ବିଚାରାଧୀନ ମକଦ୍ଦମାର ତୁରନ୍ତ ଫୈସଲା କର
ଜିଲ୍ଲାସ୍ତରୀୟ ରାଜସ୍ୱ ବିଭାଗୀୟ ସମୀକ୍ଷା ବୈଠକ
ଛତ୍ରପୁର (ଆପ୍ର): ଚଳିତ ଆର୍ଥିକ ବର୍ଷ ଶେଷ ହୋଇ ଆସୁଥିବା ହେତୁ ରାଜସ୍ୱ ଆଦାୟ ନିମନ୍ତେ ପ୍ରଦାନ କରାଯାଇଥିବା ଲକ୍ଷ୍ୟ ଧାର୍ଯ୍ୟଗୁଡ଼ିକ ଶତ ପ୍ରତିଶତ ପୂରଣ କରିବା ନେଇ ରାଜସ୍ୱ ବିଭାଗୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗୁରୁତ୍ୱାରୋପ କରିଥିଲେ । ଗୁରୁବାର ରାଜସ୍ୱ ବିଭାଗୀୟ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ତହସିଲ, ଅବକାରୀ, ଜଙ୍ଗଲ, ପରିବହନ, ମାପ ଓ ଓଜନ ବିଭାଗୀୟ ସମୀକ୍ଷା ହୋଇଥିଲା । ଜିଲ୍ଲାର ବିଭିନ୍ନ ତହସିଲରେ ବିଚାରାଧୀନ କେସ୍ଗୁଡ଼ିକର ଫଇସଲା କରିବା ନେଇ ତତ୍ପରତା ପ୍ରକାଶ କରିବା ପାଇଁ ଜିଲ୍ଲାପାଳ ତହସିଲଦାରମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସେହିଭଳି ଜଙ୍ଗଲ ଜମି ମକଦ୍ଦମା ଗୁଡ଼ିକର ଫଇସଲା ଶୀଘ୍ର ଶେଷ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଆଞ୍ଚଳିକ ପରିବହନ ବିଭାଗ, ଅବକାରୀ ବିଭାଗ, ନିବନ୍ଧ ବିଭାଗର ରାଜସ୍ୱ ଆଦାୟ ବୃଦ୍ଧି କରିବାକୁ ଜିଲ୍ଲାପାଳ କହିଛନ୍ତି । ବୈଧମାପ ବିଜ୍ଞାନ କାର୍ଯ୍ୟକୁ ଜିଲ୍ଲାରେ ଅଧିକ ତ୍ୱରାନ୍ୱିତ କରିବା ସକାଶେ ବରିଷ୍ଠ ନିରୀକ୍ଷକଙ୍କୁ କୁହାଯାଇଥିଲା । ଏତଦ୍ ବ୍ୟତୀତ ମାପ ଓ ଓଜନ ସମ୍ବନ୍ଧୀୟ ତଥ୍ୟ ଓ ନିୟମାବଳୀ ଜନସାଧାରଣଙ୍କ ଅବଗତି ସକାଶେ ପ୍ରକାଶ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ପ୍ରିୟ ରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଭଞ୍ଜନଗର ଉପ-ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ଉପ-ନିବନ୍ଧକ ବିଶ୍ୱମ୍ବର ରଥ ଜିଲ୍ଲାର ସମସ୍ତ ତହସିଲଦାର ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।