୩୩ ସପ୍ତାହରେ ଗର୍ଭପାତ ପାଇଁ ଅନୁମତି

ଦିଲ୍ଲୀ ହାଇକୋର୍ଟଙ୍କ ଐତିହାସିକ ରାୟ
ନୂଆଦିଲ୍ଲୀ(ଏଜେନ୍ସି): ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । ଜଣେ ୨୬ ବର୍ଷୀୟା ମହିଳାଙ୍କୁ ନିଜର ୩୩ ସପ୍ତାହର ଭ୍ରୁଣର ଗର୍ଭପାତ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ମହିଳାଜଣକ ନିଜ ପିଟିସନ୍ରେ ଗର୍ଭସ୍ଥ ଭ୍ରୁଣର ମସ୍ତିଷ୍କରେ ଅସାମାନ୍ୟତା ରହିଥିବା ଡାକ୍ତରୀ ରିପୋର୍ଟ (ଅଲଟ୍ରାସାଉଣ୍ଡ)ରୁ ଜଣାପଡ଼ିବା ପରେ ସେ ଏବେ ନିଜ ଗର୍ଭସ୍ଥ ଶିଶୁକୁ ଜନ୍ମ ଦେବାକୁ ଚାହୁଁନଥିବା ଉଲ୍ଲେଖ କରିଛନ୍ତି । ଏଥିସହ ତାଙ୍କୁ ବର୍ତ୍ତମାନ ସମୟରେ ଗର୍ଭପାତ କରିବାକୁ ଅନୁମତି ଦେବାକୁ ଦିଲ୍ଲୀ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ ।
ପ୍ରକାଶ, ବର୍ତ୍ତମାନ ଭାରତୀୟ ଆଇନ୍ ଅନ୍ତର୍ଗତ ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତକୁ ଆଇନଗତ ସ୍ୱୀକୃତି ରହିଥିବା ବେଳେ ୨୬ ବର୍ଷୀୟା ଏହି ମହିଳାଙ୍କ ଠାରେ ବଢ଼ୁଥିବା ଭ୍ରୁଣ ୩୩ ସପ୍ତାହରେ ଉପନୀତ ହୋଇଛି । ଏଥିପାଇଁ ଦିଲ୍ଲୀର ଏଲ୍ଏନ୍ଜେପି ହସ୍ପିଟାଲ୍ ମେଡିକାଲ ବୋର୍ଡ ତାଙ୍କୁ ଗର୍ଭପାତ କରାଇବା ପାଇଁ ଅନୁମତି ଦେଇନଥିଲେ । ବୋର୍ଡ ଅନୁସାରେ ଗର୍ଭାବସ୍ଥା ପରବର୍ତ୍ତୀ ପର୍ଯ୍ୟାୟରେ ରହିଥିବା ବେଳେ ଆଇନ୍ ନିର୍ଦ୍ଧାରିତ ସମୟ ଠାରୁ ଅତ୍ୟଧିକ ବିଳମ୍ବ ହୋଇସାରିଥିବା ବେଳେ ଗର୍ଭପାତ କରାଯାଇପାରିବନି । ସବୁଆଡୁ ନିରୁପାୟ ହେବା ପରେ ମହିଳାଜଣକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଦର୍ଶାଇଛନ୍ତି ।
ଏହି ମାମଲାର ଶୁଣାଶି କରିବା ସହ ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ନିଜ ଗର୍ଭରେ ବଢ଼ୁଥିବା ପିଲାକୁ ଜନ୍ମ ଦେବା ନଦେବା ମା’ର ସମ୍ପୂର୍ଣ୍ଣ ନିଜସ୍ୱ ନିଷ୍ପତ୍ତି । ଏହା ମହିଳାଙ୍କ ମୌଳିକ ଅଧିକାର ମଧ୍ୟ । ଏହାକୁ କେହି ଭଙ୍ଗ କରିପାରିବେନି । ତେବେ ରାୟ ଶୁଣାଇବା ପୂର୍ବରୁ ଜଷ୍ଟିସ୍ ପ୍ରତିଭା ସିଂହ ଆବେଦନକାରୀ ମହିଳାଙ୍କ ଆବେଦନ ଶୁଣିବା ସହ ଏଲଏନ୍ଜିପି ହସ୍ପିଟାଲର ନୁ୍ୟରୋ ସର୍ଜନ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ନୁ୍ୟରୋସର୍ଜନ ମହିଳାଙ୍କ ଭ୍ରୁଣରେ ମାନସିକ ଅସାମନ୍ୟତା ଥିବା ନେଇ ସ୍ପଷ୍ଟ କରିଥିଲେ । ଏହାସହ ପିଲା ଜନ୍ମ ହେଲେ ଭବିଷ୍ୟତରେ ଏହାର ଜୀବନ କିପରି କଟିବ ତାହା କହିବା କଷ୍ଟକର ବୋଲି ବିଚାରପତିଙ୍କୁ ଅବଗତ କରାଇଥିଲେ । ସବୁକିଛି ଶୁଣିବା ପରେ ବିଚାରପତି ଉପରୋକ୍ତ ରାୟ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *