ଚିନ୍ତା ବଢ଼ାଉଛି ଆଶା-ଅଙ୍ଗନୱାଡ଼ି କର୍ମୀଙ୍କ ଧାରଣା
ବୋଝ ପାଲଟୁଛି ଶ୍ରମିକ ସାମ୍ମୁଖ୍ୟ
ଭୁବନେଶ୍ୱର (ବୁ୍ୟରୋ): ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଙ୍ଗଠନରେ ଫାଟ କରି ସେମାନଙ୍କ ଭୋଟ୍ ହାତେଇବା ପାଇଁ “ବିଜୁ ଶ୍ରମିକ ସାମ୍ମୁଖ୍ୟ’ ଏବେ ବୋଝ ପାଲଟିବାରେ ଲାଗିଛି । ଦୀର୍ଘ ୧୭ଦିନ ଧରି ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀମାନେ ବିଧାନସଭା ସମ୍ମୁଖରେ ଆନେ୍ଦାଳନରେ ବସି ରହିବା ଫଳରେ ସଙ୍ଗଠନ ହାତ ଛାଡ଼ୁଛନ୍ତି ଅଙ୍ଗନୱାଡୀ ଓ ଆଶା କର୍ମୀ । ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ଏବେ ଗ୍ରାମାଞ୍ଚଳରେ ଅନୁଭୂତ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଏମାନେ ଧାରଣାରେ ବସିଥିବାବେଳେ ପ୍ରାୟ ୫୦ହଜାରରୁ ଅଧିକ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ଝୁଲୁଛି ।
ଅଙ୍ଗନୱାଡ଼ି କର୍ମୀମାନଙ୍କ ଅନୁପସ୍ଥିତିରେ ସେମାନଙ୍କ କାମ ୱାର୍ଡମେମ୍ବର ଓ ମହିଳା ଏସଏଚ୍ଜି ମାଧ୍ୟମରେ କରାଇବାର ଉଦ୍ୟମ ବି ଅନେକ ସ୍ଥାନରେ ଫେଲ୍ ମାରିଛି । ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କସ ଆସୋସିଏସନ ବ୍ୟାନରରେ ରାଜଧାନୀରେ ଅଙ୍ଗନୱାଡ଼ି କର୍ମୀମାନେ ନିଜର ଦରମା ବୃଦ୍ଧି, ପେନସନ ଓ ସାମାଜିକ ସୁରକ୍ଷା ଆଦି ଦାବିରେ ଦୀର୍ଘ ୧୭ଦିନ ଧରି ଆନେ୍ଦାଳନରେ ବସିଛନ୍ତି । ଏବେ ରାଜ୍ୟରେ ପ୍ରାୟ ୧.୪୨ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା କାର୍ଯ୍ୟରତ ଥିବାବେଳେ ସେମାନଙ୍କ ମଧ୍ୟରୁ ୧ଲକ୍ଷ ୧୫ହଜାର ୧୨୫ କର୍ମୀ ଏହି ସଙ୍ଗଠନରେ ସାମିଲ ଅଛନ୍ତି । ନିଜର ଦାବି ପୂରଣ ପାଇଁ ନଭେମ୍ବର ୨୧ରେ ପ୍ରାୟ ୭୦ହଜାରରୁ ଅଧିକ କର୍ମୀ ରାଜଧାନୀରେ ନିଜର ଶକ୍ତି ପ୍ରଦର୍ଶନ କରିଥିବାବେଳେ ଏବେ ପ୍ରତିଦିନ ଗୋଟିଏ ଲେଖାଏଁ ଜିଲ୍ଲାରୁ ଅଙ୍ଗନୱାଡ଼ି କର୍ମୀ ଧାରଣାସ୍ଥଳକୁ ଆସି ପ୍ରତିବାଦ କରୁଛନ୍ତି ।
ଆସନ୍ତା ୯ ତାରିଖରେ ସଙ୍ଗଠନ ପୁଣି ଏକ ବିଶାଳ ସମାବେଶର ଆୟୋଜନ କରୁଛି । ଏହାପରେ ସଙ୍ଗଠନ ପକ୍ଷରୁ ସବୁ ବିଧାୟକ ଓ ମନ୍ତ୍ରୀଙ୍କୁ ଭେଟି ନିଜ ଦାବି ପତ୍ର ପ୍ରଦାନ କରାଯିବାକୁ ଲଏକ୍ଷ୍ୟ ରଖାଯାଇଛି । ସେହିପରି ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଅଙ୍ଗନୱାଡୀ କର୍ମୀଙ୍କ ଦୁଃଖ ନ ଶୁଣିଛନ୍ତି ସେପର୍ଯ୍ୟନ୍ତ ତଦନ୍ତ ଜାରି ରହିବ ବୋଲି ସଙ୍ଗଠନ ପକ୍ଷରୁ ପ୍ରକାଶ ପାଇଛି ।
ସେହିପରି ନିଜର ଦରମା ଓ ଅନ୍ୟାନ୍ୟ ଦାବିରେ ରାଜଧାନୀରେ ଆନେ୍ଦାଳନରତ ଆଶା କର୍ମୀ ଆସନ୍ତା ୧୪ତାରିଖରେ ସବୁ ଜିଲ୍ଲାରେ ଜେଲଭରୋ ଆନେ୍ଦାଳନ ଓ ୨୦ତାରିଖରେ ନବୀନ ନିବାସ ଘେରାଉ କରିବାକୁ ନିଷ୍ପତ୍ତି ନେଇଥିବା ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ସଭାନେତ୍ରୀ ମମତା ମହାନ୍ତି କହିଛନ୍ତି । ମହିଳା ଭୋଟ୍ ବ୍ୟାଙ୍କ ସହ ସିଧାସଳଖ ଜଡ଼ିତ ଓ ଭୋଟକୁ ପ୍ରଭାବିତ କରିବାର କ୍ଷମତା ଥିବା ଏହି ଅଙ୍ଗନୱାଡ଼ି ଏବଂ ଆଶା କର୍ମୀଙ୍କୁ ହତାଦର କରିବା ଆଗକୁ ମହଙ୍ଗା ପଡ଼ିବ ବୋଲି ଧାରଣାରତ କର୍ମୀମାନେ ପ୍ରକାଶ କରିଛନ୍ତି ।