ଦିଲ୍ଲୀର ଦିଲ୍ ଜିତିଲା ଆପ୍

ନୂଆଦିଲ୍ଲୀ, ୭ା୧୨: ଦିଲ୍ଲୀ ନଗର ନିଗମ (ଏମ୍ସିଡି) ନିର୍ବାଚନରେ କ୍ରମାଗତ ଚତୁର୍ଥ ଥର ଜିତିବାର ଯେଉଁ ସ୍ୱପ୍ନ ବିଜେପି ଦେଖିଥିଲା, ଆମ୍ ଆଦ୍ମୀ ପାର୍ଟି (ଆପ୍) ତାହାକୁ ଧୂଳିସାତ୍ କରିଦେଇଛି । ଏମ୍ସିଡିରେ ବିଜେପିର ୧୫ ବର୍ଷ ରାଜତ୍ୱର ଅନ୍ତ ଘଟିଛି । ୨୫ଠ ଆସନ ମଧ୍ୟରୁ ଆପ୍ ୧୩୪ରେ ବିଜୟୀ ହୋଇଥିବା ବେଳେ ପଦ୍ମଦଳର ରଥ ୧ଠ୪ରେ ଅଟକିଛି । କଂଗ୍ରେସ ମାତ୍ର ୯ଟି ଆସନ ପାଇଥିବାବେଳେ ୩ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଗତ ନିର୍ବାଚନ ତୁଳନାରେ ଏଥର ବିଜେପି ୭୭ ଆସନ ହରାଇଥିବାବେଳେ ଆପ୍ ଅଧିକ ୮୫ ଆସନ ପାଇଛି । କ୍ରମାଗତ ଦୁଇଥର ଦିଲ୍ଲୀ ବିଧାନସଭା ଓ ପ୍ରଥମଥର ପାଇଁ ଏମ୍ସିଡି ଦଖଲ କରିବା ପରେ ଅରବିନ୍ଦ କେଜରିୱାଲ୍ ଲୋକସଭାରେ ଦଳ ଯେପରି ୨ଠ୨୪ରେ ଖାତା ଖୋଲିବ, ତାହା ଉପରେ ଫୋକସ୍ କରିବାକୁ ଯୋଜନା ଚଳାଇଛନ୍ତି ।
ଏହି ନିର୍ବାଚନରେ ଆପ୍ ବିଜୟୀ ହୋଇଥିଲେ ହେଁ ଦଳର ଭୋଟ୍ ପ୍ରତିଶତ କମିଛି । ଅପରପକ୍ଷେ ବିଜେପି ଓ କଂଗ୍ରେସର ଭୋଟ୍ହାରରେ ବୃଦ୍ଧି ଘଟିଥିବା ଜଣାପଡ଼ିଛି । ବିଧାନସଭା ନିର୍ବାଚନରେ ଆପ୍ର ଭୋଟ୍ ପ୍ରତିଶତ ଥିଲା ୫୩.୬୧ । ଏମ୍ସିଡି ନିର୍ବାଚନରେ ତାହା ୪୨.୦୫କୁ ଖସିଯାଇଛି । ସେହିପରି ବିଧାନସଭାରେ ବିଜେପି ଓ କଂଗ୍ରେସର ଭୋଟ୍ ସେୟାର ଯଥାକ୍ରମେ ୩୮.୫୨ ଓ ୪.୨୫ ପ୍ରତିଶତ ଥିଲା । ଏମ୍ସିଡି ନିର୍ବାଚନରେ ଏହା ଯଥାକ୍ରମେ ୩୯.ଠ୯ ଓ ୧୧.୬୮ ପ୍ରତିଶତ ହୋଇଛି ।
୧୯୯୭ରୁ ଏମ୍ସିଡି ଉପରେ ବିଜେପିର କବ୍ଜା କାୟମ୍ ରହିଆସିଥିଲା । ବିଧାନସଭା ନିର୍ବାଚନରେ ଦିଲ୍ଲୀବାସୀ ଅରବିନ୍ଦ କେଜରିୱାଲ୍ଙ୍କ ଦଳକୁ ବିପୁଳ ଭୋଟ୍ରେ ଜିତାଇଥିଲେ ହେଁ ଲୋକସଭା ଓ ନଗର ନିଗମ ନିର୍ବାଚନରେ ବିଜେପି ପ୍ରାର୍ଥୀମାନଙ୍କୁ ବହୁସଂଖ୍ୟାରେ ଭୋଟ୍ ଦେଇଥିଲେ । ଏଥର କିନ୍ତୁ ଦିଲ୍ଲୀବାସୀଙ୍କର ବିଜେପି ପ୍ରତି ମୋହ ଭଙ୍ଗ ଘଟିଛି । ସମୀକ୍ଷକମାନଙ୍କ ମତରେ ଦିଲ୍ଲୀ ଜନତାଙ୍କ ମନୋଭାବ ମାପିବାରେ ବିଫଳ ହୋଇଛି ବିଜେପି । ତା’ଛଡ଼ା ବିଜେପିର ନକାରାତ୍ମକ ନିର୍ବାଚନ ପ୍ରଚାରକୁ ଭୋଟର୍ମାନେ ଅଗ୍ରାହ୍ୟ କରିଛନ୍ତି । କେଜରିୱାଲ୍ଙ୍କ ଦଳର କାଡର୍ମାନେ ସ୍ଥାନୀୟ ପ୍ରସଙ୍ଗ, ଯଥା- ରାସ୍ତାଘାଟ, ନାଳନର୍ଦ୍ଦମା, ଆବର୍ଜନା ସଫେଇ ଆଦି ପ୍ରସଙ୍ଗ ଉପରେ ସର୍ବାଧିକ ଗୁରୁତ୍ୱ ଦେଇ ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ଓ ବସ୍ତିବାସୀ ଭୋଟର୍ଙ୍କ ନିକଟରେ ପହଞ୍ଚôଥିଲେ । ଆପ୍ର ବିଜୟ ପଛରେ ଅନ୍ୟ ଏକ କାରଣ ହେଉଛି, କଂଗ୍ରେସର ବହୁ ସମର୍ଥକ ଆପ୍ ଆଡ଼କୁ ଢଳିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *