୨ଠ୩ଠ ସୁଦ୍ଧା ଅସହ୍ୟ ଗ୍ରୀଷ୍ମପ୍ରବାହ
ଭାରତ ପାଇଁ ବିଶ୍ୱ ବ୍ୟାଙ୍କ୍ର ସତର୍କ ସୂଚନା
ନିଯୁକ୍ତି ହରାଇବେ ୩ କୋଟି ଲୋକ
ନୂଆଦିଲ୍ଲୀ (ଏଜେନ୍ସି): ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱ ତାପାୟନ ପ୍ରକ୍ରିୟା ମଧ୍ୟ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ସମ୍ପ୍ରତି ଭୂପୃଷ୍ଠ ଆଶାତୀତ ଭାବେ ଉତ୍ତପ୍ତ ହେବାରେ ଲାଗିଛି । ତେବେ ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ କାରଣରୁ ଯେଉଁଠି ପ୍ରକୃତି ନିଜ କଡ ଲେଉଟାଉଥିବା (ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ବିପାକ) ଭଳି ଅନେକ ଘଟଣା ଦେଖିବାକୁ ମିଳୁଛି, ସେଠାରେ ବିଶ୍ୱ ତାପାୟନ ଯୋଗୁ ଜନଜୀବନଙ୍କ ଆୟୁକାଳ ମଧ୍ୟ କ୍ଷୀଣ ହେବାରେ ଲାଗିଛି । ତେବେ ଏସବୁ କାରଣ ଯୋଗୁ ଜନସାଧାରଣଙ୍କ ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହେବା ଭଳି ବିଶ୍ୱ ବ୍ୟାଙ୍କ୍ ପକ୍ଷରୁ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି ।
ବିଶ୍ୱ ବ୍ୟାଙ୍କ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ ‘କ୍ଲାଇମେଟ୍ ଇନ୍ଭେଷ୍ଟମେଣ୍ଟ ଅପର୍ଚୁନିଟିଜ୍ ଇନ୍ ଇଣ୍ଡିଆସ୍ କୁଲିଂ ସେକ୍ଟର’ ଅନୁଯାୟୀ, ଭୂମଣ୍ଡଳ ଉତ୍ତପ୍ତ ହେବା ଯୋଗୁ ଆଗାମୀ କିଛି ବର୍ଷ ମଧ୍ୟରେ ବିଶ୍ୱ ସ୍ତରରେ ବେରୋଜଗାରୀ ହାର ମାତ୍ରାଧିକ ବୃଦ୍ଧି ପାଇବ । ୨ଠ୩ଠ ସୁଦ୍ଧା ବୈଶ୍ୱିକ ସ୍ତରରେ ପ୍ରାୟ ୮ କୋଟି ଲୋକ ଜୀବିକା ହରାଇବେ । ସେହିପରି ଭାରତରେ ପ୍ରାୟ ୩.୪ କୋଟି ଲୋକ ନିଜ ଜୀବିକା ହରାଇବାକୁ ବାଧ୍ୟହେବେ । ସିଧାସଳଖ କହିଲେ ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ ହୋଇଛି । ଫଳରେ ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ନିୟମିତ ବନ୍ୟା ବାତ୍ୟା ପରିଲକ୍ଷିତ ହେଉଛି । ତେବେ ଆଗାମୀ ଦିନରେ ଭାରତରେ ଭୀଷଣ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ, ଯାହାକି ଭାରତୀୟଙ୍କ ପାଇଁ ଅସହ୍ୟ ହୋଇପଡ଼ିବ । ଏହି କାରଣରୁ ପାୱାର ପ୍ଲାଣ୍ଟ, ଇଟାଭାଟି ଭଳି ଉତ୍ତପ୍ତ କାର୍ଯ୍ୟସ୍ଥଳୀରେ କାମ କରୁଥିବା କର୍ମଚାରୀ ଚାକିରି ଛାଡିବାକୁ ବାଧ୍ୟ ହେବେ ।
ଏଥିସହ ଅସହ୍ୟ ଉତ୍ତାପ କାରଣରୁ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଭାରତର ଶ୍ରମ କ୍ଷେତ୍ରରେ ଜିଡିପିର ୪.୫% ଅର୍ଥାତ୍ ପ୍ରାୟ ୧୫ଠ-୨୫ଠ ବିଲିୟନ ଡ଼ଲାରକୁ ହ୍ରାସ ପାଇବ ବୋଲି ବିଶ୍ୱ ବ୍ୟାଙ୍କ୍ ଆକଳନ କରୁଛି । ଅର୍ଥାତ୍ ଭାରତୀୟ ଅର୍ଥନୀତିରେ ହିଟ୍ୱେଭ୍ର ପ୍ରଭାବ ପରିଲକ୍ଷିତ ହେବ । ସମଗ୍ର ଭାରତରେ ଉତ୍ତାପ ବୃଦ୍ଧି ଯୋଗୁ ଅର୍ଥନୈତିକ ତଥା ଉତ୍ପାଦନ କ୍ଷେତ୍ର ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ । ସୂଚନାଯୋଗ୍ୟ, ଭାରତର ୭୫% କର୍ମଜୀବୀ କିମ୍ବା ୩୮ଠ ନିୟୁତ ଲୋକ ଉତ୍ତାପ ପ୍ରଭାବିତ ଶ୍ରମଭିତ୍ତିକ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ରହିଛନ୍ତି ।
ବିଶ୍ୱ ବ୍ୟାଙ୍କ୍ ରିପୋର୍ଟ ଅନୁସାରେ ଭାରତ ଖୁବ୍ଶୀଘ୍ର ଏପରି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛି, ଯେଉଁଠି ପ୍ରବଳ ଉତ୍ତାପ ଅନୁଭୂତ ହେବ, ଯାହାକି ମଣିଷର ଜୀବନ ଜିଇଁବାର ଇଚ୍ଛା ଶକ୍ତିକୁ ମଧ୍ୟ ଅନେକାଂଶରେ ହ୍ରାସ କରିବ । ୨ଠ୨୧ ଅଗଷ୍ଟରେ ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଫର୍ କ୍ଲାଇମେଟ୍ ଚେଞ୍ଜ୍ (ଆଇପିସିସି) ପକ୍ଷରୁ ମଧ୍ୟ ସମାନ ପ୍ରକାରର ଚେତାବନୀ ଦିଆଯାଇଥିଲା । ୨ଠ୨୧ରେ ଜି-୨ଠ କ୍ଲାଇମେଟ ରିସ୍କ ଆଟଲାସ୍ରେ ମଧ୍ୟ ଏନେଇ ସତର୍କ କରାଯାଇଥିଲା । ଏଥିରେ ଯଦି ବାୟୁମଣ୍ଡଳରେ କାର୍ବନ ଉତ୍ସର୍ଜନ ସ୍ତର ଅଧିକ ରୁହେ, ତେବେ ଭାରତରେ ୨ଠ୩୬ରୁ ୨ଠ୬୫ ମଧ୍ୟରେ ୨୫ଗୁଣ ଅଧିକ ସମୟ ପର୍ଯ୍ୟନ୍ତ ଲ’ (ଗ୍ରୀଷ୍ମ ପ୍ରବାହ) ଜାରି ରହିବ ବୋଲି କୁହାଯାଇଥିଲା ।
ପ୍ରକାଶ, ଗତ ଏକ ସପ୍ତାହ ମଧ୍ୟରେ ଭାରତରେ କେବଳ ହିଟ୍ ୱେଭ୍ (ଅସହ୍ୟ ଗ୍ରୀଷ୍ମପ୍ରବାହ) କାରଣରୁ ୧୮ଠଠ ଲୋକଙ୍କ ପ୍ରାଣହାନୀ ଘଟିଛି । ୨ଠ୨୨ରେ ଭାରତର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କେତେକ ରାଜ୍ୟରେ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଥିଲା । ସେହିପରି ଚଳିତ ବର୍ଷ ଏପ୍ରିଲ୍ ମଧ୍ୟଭାଗରେ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକରେ ଶହ ଶହ ଲୋକଙ୍କ ଅସ୍ୱାଭାବିକ ମୃତୁ୍ୟ କେବଳ ଅସହ୍ୟ ଗ୍ରୀଷ୍ମପ୍ରବାହ କାରଣରୁ ହୋଇଛି । ଏହାକୁ ଆଧାର କରି ବିଶ୍ୱ ବ୍ୟାଙ୍କ୍ ପକ୍ଷରୁ ଭାରତ ପାଇଁ ଏପ୍ରକାର ଏକ ଚେତାବନୀ ପୂର୍ଣ୍ଣ ରିପୋର୍ଟ ପ୍ରକାଶ କରାଯାଇଛି । ସୂଚନାଯୋଗ୍ୟ, କେରଳ ସରକାରଙ୍କ ସହଭାଗିତାରେ ବିଶ୍ୱ ବ୍ୟାଙ୍କ ଦ୍ୱାରା ଆୟୋଜିତ ଦୁଇ ଦିନିଆ ଭାରତ ଜଳବାୟୁ ଏବଂ ବିକାଶ ଭାଗୀଦାରୀ ସମ୍ମିଳନୀ ଅବକାଶରେ ବିଶ୍ୱ ବ୍ୟାଙ୍କର ଏହି ରିପୋର୍ଟ ପ୍ରକାଶ ପାଇବ ।