ଅସ୍ଥାୟୀ ଡାକ୍ତରରେ ଚାଲିଛି ବାସୁଦେପୁର ସିଏଚ୍ସି
ଯୋଡ଼ା (ଆପ୍ର): ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଯେପରି ଜରୁରୀକାଳୀନ ସେବା ପହଞ୍ଚି ପାରିବ ସେ ନେଇ ସରକାର ଆଗ୍ରହ ଦେଖାଉଛନ୍ତି । ଏଥିନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ ହୋଇଛି । କିନ୍ତୁ ଯୋଜନା ଗୁଡିକ ବାସ୍ତବ ରୂପେ କାର୍ଯ୍ୟକାରୀ ହୋଇପାରୁ ନଥିବା କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦେଖିଲେ ସ୍ପଷ୍ଟ ଅନୁମେୟ ।
ଗ୍ରାମାଞ୍ଚଳରେ କମ୍ ଖର୍ଚ୍ଚ ଓ ସୁବିଧାରେ ରୋଗୀ ସେବା ଯୋଗାଇ ଦେବା ଏହି ଡାକ୍ତରଖାନାର ଉଦେ୍ଦଶ୍ୟ ଥିବା ବେଳେ ଗୋଷ୍ଠୀକେନ୍ଦ୍ରର ଅବ୍ୟବସ୍ଥା ଯୋଗୁଁ ରୋଗୀ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଯୋଡା ବ୍ଲକ୍ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ପଦ ଖାଲି ପଡ଼ିଥିବାରୁ ଅପହଞ୍ଚ ଅଞ୍ଚଳବାସୀ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଅସୁବିଧା ଭୋଗୁଥିବା ନଜରକୁ ଆସିଛି । ପୂର୍ବରୁ ୧୬ ଶଯ୍ୟା ବିଶିଷ୍ଟ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ୨୦ ଶଯ୍ୟା ବିଶିଷ୍ଟରେ ପରିଣତ କରାଯାଇଥିବା ବେଳେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇଛି । ଯୋଡା, ଚମ୍ପୁଆ ଓ ଝୁମ୍ପୁରା ବ୍ଲକ୍ ଅଞ୍ଚଳର ଜନସାଧାରଣ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ନିର୍ଭରଶୀଳ ଥିବା ବେଳେ ଦୀର୍ଘଦିନ ଧରି ୭ ଡାକ୍ତର ପଦବୀରୁ ମାତ୍ର ୪ ଡାକ୍ତର ସେବା କାର୍ଯ୍ୟ ସମ୍ଭାଳିଛନ୍ତି । ଫଳରେ ଲୋକେ ଚମ୍ପୁଆ ଉପଖଣ୍ଡ ଚିକିସôାଳୟ କିମ୍ବା କେନ୍ଦୁଝର ମୁଖ୍ୟ ଚିକିସôାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଜଣେ ନିୟମିତ ଡାକ୍ତର, ଜଣେ କଣ୍ଟ୍ରାକ୍ଚୁଆଲ, ଜଣେ ଡିଏମ୍ଏଫ୍ରୁ ଡାକ୍ତର ଓ ଜଣେ ହେଡ୍ କ୍ୱାର୍ଟର ଡାକ୍ତର ଡେପୁଟେସନରେ ଆସି ସ୍ୱାସ୍ଥ୍ୟସେବା ତୁଲାଉଛନ୍ତି ।
ଅନ୍ୟପକ୍ଷେ ସ୍ୱାସ୍ଥ୍ୟକେନ୍ଦ୍ରର କିଛି ଅଂଶ ଘରୋଇ ଜମି ମାଲିକାନାରେ ଥିବାବେଳେ ଡାକ୍ତରଖାନାର ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ ଆଉ ଏକ ସମସ୍ୟା ସୃଷ୍ଟି କରିଛି । ସେହିପରି ଓଭରହେଡ୍ ଟ୍ୟାଙ୍କ ନଥିବାରୁ ପାଣି ସମସ୍ୟା ଉପୁଜୁଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ସେବା ମଧ୍ୟ ଉପଲବ୍ଧ ନଥିବାରୁ ଲୋକେ ଜରୁରୀକାଳୀନ ସେବା ପାଇପାରୁନାହାନ୍ତି । ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବା ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।