ବାଲକିଡ଼ାଡି-କେଳାପଡ଼ା ପ୍ରଧାନମନ୍ତ୍ରୀ ସଡ଼କ ନିମ୍ନମାନର
ଫୁଲବାଣୀ (ଆପ୍ର): ସରକାର ସାଧାରଣ ଲୋକଙ୍କ ସୁବିଧା ଲାଗି ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଅଧିକାରୀ କିମ୍ୱା ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ବିଭିନ୍ନ ସମୟରେ ନିମ୍ନମାନର କାର୍ଯ୍ୟ ହେଉଥିବା ଦେଖିବାକୁ ମିଳୁଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବାଲକିଡ଼ାଡ଼ି-କେଳାପଡ଼ା ଛକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ କାମ ନିମ୍ନମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବିରୋଧ କଲେ ମଧ୍ୟ ଅଞ୍ଚଳବାସୀଙ୍କୁ ବେଖାତିର୍ କରି ଜୋର୍ ଜବରଦସ୍ତ କାମକୁ ଚାଲୁ ରଖିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ବାଲକିଡ଼ାଡି ଠାରୁ କେଳାପଡ଼ା ଛକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି । ୨ କୋଟି ୮୫ଲକ୍ଷ ୨୭ ହଜାର ବ୍ୟୟ ଅଟକଳରେ ୨୭/୦୫/୨୦୨୧ ରୁ କାର୍ଯ୍ୟ ଆରମ୍ଭ ଓ ୨୬/୦୪/୨୦୨୨ ସୁଦ୍ଧା ରାସ୍ତା କାମ ଶେଷ ପାଇଁ ଧାର୍ଯ୍ୟ ହୋଇଛି । ରାସ୍ତାରେ କିଛି ଜାଗାରେ ପୁରୁଣା ପିଚୁ କାମକୁ କେବଳ ଜେସିବିରେ ରାମ୍ପି ରୋଲର୍ ଚପାଇ ତା ଉପରେ ପୁଣି ପିଚୁ ପଡ଼ିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବର୍ତ୍ତମାନ କେଳାପଡ଼ା ସାହି ମଧ୍ୟରେ ପିଚୁ କାମ ଚାଲିଛି । ନିମ୍ନମାନର କାର୍ଯ୍ୟ ଯୋଗୁଁ ପିଚୁ ପଡ଼ିବାର ଗୋଟିଏ ଦିନ ପରେ ଉଠିଯାଉଥିବାରୁ ଅଞ୍ଚଳବାସୀ ପ୍ରବଳ ବିରୋଧ କରିଛନ୍ତି । ତୁରନ୍ତ କାମ ବନ୍ଦ କରିବା ପାଇଁ ଲୋକେ ଦାବି କରୁଥିବାବେଳେ ସୁପର୍ଭାଇଯର ଏହାକୁ ବେଖାତିର କରି ଜେଇଙ୍କ କହିବା ମୁତାବକ କାମ ଚାଲିଛି ବୋଲି କହିଛନ୍ତି । ଯନ୍ତ୍ରୀଙ୍କ ଜାଣତରେ ଏପରି କାର୍ଯ୍ୟ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜେଇଙ୍କ ଅନୁପସ୍ଥିତିରେ କାମ ଚାଲୁଥିବାରୁ କାର୍ଯ୍ୟକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ଏନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ବସନ୍ତ କହଁର, ମିଥୁନ ନାୟକ, ଲକ୍ଷ୍ମୀକାନ୍ତ ନାୟକ, ସୀମାଞ୍ଚଳ ବିଶୋଇ, ପ୍ରେମା ବିଶୋଇ, କର୍ଣ୍ଣ ରଣା, ରବୀନ୍ଦ୍ର ବେହେରା, ସୁଶାନ୍ତ ସାହୁ, ଶିବ ନାୟକ, ଈଶ୍ୱର ବେହେରା ପ୍ରମୁଖ କହିଛନ୍ତି । ଘଟଣା ସଂପର୍କରେ ଦାୟିତ୍ୱରେ ଥିବା ଯନ୍ତ୍ରୀ ଗଣେଶ କୁମାର ନାୟକଙ୍କୁ ପଚାରିବାରୁ ଦେଖିଲା ପରେ ନିମ୍ନମାନର କାମ ହେଉଥିଲେ କାର୍ଯ୍ୟାନୁଷ୍ଠାନ ନିଆ ହେବ ବୋଲି କହିଛନ୍ତି ।