ବାଂଲାଦେଶଠୁ ଶୃଙ୍ଖଳା ହାରିଲା ଭାରତ
ଦ୍ୱିତୀୟ ଦିନିକିଆ: କାମରେ ଆସିଲାନି ରୋହିତଙ୍କ ବିଳମ୍ବିତ ଲଢ଼େଇ
ମୀରପୁର, ୭ା୧୨ (ଏଜେନ୍ସି): ଫିଲ୍ଡିଂ କଲା ବେଳେ ଆହତ ହୋଇଥିବା ଅଧିନାୟକ ରୋହିତ ଶର୍ମା ବୁଧବାର ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ସାହସିକ ପ୍ରଦର୍ଶନ କରିବା ସତ୍ତ୍ୱେ ମ୍ୟାଚ୍ ବଞ୍ଚାଇ ପାରି ନ ଥିଲେ । ବାଂଲାଦେଶ ୫ ରନ୍ରେ ମ୍ୟାଚ୍ ଜିତିବା ସହ ୨-୦ରେ ଅପରାଜେୟ ଅଗ୍ରଣୀ ରହି ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଉପରେ କବ୍ଜା କରିଛି । ଭ୍ରମଣକାରୀ ଟିମ୍ ସମାନ ଭେନୁ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ୧ ୱିକେଟ୍ରେ ପରାଜିତ ହୋଇଥିଲା ।
ଦ୍ୱିତୀୟ ସ୍ଲିପ୍ରେ ଏକ କ୍ୟାଚ୍ ଧରିବାକୁ ପ୍ରୟାସ କଲା ବେଳେ ରୋହିତଙ୍କ ବୃଦ୍ଧାଙ୍ଗୁଳି ଓ ବିଶିଅଙ୍ଗୁଳିରେ ଆଘାତ ଲାଗିଥିଲା । ଏହାପରେ ସେ ପଡ଼ିଆ ଛାଡ଼ିଥିଲେ । ଏକ୍ସ-ରେ ପାଇଁ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ସେ ଓପନିଂ ପରବର୍ତ୍ତେ ନବମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । ରୋହିତ ୨୮ ବଲ୍ରୁ ୫୧ ରନ୍ର ଅପରାଜିତ ଇନିଂସ୍ ଖେଳିଥିଲେ । ଶେଷ ଦୁଇ ବଲ୍ରେ ଦୁଇ ଛକା ଆବଶ୍ୟକ ଥିଲା । ରୋହିତ, ମୁସ୍ତାଫିଜୁର ରହମାନଙ୍କ ପଞ୍ଚମ ବଲ୍ରେ ଛକା ମାରିଥିଲେ; କିନ୍ତୁ ଶେଷ ବଲ୍ରେ ବିଫଳ ହୋଇଥିଲେ । ଏଥି ସହିତ ବାଂଲାଦେଶ ନିଜ ମାଟିରେ ଭାରତୀୟ ଟିମ୍ ବିପକ୍ଷରେ କ୍ରମାଗତ ଦ୍ୱିତୀୟ ଦିନିକିଆ ଶୃଙ୍ଖଳା ଜିତିଛି । ଶେଷ ଥର ଟିମ୍ ୨୦୧୫ରେ ସଫଳତା ପାଇଥିଲା ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଟିମ୍ ମେହଦୀ ହସନ୍ ମିରାଜ୍ (ଅପରାଜିତ ୧୦୦ ରନ୍)ଙ୍କ ପ୍ରଥମ ଦିନିକିଆ ଶତକ ଏବଂ ମହମୁଦୁଲ୍ଲା (୭୭)ଙ୍କ ସହ ୧୪୮ ରନ୍ର ଭାଗୀଦାରୀ ବଳରେ ୭ ୱିକେଟ୍ ହରାଇ ୨୭୧ ରନ୍ ସଂଗ୍ରହ କରିଥିଲା । ମେହଦୀ ହସନ୍ ୮୩ ବଲ୍ର ସାମ୍ନା କରିଥିବା ବେଳେ ୮ ଚୌକା ଓ ୪ ଛକା ମାରିଥିଲେ । ୧୯ ଓଭର୍ରେ ଟିମ୍ର ସ୍କୋର୍ ୬୯/୬ ଥିଲା । ପ୍ରଥମ ମ୍ୟାଚ୍ରେ ମଧ୍ୟ ନିମ୍ନକ୍ରମ ବ୍ୟାଟର୍ ମେହଦୀ ହସନ୍ ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ । ସେ କ୍ରମାଗତ ଦ୍ୱିତୀୟ ଥର ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ସେ ମଧ୍ୟ ଦୁଇଟି ୱିକେଟ୍ ନେଇଥିଲେ ।
ବାଂଲାଦେଶର ଅନ୍ୟ ବ୍ୟାଟର୍ଙ୍କ ମଧ୍ୟରେ ଅନାମୁଲ୍ ହକ୍ ୧୧, ଅଧିନାୟକ ଲିଟ୍ଟନ୍ ଦାସ ୭, ନଜମୁଲ ହୋସେନ୍ ଶାନ୍ତୋ ୨୧, ଶାକିବ୍ ଅଲ୍ ହସନ୍ ୮, ମୁଶଫିକର ରହିମ୍ ୧୨, ନସୁମ ଅହମଦ ଅପରାଜିତ ୧୮ ରନ୍ କରିଥିବା ବେଳେ ଅତିଥି ହୋସେନ୍ ଖାତା ଖୋଲି ନ ପାରି ପାଭିଲିଅନ୍ ଫେରିଥିଲେ ।
ଭାରତ ପକ୍ଷରୁ ୱାଶିଂଟନ୍ ସୁନ୍ଦର (୩୭/୩) ସବୁଠାରୁ ସଫଳ ବୋଲର୍ ଥିଲେ । ମହମ୍ମଦ ସିରାଜ (୭୩/୨) ଓ ଉମରାନ ମଲିକ (୫୮/୨) ମଧ୍ୟ ଦୁଇ ୱିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ ।
୨୭୨ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ଭାରତୀୟ ଟିମ୍ ଧାର୍ଯ୍ୟ ୫୦ ଓଭର୍ରେ ୯ ୱିକେଟ୍ ହରାଇ ୨୬୬ ରନ୍ କରିବାକୁ ସମର୍ଥ ହୋଇଥିଲା । ରୋହିତଙ୍କ ପରିବର୍ତ୍ତେ ବିରାଟ କୋହଲି, ଶିଖର ଧାବନ୍ଙ୍କ ସହ ଓପନିଂ କରିବାକୁ ଆସିଥିଲେ । କିନ୍ତୁ ପୁଣି ଥରେ ଏହି ଦୁଇ ଅଭିଜ୍ଞ ବ୍ୟାଟର୍ ବିଫଳ ହୋଇଥିଲେ । କୋହଲି ୫ ରନ୍ କରି ଏବାଦତ ହୋସେନ୍ ଓ ଧାବନ୍ ୮ ରନ୍ କରି ମୁସ୍ତାଫିଜୁର ରହମାନଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ମାତ୍ର ୧୩ ରନ୍ରେ ଦୁଇ ୱିକେଟ୍ ପଡ଼ିଥିଲା ।
ଏହାପରେ ସୁନ୍ଦରଙ୍କୁ ଚତୁର୍ଥ ସ୍ଥାନରେ ପଠାଯାଇଥିଲା । କିନ୍ତୁ ସେ (୧୧) ବେଶୀ ବାଟ ଯାଇ ନ ପାରି ଶାକିବ୍ଙ୍କ ସ୍ପିନ୍ ଜାଲରେ ପଡ଼ିଥିଲେ । ଅନ୍ୟପଟେ, ଶ୍ରେୟାସ ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲେ । କିନ୍ତୁ ପରବର୍ତ୍ତୀ ବ୍ୟାଟର୍ ଲୋକେଶ ରାହୁଲଙ୍କ ଠାରୁ ତାଙ୍କୁ ବିଶେଷ ସହଯୋଗ ମିଳି ନ ଥିଲା । ରାହୁଲ ୧୪ ରନ୍ କରି ମେହଦୀ ହସନ୍ଙ୍କ ଶିକାର ହୋଇଥିଲେ ।
୬୫ ରନ୍ରେ ୪ ୱିକେଟ୍ ପଡ଼ିଥିଲା । ଏହାପରେ ଶ୍ରେୟାସ ନୂଆ ବ୍ୟାଟର୍ ଅକ୍ଷର ପଟେଲ୍ଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ପଞ୍ଚମ ୱିକେଟ୍ ପାଇଁ ୧୦୫ ରନ୍ର ଭାଗୀଦାରୀ ହୋଇଥିଲା । ଆୟର ୮୨ (୧୦୨ ବଲ୍ରୁ) ରନ୍ର ଉଜ୍ଜ୍ୱଳ ଇନିଂସ୍ ଖେଳି ମେହଦୀଙ୍କ ଆଉ ଏକ ଶିକାର ହୋଇଥିଲେ ।
ଅକ୍ଷର ଅର୍ଦ୍ଧଶତକ ପୂରଣ କରିବା ପରେ ଆଉ ବେଶୀ ବାଟ ଯାଇପାରି ନ ଥିଲେ ଏବଂ ବ୍ୟକ୍ତିଗତ ୫୬ (୫୬ ବଲ୍ରୁ) ଆଉଟ୍ ହୋଇଥିଲେ । ଇବାଦତ ତାଙ୍କ ୱିକେଟ୍ ନେଇଥିଲେ । ଶାର୍ଦ୍ଦୂଳ ଠାକୁର (୭) ଓ ଦୀପକ ଚାହର (୧୧)ଙ୍କ ୱିକେଟ୍ ଯଥାକ୍ରମେ ଶାକିବ୍ ଓ ଇବାଦତଙ୍କ ଖାତାକୁ ଯାଇଥିଲା । ଏହାପରେ ରୋହିତ କ୍ରିଜ୍କୁ ଆସିଥିଲେ । ସେ ଏକାକୀ ଲଢ଼େଇ କରୁଥିବା ବେଳେ ସିରାଜ ୨ ରନ୍ କରି ମହମୁଦୁଲ୍ଲାଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।