । ଆଗାମୀ ୨୪ଘଣ୍ଟା ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ରାତ୍ରି ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଶୀତର ପ୍ରଭାବ କମିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି ।
ସେପଟେ ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା “ମାଣ୍ଡୋସ୍’ । ଦକ୍ଷିଣ-ପଶ୍ଚିମ ଓ ଏହାର ଆଖପାଖ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ଏକ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ବାତ୍ୟା ପ୍ରଭାବରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସଦ୍ୟତମ ରିପୋର୍ଟ ଅନୁସାରେ, ବାତ୍ୟା ମେଣ୍ଡସ୍ କରାଇକାଲ୍ଠାରୁ ୫୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି । କ୍ରମଶଃ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଓ ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *