କାହାର ହେବ ପଦ୍ମପୁର?
ଭୁବନେଶ୍ୱର, ୬ା୧୨ (ବୁ୍ୟରୋ): କାହାର ହେବ ପଦ୍ମପୁର? କିଏ ମାରିବ ବାଜି? ରେକର୍ଡ ମତଦାନ କାହାକୁ ସୁହାଇବ? ଏସବୁ ପ୍ରଶ୍ନର ଉତ୍ତର ତ ୮ ତାରିଖରେ ମିଳିବ । ହେଲେ ଭୋଟ୍ ସରିବା ପରେ ସବୁ ଦଳ ନିଜ ନିଜ ସ୍ତରରେ ରିପୋର୍ଟ ନେବା ଆରମ୍ଭ କରିଛନ୍ତି । ନିଜର ଏଜେଣ୍ଟ, ପଞ୍ଚୟତ ସ୍ତରର ନେତା ଓ ଅବଜର୍ଭରଙ୍କଠାରୁ ସଂଗ୍ରହ କରୁଛନ୍ତି ବୁଥ୍ୱାରି ରିପୋର୍ଟ । କେଉଁ ବୁଥ୍ରେ କେତେ ଭୋଟ୍ ପଡ଼ିଛି, କେଉଁଠି କିଏ ଲିଡ୍ ନେବାର ସମ୍ଭାବନା ଅଛି ସେସବୁର ଚାଲିଛି ମିଶାଣ ଫେଡ଼ାଣ ।
୨୦୧୯ ସାଧାରଣ ନିର୍ବାଚନରେ ପଦ୍ମପୁରରେ ପ୍ରାୟ ୭୯% ଭୋଟ୍ ପଡ଼ିଥିଲା । ଏଥର ଉପନିର୍ବାଚନରେ କିନ୍ତୁ ପୋଲିଂ ରହିଛି ୮୧.୨୯ ପ୍ରତିଶତ । ତେଣୁ ବଢିଥିବା ଭୋଟ୍ ପ୍ରତିଶତକୁ ନେଇ ଅଧିକ ଅଙ୍କକଷା ଯାଉଛି । ତା ସହ କଂଗ୍ରେସ ଭୋଟ୍ ବିଭାଜନ ହୋଇଥିବା କୁହାଯାଉଥିବାରୁ ସେ ଭୋଟ୍ କାହାକୁ କେତେ ମିଳିଛି ତାର ବି ତର୍ଜମା ହେଉଛି । ଗ୍ରାଉଣ୍ଡ ଲେଭେଲ୍ରୁ ପୋଲିଂ ରିପୋର୍ଟ ପାଇବା ପରେ ଉଭୟ ବିଜେଡି ଓ ବିଜେପି ନିଜ ନିଜର ଜିତାପଟ୍ ନେଇ ବେଶ୍ ଆଶାବାଦୀ ।
ବିଜେଡି କହିଛି, ଅଧିକ ଭୋଟ୍ର ଫାଇଦା ଦଳକୁ ମିଳିବ । ଗତ ନିର୍ବାଚନର ମାର୍ଜିନ୍ ୫ ହଜାରଠାରୁ ଏଥର ଅଧିକ ରହିବ । ବିଜେପି ଦମ୍ଭୋକ୍ତି କରିଛି ଯେ, ପଦ୍ମପୁରରେ ସରକାର ବିରୋଧୀ ହାୱା ଥିଲା ପାଖାପାଖି ୧୦ ହଜାର ଭୋଟ୍ ବ୍ୟବଧାନରେ ଦଳ ଜିତିବ । ସେପଟେ କିନ୍ତୁ ରେଜଲ୍ଟ ଆସିବା ପୂର୍ବରୁ ହାତ ଟେକିଦେଇଛି କଂଗ୍ରେସ । ତୃତୀୟ ସ୍ଥାନରେ ରହିବ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।
ଧାମନଗର ଉପନିର୍ବାଚନରେ ବିଜେଡିକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ତେଣୁ ପଦ୍ମପୁରରେ ଦଳ ଜି ଜାନ୍ ଲଗାଇ ଲଢ଼ିଛି । ୨୦୧୯ରେ ବିଜେଡି ଏଠାରେ ଜିତିଥିଲେ ମଧ୍ୟ ଏହାକୁ ବଜାୟ ରଖିବା ପାଇଁ ଦଳକୁ କିଛି କମ୍ ଝାଳ ବୁହାଇବାକୁ ପଡିନାହିଁ । କାହିଁକି ଆସନ୍ତା ୨୦୨୪ ନିର୍ବାଚନ ପାଇଁ ପଦ୍ମପୁର ଫଳାଫଳ ଅନେକ କିଛି ସଙ୍କେତ ଦେବ । ପଦ୍ମପୁରରେ ଚାଷୀ ସମସ୍ୟାଠୁ ଆରମ୍ଭ କରି ରେଳ ପ୍ରକଳ୍ପ, ଦାଦନ, ଜିଲ୍ଲା ଗଠନ, ପାଇକମାଳକୁ ଏନ୍ଏସି ମାନ୍ୟତା ଭଳି ଅନେକ ସମସ୍ୟା ଉଠିଥିଲା । ଆଉ ବିଜେଡି ପ୍ରାର୍ଥୀ ବର୍ଷାଙ୍କୁ ନେଇ ଛିଡ଼ା ହୋଇଥିଲା ଅନେକ ପ୍ରଶ୍ନ । ତେବେ ପଦ୍ମପୁରବାସୀ କାହାକୁ ଆଶୀର୍ବାଦ ଦେଇଛନ୍ତି ତାହା ଆଉ ଦିନକ ପରେ ସ୍ପଷ୍ଟ ହୋଇଯିବ ।
ସେପଟେ ଏନେଇ ଦଳୀୟ ନେତାଙ୍କ ବୟାନବାଜି ସାମ୍ନାକୁ ଆସିଛି । ପଦ୍ମପୁରରେ ବିଜେଡି ତିନିରୁ ପାଞ୍ଚ ହଜାର ଭୋଟରେ ଜିତିବ । ଶାସନରେ ଥିବା ଦଳ ଉପନିର୍ବାଚନରେ ଜିତିଥାଏ । ବିଜେଡି ଟଙ୍କା ବାଣ୍ଟୁଛି, ପ୍ରଶାସନ ଏବଂ ପୁଲିସ ତାକୁ ସାହାଯ୍ୟ କରୁଛି । ବିଶେଷ ଖବର ପକ୍ଷରୁ ଯେଉଁ ସର୍ଭେ କରିଛୁ, ସେଥିରୁ ଆମେ ଏହା ଜାଣିପାରୁଛୁ ବୋଲି ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ କହିଛନ୍ତି ।
ଅନ୍ୟପଟରେ ଖାରବେଳ ବାବୁଙ୍କ ଆକଳନ ମୁଁ ଜାଣିନାହିଁ ବୋଲି କହିଛନ୍ତି ଦଳୀୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ ଅଞ୍ଚଳକୁ ସେ ଯାଇନାହାନ୍ତି କି କ୍ୟାମ୍ପେନରେ ବି ନଥିଲେ । କିନ୍ତୁ ଏକଥା ସ୍ପଷ୍ଟ ଅଛି ସେଠି ଯେଉଁମନେ କ୍ୟାମ୍ପେନ କରୁଥିଲେ ଏବଂ ଯେଉଁଭଳି ପ୍ରକ୍ରିୟା ଥିଲା ଭୋଟ ଦାନ ଦିନ ପର୍ଯ୍ୟନ୍ତ, ଯେଉଁ ସ୍ଥିତି ଦେଖିଛୁ ବିଜେପିର ନିଶ୍ଚୟ ବିଜୟ ହେବ ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଯେତେବେଳେ ବି ନିର୍ବାଚନରେ ଅଧିକ ପ୍ରତିଶତ ଭୋଟ ହୁଏ, ତାର ଅର୍ଥ ହେଉଛି ଆଣ୍ଟି ଇନ-କୁମ୍ବେନସି ୱେଭ । ସେଥିପାଇଁ ଆମେ ବହୁତ ଆଶାବାଦୀ । ଆମେ ଶତ ପ୍ରତିଶତ ଦେଇଛୁ । ଭଲ ପ୍ରୟାସ ବିଜେପି ପକ୍ଷରୁ କରାଯାଇଛି । ଆଶା କରୁଛୁ ପଦ୍ମପୁରବାସୀ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବେ । ପଦମପୁରରେ ପଦ୍ମ ଫୁଟିବ । କେତେ ବ୍ୟବଧାନ ରହିବ ତାହା ଏବେ କହିବା ଠିକ ହେବ ନାହିଁ । ଆମ ପ୍ରାର୍ଥୀ ଯୋଗ୍ୟ ପ୍ରାର୍ଥୀ । ସମସ୍ତଙ୍କ ସହଯୋଗ ପାଇଛନ୍ତି ଏବଂ ପଦ୍ମପୁରବାସୀଙ୍କ ଆଶୀର୍ବାଦ ପାଇବେ ।
ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ କହିବା ଅନୁସାରେ ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ହେବ । ୨୦୧୯ରେ ବିଜେଡିର ବିଜୟ ବ୍ୟବଧାନ ସାଢ଼େ ୫ ହଜାର ଥିବାବେଳେ ଏଥର ବହୁଗୁଣିତ ହେବ । ନବୀନଙ୍କ ନେତୃତ୍ୱରେ ଲଢୁଥିଲା ପୁରା ଟିମ । ସବୁ ବର୍ଗର ନେତା ମଇଦାନରେ ସକ୍ରିୟ ଥିଲେ । ନବୀନ ପ୍ରଚାରକୁ ଯିବା ପରେ ଯେତିକି ଆଶା କରାଯାଉଥିଲା ତାହାଠୁ ଅଧିକ ବ୍ୟବଧାନ ବଢିବ ବୋଲି ଆଶା । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ବିଜେଡିର ବିଜୟ ସୁନିଶ୍ଚିତ ହେବା ସହ ଭୋଟ ହାର ବଢିଲା । ଅଧିକ ଭୋଟ୍ ପ୍ରତିଶତ ବଢିବା ବିଜେଡି ସପକ୍ଷରେ ଯିବ ବୋଲି ସେ କହିଛନ୍ତି ।