ନୂଆବର୍ଷ ପୂର୍ବରୁ ପୁଲିସ ଓ ଅବକାରୀ ବିଭାଗ ଚଳଚଞ୍ଚଳ
ଭୁବନେଶ୍ୱର (ବୁ୍ୟରୋ): ଆସୁଛି ନୂଆ ବର୍ଷ । ୨ ବର୍ଷର କରୋନା କଟକଣା ପରେ ଏଥର ଜମିବ ଜିରୋ ନାଇଟ ସେଲିବ୍ରେସନ । ଧୁମଧାମରେ ନୂଆବର୍ଷ ପାଳନ କରିବେ ଲୋକ । ଏଥିପାଇଁ ଭୁବନେଶ୍ୱରରେ ଆରମ୍ଭ ହେଲାଣି ପ୍ରସ୍ତୁତି । ଏହି ସମୟରେ କିଭଳି ଶାନ୍ତି ଶୃଙ୍ଖଳା ଅବଲମ୍ବନ କରାଯିବ ସେଥିପାଇଁ ବ୍ଲୁ ପ୍ରିଣ୍ଟ କରିଛନ୍ତି ଉଭୟ କମିଶନରେଟ ପୁଲିସ ଓ ଅବକାରୀ ବିଭାଗ । ଆସନ୍ତା ସପ୍ତାହରୁ ବାର, ପବ୍, ହୋଟେଲରେ ଚେକିଂ ଜୋରଦାର ହେବ ।
୨୦୨୩ କୁ ସ୍ୱାଗତ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ହୋଟେଲ, ପବ, ଡ୍ୟାନ୍ସ ବାର । ହେଲେ ଏମାନଙ୍କ ଉପରେ ଲଗାମ ଲଗାଇଛି ଅବକାରୀ ବିଭାଗ । ବର୍ତ୍ତମାନ ଅନୁମତି ନେଇ ରାତି ୧୨ ପରେ ଡ୍ୟାନ୍ସ ବାର ଓ ପବ ଖୋଲୁଥିବାବେଳେ ୨୪ରୁ ଜାନୁଆରୀ ୮ ପର୍ଯ୍ୟନ୍ତ ଏଥିରେ ରୋକ ଲାଗିବ । ଖିଲାପକାରୀଙ୍କୁ ଜଗିବ ଫ୍ଲାଇଂ ସ୍କାଡ୍ । ନିୟମ ଭାଙ୍ଗିଲେ ଲାଇସେନ୍ସ ରଦ୍ଦ ହେବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ । ସେପଟେ ଆଗକୁ ହକି ବିଶ୍ୱକପ । ଏହାକୁ ନଜରରେ ରଖି ଭୁବନେଶ୍ୱରକୁ ରୂପଜୀବୀ ଆସିବା ଆଶଙ୍କା କରାଯାଉଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ଡିସେମ୍ବର ୩୧ ଓ ଜାନୁଆର ୧ରେ ଟ୍ୱିନ୍ସିଟିରେ ପୁଲିସ ବ୍ୟାପକ ଭାବେ ପହରା ମାରିବ । ଭିଡ଼ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିବା ସହ ନାକାବନ୍ଦୀ କରାଯାଇ ଚେକିଂ ହେବ ।