ସରକାରୀ ଖର୍ଚ୍ଚରେ ଇଫୁ ହେବେ ଡାକ୍ତର
ଫୁଲବାଣୀ/ଭୁବନେଶ୍ୱର, ୭ା୧୨ (ବୁ୍ୟରୋ): କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏମ୍ବିବିଏସ୍ରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କନ୍ଧମାଳ ଜିଲ୍ଲାର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କୁ ସହଯୋଗର ହାତ ବାଇଛନ୍ତି ରାଜ୍ୟ ସରକାର । ତାଙ୍କର ବାପା ଅତି ଗରିବ ହୋଇଥିବାବେଳେ ସେ ହଷ୍ଟେଲ୍ ଏବଂ ଅନ୍ୟାନ୍ୟ ପାଠପଢା ଖର୍ଚ୍ଚ ପାଇଁ କ୍ଷେତରେ ଶ୍ରମିକଭାବେ କାମ କରୁଥିଲେ । ଇଫୁ ଧାନବିଲରେ ଧାନ କାଟୁଥିବାର ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଇଫୁ ମଲ୍ଲିକଙ୍କ ଆର୍ଥିକ ସମସ୍ୟା ବିଷୟରେ ଅବଗତ ହେଲା ପରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ତ୍ୱରିତ ପଦକ୍ଷେପ ନେଇଛି । ଶ୍ରୀ ମଲ୍ଲିକଙ୍କ ପ୍ରଥମ ବର୍ଷ ପାଠପଢ଼ା ଖର୍ଚ୍ଚ ପାଇଁ ୬୨,୯୫୦ ଟଙ୍କା ମଞ୍ଜୁର କରିଛନ୍ତି ।
ଗଣମାଧ୍ୟମର ଖବରରୁ ଜଣାପଡ଼ିଥିଲା ଯେ, ଇଫୁ ମିଲ୍ଲିକ ଚଳିତ ବର୍ଷ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ରେ ସଫଳତା ହାସଲ କରିଥିଲେ ।
କିନ୍ତୁ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଅସମର୍ଥ ଥିଲେ । ତାଙ୍କର ପରିବାର ବହୁତ ଗରିବ ଥିବାରୁ ପାଠ ପଢ଼ିବା ଓ ଅନ୍ୟ ଖର୍ଚ୍ଚ ତୁଲାଇବା ପାଇଁ ଲକ୍ଷାଧିକ ଟଙ୍କା ଯୋଗାଡ଼ କରିବା ଅସମ୍ଭବ ହୋଇପଡ଼ିଥିଲା ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଗ୍ରାମିଲା ଗାଁର ଗରିବ ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କ ଡାକ୍ତରୀ ପାଠପଢା ଖର୍ଚ୍ଚ ପାଇଁ କିସ୍ ଫାଉଣ୍ଡେସନ୍ ସହାୟତା ଦେବା ନେଇ ପୂର୍ବରୁ ଘୋଷଣା କରିଛି । ଇଫୁଙ୍କୁ ଆବଶ୍ୟକ ଥିବା ସହାୟତା ସମ୍ପର୍କରେ କିଟ୍, କିସ୍ ଓ କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚୁ୍ୟତ ସାମନ୍ତ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ । ଇଫୁଙ୍କ ଆର୍ଥିକ ଅନାଟନ ସମ୍ପର୍କରେ ଜାଣିବା ପରେ କିସ୍ ଫାଉଣ୍ଡେସନ୍ ପକ୍ଷରୁ ତାଙ୍କର ଡାକ୍ତରୀ ପାଠପଢା ଖର୍ଚ୍ଚ ବହନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ପରେ ଇଫୁ ଏବଂ ତାଙ୍କ ପରିବାର କିସ୍ ଫାଉଣ୍ଡେସନ୍ ଓ ଶ୍ରୀ ସାମନ୍ତଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି । କିସ୍ ଫାଉଣ୍ଡେସନ୍ ପକ୍ଷରୁ ଇଫୁ ଭଳି ଜଣେ ଗରିବ ମେଧାବୀ ଛାତ୍ରଙ୍କୁ କିସ୍ ଫାଉଣ୍ଡେସନ୍ ସହାୟତାର ହାତ ବାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ସୂଚନାଥାଉ କି, ଡାକ୍ତର ହେବାର ସ୍ୱପ୍ନ ପୂରଣ ପାଇଁ ବିଲରେ ଖଟୁଥିବା ଇଫୁଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଡାକ୍ତରୀ ପାଠପଢ଼ାର ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସହାୟତା ଓ ସହଯୋଗର ପାଣ୍ଠି । ମୁଖ୍ୟମନ୍ତ୍ରୀଙ୍କ ସହାୟତା ଓ ସହଯୋଗ ମିଳିବା ପରେ ଇଫୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି କୃତଜ୍ଞତାର କୋଟି ପ୍ରଣାମ । ଏଥି ସହ ତାର ଡାକ୍ତର ହେବା ସ୍ୱପ୍ନରେ ମୁଖ୍ୟମନ୍ତ୍ରୀ ଡେଣା ଲଗାଇଛନ୍ତି ବୋଲି କହିଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡ଼ିଆକିଆ ପଞ୍ଚାୟତରେ ବାଗରା ମିଲା ଗ୍ରାମର ଦିନ ମଜୁରିଆର ପୁଅ ଇଫୁ ମଲ୍ଲିକ ପିଲାବେଳୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ । ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବେ ବୋଲି ଭାବିଥିଲେ । ପରିବାରରେ ବୃଦ୍ଧ ବାପାମା’, ବଡ଼ ଭାଇ ଓ ସାନ ଭଉଣୀ ଅଛନ୍ତି । ହେଲେ କେହି ମଧ୍ୟ ରୋଜଗାରିଆ ନୁହନ୍ତି । ପିଲାଟି ବେଳୁ ଅଭାବ ଅନଟନରେ ବିଥିବା ଇଫୁଙ୍କର ପାଠପଢ଼ା ପ୍ରତି ପ୍ରବଳ ଆଗ୍ରହ ରହିଛି । ବିନା କୌଣସି ସାହାଯ୍ୟ ସହଯୋଗରେ ସେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷାରେ ବେଶ୍ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ । ଚଳିତ ବର୍ଷ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଇଫୁ କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି ।
ମେଡିକାଲ କଲେଜରେ ନାମ ସିନା ଲେଖାଇ ଦେଇଛନ୍ତି, ହେଲେ ଆଗକୁ କିପରି ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ନିଜ ସ୍ୱପ୍ନକୁ ହାସଲ କରିବେ ଏବେ ସେ ଚିନ୍ତା ଘାରିଥିଲା । କାରଣ ଆସନ୍ତା ୫ ବର୍ଷ ପାଇଁ ନିଜର କଲେଜ ଫି, ହଷ୍ଟେଲ ଫି ତଥା ପାଠପଢ଼ା ଖର୍ଚ୍ଚ କେଉଁଠୁ ଯୋଗାଡ଼ କରିବେ ସେ ନେଇ ଶାନ୍ତିରେ ରହି ପାରୁ ନଥିଲେ ଇଫୁ । ଅର୍ଥ ଯୋଗାଡ଼ କରିବାକୁ କେତେବେଳେ ପର ବିଲରେ ମଜୁରୀ ଲାଗୁଛନ୍ତି ତ କେତେବେଳେ ଜିନିଷ ବୋହି ଆଣୁଛନ୍ତି । ଏମିତି କାମଧନ୍ଦା କରି ସେ ନିଜ ପାଠପଢ଼ା ପାଇଁ କିଛି ପଇସା ଯୋଗାଡ଼ କରିପାରିବେ ବୋଲି ଆଶା ରଖିଥିଲେ ।
ଇଫୁ କହିଥିଲେ ଯେ ମେଡିକାଲ କଲେଜରେ ସିଟ୍ ତ ପାଇଗଲି, ହେଲେ ଆଗକୁ କିପରି ପାଠ ପଢ଼ିବି, ମେସ ଫି କେଉଁଠୁ ଯୋଗାଡ଼ କରିବି ସେ ନେଇ କିଛି ଜାଣିନି । କାରଣ ମୋ ପରିବାର ଏହି ଖର୍ଚ୍ଚ ଉଠାଇବାକୁ ସମର୍ଥ ନୁହେଁ । ବହୁ କଷ୍ଟରେ ଆଡମିଶନ କରି ଘରକୁ ଆସିଛିୟ ନିଜ ଖର୍ଚ୍ଚ ଉଠାଇବାକୁ ବିଭିନ୍ନ କାମ କରୁଛି । ଅନ୍ୟର ଧାନ କାଟି କିଛି କିଛି ପାଉଣା ଯୋଗାଡ଼ କରୁଛି । ପାଠ ପଢ଼ା ସହ କାମ କରିବାକୁ ଚାହୁଁଛି । ଗତ ୧୦ ଦିନ ଭିତରେ ସେ ୨ ହଜାର ଟଙ୍କା ସଞ୍ଚୟ କରିଛନ୍ତି । ଡିସେମ୍ବର ୧୫ରୁ କ୍ଲାସ ଆରମ୍ଭ ହେବ । ଆଶା ରଖିଥିଲେ ଧାରଉଧାର କରି କଷ୍ଟେମଷ୍ଟେ ପାଠପଢ଼ା ଆରମ୍ଭ କରିବେ । ମାତ୍ର ମେଧାବୀ ଇଫୁଙ୍କ ଏ ସଂଘର୍ଷର କାହାଣୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ହେବାର ୬ ଘଣ୍ଟା ମଧ୍ୟରେ ପାଠପଢ଼ା ପାଇଁ ପାଣ୍ଠି ମଞ୍ଜୁର କରିଛନ୍ତି । ହଷ୍ଟେଲ ଫି ପାଇଁ ଇଫୁ ଆଉ ମଜୁରିଆ ସାଜିବେନି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ନିବାସକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ପରେ ଇଫୁଙ୍କ ସ୍ୱପ୍ନ ଏବେ ସାକାର ହେବ । ବିନା ବାଧାରେ ଇଫୁ ମଲ୍ଲିକ ହେବେ ଡାକ୍ତର ଇଫୁ ମଲ୍ଲିକ ।