ବିଳମ୍ବ ହେବ ଉପକୂଳ ରାଜପଥ
ଭୁବନେଶ୍ୱର (ତଥ୍ୟ): ବହୁ ପ୍ରତିକ୍ଷୀତ ଉପକୂଳ ରାଜପଥର ଟାଙ୍ଗିଠାରୁ ଦୀଘା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇପାରେ । କାରଣ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍ଏଚଏଆଇ)ର ଜମି ଅଧିଗ୍ରହଣ କମିଟି ବର୍ତ୍ତମାନ ସୁଦ୍ଧା ପ୍ରସ୍ତାବିତ ପ୍ରକଳ୍ପର ରତନପୁର ଠାରୁ ଦୀଘା ପର୍ଯ୍ୟନ୍ତ ରାଜପଥ ପାଇଁ ସବୁଜ ସଙ୍କେତ ଦେଇ ନାହାନ୍ତି ।
କେନ୍ଦ୍ର ସରକାର ଭାରତମାଳା ପରିଯୋଜନା ଅଧିନରେ ଏହି ଉପକୂଳ ରାଜପଥକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନର ବିଶେଷଜ୍ଞ ମୂଲ୍ୟାୟନ କମିଟି ଏହି ଉପକୂଳ ରାଜପଥ ପ୍ରକଳ୍ପ ଯାହାକି ଟାଙ୍ଗି ନିକଟରେ ଥିବା ୬ନମ୍ବର ଜାତୀୟ ରାଜପଥର ରାମେଶ୍ୱର-ବ୍ରହ୍ମଗିରି, ପୁରୀ-କୋଣାର୍କ-ଅସ୍ତରଙ୍ଗ-ନାଉଗାଁ-ପାରାଦୀପ୍ ବନ୍ଦର-ରତନପୁର-ଧାମରା-ଦୀଘା ପର୍ଯ୍ୟନ୍ତ ରହିଛି ତାହାକୁ ଅନୁମୋଦନ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ୨୦୨୧ ଅଗଷ୍ଟ ୭ତାରିଖରେ ଏହି ଉପକୂଳ ରାଜପଥ ନକ୍ସାକୁ ମଞ୍ଜୁରୀ ଦେଇଛନ୍ତି ।
ଟାଙ୍ଗିରୁ ରତନପୁର ସେକ୍ସନ (୧୧୭.୧୧୯ କିଲୋମିଟର) ଏବଂ ରତନପୁରରୁ ଦୀଘା (ଧାମରା ଏବଂ ବାସୁଦେବପୁରକୁ ବାଦ୍ ଦେଇ) ପର୍ଯ୍ୟନ୍ତ ଥିବା ୧୭୦.୭ କିମି ଉପକୂଳ ରାଜପଥର ଟର୍ମ ଅଫ୍ ରେଫରେନ୍ସ (ଟିଓଆର)କୁ ଯଥାକ୍ରମେ ୨୦୨୦ ନଭେମ୍ବର ୧୦ ଏବଂ ଡିସେମ୍ବର ୧୫ରେ ସୁବଜ ସଙ୍କେତ ମିଳିଛି ।
ଏନଏଚଏଆଇର ଜମି ଅଧିଗ୍ରହଣ କମିଟି ଟାଙ୍ଗି ଠାରୁ ରତନପୁର ପର୍ଯ୍ୟନ୍ତ ପ୍ରସ୍ତାବିତ ରାଜପଥ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନ୍ଏଚଏଆଇ ବର୍ତ୍ତମାନ ଏହି ରାଜପଥ ଲାଗି ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମୋଦନ ଏବଂ ଅନ୍ୟାନ୍ୟ ଅନୁମୋଦନ ସବୁ ଆବଶ୍ୟକ କରୁଛି । ରାଜ୍ୟ ସରକାରଙ୍କ ସହାୟତାରେ ଡିପିଆର ପରାମର୍ଶଦାତା କାର୍ଯ୍ୟ ଚଳାଇଛନ୍ତି । ରାମେଶ୍ୱର ଠାରୁ ରତନପୁର ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ୩ଏ ପାହ୍ୟାରେ ସରିବାପରେ ବର୍ତ୍ତମାନ ୩ଡି ପାହ୍ୟାରେ ଆରମ୍ଭ ହୋଇଛି ।
ତେବେ ବର୍ତ୍ତମାନ ସୁଦ୍ଧା ରତନପୁର ଠାରୁ ଦୀଘା ପର୍ଯ୍ୟନ୍ତ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅନୁମତି ମିଳିନାହିଁ । ପ୍ରକଳ୍ପ ଲାଗି ଏହି ଜମି ଅଧିଗ୍ରହଣର ହାରାହାରି ବ୍ୟୟ ୮୧୭ କୋଟି ଟଙ୍କା ରହିଛି । ୨୦୧୫ ଏପ୍ରିଲ ମାସରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରି ନିଜେ ଓଡିଶାର ପର୍ଯ୍ୟଟନ, ଯୋଗାଯୋଗ ଓ ବନ୍ଦର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଥିବା ଉପକୂଳ ରାଜପଥ ପ୍ରକଳ୍ପର ଘୋଷଣା କରିଥିଲେ । ବିଜେଡି-ବିଜେପି ମଧ୍ୟରେ ଚାଲିଥିବା ରାଜନୈତିକ ତିକ୍ତତା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହୋଇଥିବାବେଳେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପ୍ରାଥମିକ ଭାବେ ପ୍ରସ୍ତୁତ ହୋଇଥିବା ରାଜପଥ ସଡକକୁ ପରିବେଶଗତ ଦୃଷ୍ଟିରୁ ମଞ୍ଜୁରୀ ଦେବାକୁ ମନାକରି ଦେଇଥିଲେ । ପ୍ରଥମରୁ ଏହା ଗୋପାଳପୁର ଏବଂ ଦୀଘା ମଧ୍ୟରେ ଥିଲା । ବର୍ତ୍ତମାନ ଉପକୂଳ ରାଜପଥ ଖୋର୍ଦ୍ଧାର ଟାଙ୍ଗି ଠାରୁ ଦୀଘା ପର୍ଯ୍ୟନ୍ତ ହେବ ।